ଭୁବନେଶ୍ବର : ଓଡ଼ିଆ ପୁଅ ପ୍ରମୋଦ ଭଗତ ଦୁବାଇରେ ଅନୁଷ୍ଠିତ ତୃତୀୟ ଫାଜା ଦୁବାଇ ଦିବ୍ୟାଙ୍ଗ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ରବିବାର ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ମିଶ୍ରିତ ଯୁଗଳରେ କାଂସ୍ୟ ପଦକ ଜିତିଥିବା ପ୍ରମୋଦ ରବିବାର ଏକକ ଓ ପୁରୁଷ ଯୁଗଳରେ ସ୍ବର୍ଣ୍ଣିମ ସଫଳତା ହାତେଇଛନ୍ତି। କରୋନା ମହାମାରୀ ପରେ ପ୍ରଥମ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରମୋଦ ୩ ପଦକ ସହ ଅଭିଯାନ ଶେଷ କରିଛନ୍ତି। ରବିବାର ଏକକ ଫାଇନାଲରେ ପ୍ରମୋଦ ୨୧-୧୭ ଓ ୨୧-୧୮ରେ ନିଜ ଦେଶର ନିତେଶ କୁମାରଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିଥିଲେ। ଏକକ ବର୍ଗରେ ଏହା ଥିଲା ତାଙ୍କ କ୍ୟାରିୟରର ୧୭ତମ ସ୍ବର୍ଣ୍ଣ ପଦକ।

Advertisment

publive-image ଦୀପରଞ୍ଜନ ବିଶୋୟୀ

ସେହିପରି ପୁରୁଷ ଯୁଗଳ ଫାଇନାଲ୍‌ରେ ମନୋଜ ସରକାରଙ୍କୁ ସାଥୀ କରିଥିବା ପ୍ରମୋଦ ୨୧-୧୮ ଓ ୨୧-୧୬ରେ ଅନ୍ୟତମ ଭାରତୀୟ ଯୋଡ଼ି ସୁକାନ୍ତ କଦମ-ନୀତିଶ କୁମାରଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲେ। ଏହା ପ୍ରମୋଦଙ୍କ କ୍ୟାରିୟରର ୧୨ତମ ଯୁଗଳ ସ୍ବର୍ଣ୍ଣ। ଏହା ପୂର୍ବରୁ ମିଶ୍ରିତ ଯୁଗଳ ସେମିଫାଇନାଲରେ ଫ୍ରାନ୍ସର ଲୁକାସ ମଜୁର ଓ ନୋଏଲ ଫୌଷ୍ଟିନଙ୍କ ନିକଟରୁ ୧୭-୨୧, ୫-୨୧ରେ ହାରି ପ୍ରମୋଦ-ପଲକ କୋହଲି ଯୋଡି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଦୁବାଇ ଦିବ୍ୟାଙ୍ଗ ପ୍ରତିଯୋଗିତା ରବିବାର ଶେଷ ହୋଇଥିଲା ବେଳେ ଭାରତୀୟ ପ୍ରତିଯୋଗୀମାନେ ମୋଟ ୫ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୧୦ କାଂସ୍ୟ ପଦକ ଜିତି ନେଇଛନ୍ତି। ପ୍ରମୋଦ (ପୁରୁଷ ଏକକ) ଓ ପ୍ରମୋଦ-ମନୋଜ (ପୁରୁଷ ଯୁଗଳ)ଙ୍କ ବ୍ୟତୀତ କୃଷ୍ଣ ନାଗର (ପୁରୁଷ ଏକକ), କୃଷ୍ଣ ନାଗର-ରାଜା ମାଗୋତ୍ରା (ପୁରୁଷ ଯୁଗଳ) ଏବଂ ପ୍ରେମ କୁମାର ଆଲେ (ମିଶ୍ରିତ ଯୁଗଳ) ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପ୍ରମୋଦଙ୍କ ସମେତ ତିନି ଭାରତୀୟ ଏକାକି ୩ ଲେଖାଏଁ ପଦକ ଜିତିଥିଲେ। ଅନ୍ୟତମ ଓଡ଼ିଆ ତାରକା ଦୀପରଞ୍ଜନ ବିଶୋୟୀ ପୁରୁଷ ଯୁଗଳରେ କାଂସ୍ୟ ପଦକ ଜିତିଥିଲେ।