ଦୁବାଇ ‌ରୋମାଞ୍ଚ

ଦୁବାଇ: ଏସିଆ କପ୍ ଫାଇନାଲରେ ଭାରତ ସମ୍ମୁଖରେ ବାଂଲାଦେଶ ୨୨୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହାର ଜବାବରେ ଭାରତ ୪୪ ଓଭରରେ ୫ ୱିକେଟ୍ ହରାଇ ୧୯୦ ରନ୍ ସଂଗ୍ରହ କରି ନେଇଛି। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୧୫) ଓ ରୋହିତ ଶର୍ମା (୪୮)ଙ୍କ ସହ ଅମ୍ବାତି ରାୟୁଡୁ (୨), ଦୀନେଶ କାର୍ତିକ (୩୭) ଓ ମହେନ୍ଦ୍ର ସିଂହ ଧୋନି (୩୬) ଆଉଟ୍ ହୋଇ ଯାଇଛନ୍ତି। ରିପୋର୍ଟ ଲେଖା ବେଳକୁ ରବୀନ୍ଦ୍ର ଜାଦେଜା ୧୬ ଏବଂ ଭୁବନେଶ୍ବର କୁମାର ୬ ରନ୍‌ରେ ଅପରାଜିତ ରହିଛନ୍ତି। ପୂର୍ବରୁ ଭାରତ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ପରବର୍ତୀ ସମୟରେ ଦିଗ ହରାଇ ୪୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୨୨ ରନ୍ କରିଥିଲା। ବାଂଲାଦେଶ ଆଜି ବିନା କ୍ଷତିରେ ୧୨୦ ରନ୍ କରିନେବା ସହ ଲିଟନ ଦାସ (୧୨୧) ନିଜ ଖେଳ ଜୀବନର ପ୍ରଥମ ଶତକ ପୂରଣ କରିଥିଲେ। ହେଲେ ଦୁଇ ଯାଦବ କୁଲଦୀପ ଓ କେଦାରଙ୍କୁ ଆକ୍ରମଣ କରିବା ବାଂଲା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ତା’ ସହ ତିନିଟି ରନ୍ ଆଉଟ୍ ସ୍ଥିତିକୁ ଆହୁରି ସଂଗୀନ କରି ଦେଇଥିଲା। ଶେଷ ୩୦ ଓଭରରେ ଏହି ଦଳ ସେଥିପାଇଁ ମାତ୍ର ୧୦୦ ରନ୍ କରିବା ସହ ସମସ୍ତ ୧୦ ୱିକେଟ୍ ହରାଇଥିଲା। ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲିଟନ ଓ ମେହଦି ହାସନ (୩୨)ଙ୍କ ଛଡ଼ା କେବଳ ସୌମ୍ୟ ସରକାର (୩୩) ଦୁଇ ଅଙ୍କ ଛୁଇଁ ପାରିଥିଲେ। ବଳକା ୭ ବ୍ୟାଟ୍ସମ୍ୟାନ୍ ଏକ ଅଙ୍କରେ ସୀମିତ ରହି ଯାଇଥିଲେ। ଲିଟନ-ମେହଦି ପ୍ରଥମ ୱିକେଟ୍‌ରେ ଯୋଡ଼ିଥିବା ୧୨୦ ରନ୍ କିନ୍ତୁ ବର୍ଷକ ପରେ ବାଂଲା‌େଦଶର ପ୍ରଥମ ଶତକୀୟ ପ୍ରାରମ୍ଭିକ ଭାଗୀଦାରି ଥିଲା। ପୂର୍ବରୁ ୧୭ ଦିନିକିଆ ଖେଳି ୪୧ ରନ୍‌ର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଲିଟନ ଜାଜ୍ଜୁଲ୍ୟମାନ ପାଳି ଖେଳିଥିଲେ। ୩୩ ବଲ୍‌ରୁ ପ୍ରଥମ ଅର୍ଧଶତକ ପୂରଣ କରିବା ପରେ ୮୭ ବଲ୍‌ରୁ ପ୍ରଥମ ଶତକ ହାସଲ କରିଥିଲେ। କାମଚଳା ସ୍ପିନର କେଦାର ଯାଦବ ମେହଦିଙ୍କୁ ରାୟୁଡୁଙ୍କ ହାତରେ କ୍ୟାଚ୍ କରାଇ ଭାରତକୁ ପ୍ରଥମ ସଫଳତା ଦେବା ପରେ ବାଂଲାଦେଶ ପାଳି ଭୁଶୁଡ଼ି ଯାଇଥିଲା।

ଧୋନିଙ୍କ ୱିକେଟ୍‌ ରକ୍ଷଣ କୀର୍ତ୍ତିମାନ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶୁକ୍ରବାର ୱିକେଟ୍ ପଛରେ ରହି ୮୦୦ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ଭାରତର ପ୍ରଥମ ଏବଂ ବିଶ୍ବର ତୃତୀୟ ୱିକେଟ୍ ରକ୍ଷକ ହୋଇଥିଲେ। ଦିନିକିଆ, ଟେଷ୍ଟ ଏବଂ ଟ୍ବେଣ୍ଟି-୨୦ରେ ଆଉଟ୍ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ମିଶାଇ ଧୋନି ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି କ୍ଷେତ୍ରରେ ସଂପ୍ରତି ସେ ମାର୍କ ବାଉଚର (୯୯୮) ଓ ଆଦାମ ଗିଲକ୍ରୀଷ୍ଟ (୯୦୫)ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି। ବାଂଲାଦେଶ ପାଳିର ୪୧ତମ ଓଭରରେ ମାସରଫି ମୋର୍ତାଜାଙ୍କୁ ଷ୍ଟମ୍ପିଂ କରି ଧୋନି ୮୦୦ ଆଉଟ୍‌କୁ ଛୁଇଁଥିଲେ। ଷ୍ଟମ୍ପିଂରେ କିନ୍ତୁ ଧୋନି (୧୮୪) ସମସ୍ତଙ୍କ ଆଗରେ ରହିଛନ୍ତି। କୁମାର ସାଙ୍ଗାକାରା (୧୩୯), ରମେଶ କାଲୁବିତରନା (୧୦୧) ତାଙ୍କ ପଛରେ ରହିଛନ୍ତି।

ସମ୍ବନ୍ଧିତ ଖବର