ଦୁବାଇ: ଦୁବାଇ ସୁପର ସିରିଜ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତି ଭାରତୀୟ ଲଳନା ପିଭି ସିନ୍ଧୁ ଚଳିତ ବର୍ଷକୁ ସଫଳତାର ସହ ଶେଷ କରିଛନ୍ତି। ଇଣ୍ଡିଆ ଓପନ୍ ଓ କୋରିଆ ଓପନ୍ ଜିତିବା ବ୍ୟତୀତ ଗ୍ଲାସ୍ଗୋ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ଏବଂ ହଂକଂ ଓପନ୍ରେ ଉପବିଜୟିନୀ ହୋଇଥିବା ସିନ୍ଧୁଙ୍କ ଆଉ ଏକ ଟ୍ରଫି ଜିତିବାର ସ୍ୱପ୍ନ ସାକାର ହୋଇନଥିଲେ ମଧ୍ୟ ବର୍ଷ ଶେଷ ବିଶ୍ୱ ସୁପର ସିରିଜ୍ ଫାଇନାଲ୍ସରେ ରୌପ୍ୟ ପଦକ ଜିତି ସ୍ମରଣୀୟ ୨୦୧୭ ବର୍ଷକୁ ବିଦାୟ ଦେଇଛନ୍ତି। ହେଲେ ଫାଇନାଲ୍ରେ ହାରି ସିନ୍ଧୁ ଏକ ଇତିହାସ ରଚିବାରୁ ବଞ୍ଚିତ ହୋଇଛନ୍ତି। ଦୁବାଇରେ ବିଜେତା ହୋଇଥିଲେ ସିନ୍ଧୁ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସିରିଜ୍ ଫାଇନାଲ୍ସ ଟ୍ରଫି ଜିତିବାର ଇତିହାସ ନିଜ ନାମରେ ରଖିଥାନ୍ତେ। ଏହା ପୂର୍ବରୁ ସାଇନା ନେହ୍ଵାଲ ୨୦୧୧ରେ ଏବଂ ମିଶ୍ରିତ ଯୁଗଳ ଯୋଡ଼ି ଜ୍ୱାଲା ଗୁଟ୍ଟା-ଡି ବିଜୁ ୨୦୦୯ରେ ଫାଇନାଲ୍ ପ୍ରବେଶ କରିଥିଲେ ମଧ୍ୟ ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ତେବେ ଚଳିତ ବର୍ଷ ୨୨ ବର୍ଷ ବୟସ୍କା ସିନ୍ଧୁଙ୍କ ନାମରେ ୨ ଟ୍ରଫି ଓ ୩ ରୌପ୍ୟ ପଦକ ଯୋଡ଼ି ହୋଇଯାଇଛି।
ଦୁବାଇ ସୁପର ସିରିଜ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଗ୍ରୁପ୍ ପର୍ଯ୍ୟାୟରେ ୩ ମ୍ୟାଚ୍ ଖେଳି ଅପରାଜେୟ ସହ ସେମିଫାଇନାଲ୍ରେ ପ୍ରବେଶ କରିଥିବା ସିନ୍ଧୁ ଶନିବାର ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ଚେନ୍ ୟୁଫେଇଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ। ଅନ୍ୟପକ୍ଷରେ ସିନ୍ଧୁଙ୍କଠାରୁ ଗ୍ରୁପ୍ ପର୍ଯ୍ୟାୟରେ ହାରିଥିବା ଜାପାନ ଲଳନା ଅକାନେ ୟାମାଗୁଚି ଅନ୍ୟ ଏକ ସେମିଫାଇନାଲ୍ରେ ଥାଇଲାଣ୍ଡ୍ର ରାଚାନାକ ଇଣ୍ଟାନନ୍ଙ୍କୁ ପରାସ୍ତ କରି ଫାଇନାଲ୍ ପ୍ରବେଶ କରିବା ସାଙ୍ଗକୁ ଚଳିତ ପ୍ରତିଯୋଗିତାରେ ସିନ୍ଧୁଙ୍କ ସହ ପୁନର୍ବାର ମୁହାଁମୁହିଁ ହେବାର ସୁଯୋଗ ପାଇଥିଲେ। ଫଳରେ ବିଶ୍ୱ ମାନ୍ୟତାର ଦୁଇ ଶ୍ରେଷ୍ଠ ଖେଳାଳିଙ୍କ ଟ୍ରଫି ମୁକାବିଲାକୁ ସମସ୍ତେ ଚାହିଁ ରହିଥିଲେ। ହେଲେ ଗ୍ରୁପ୍ ପର୍ଯ୍ୟାୟର ସଫଳତାକୁ ଦୋହରାଇ ପାରିନଥିଲେ ସିନ୍ଧୁ। ରବିବାର କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ୟାମାଗୁଚି ୧୫-୨୧, ୨୧-୧୨ ଓ ୨୧-୧୯ରେ ତୃତୀୟ ମାନ୍ୟତା ସିନ୍ଧୁଙ୍କୁ ପରାସ୍ତ କରିଦେଲେ। ପ୍ରଥମ ଗେମ୍କୁ ୨୩ ମିନିଟ୍ରେ ସିନ୍ଧୁ ଜିତି ୧-୦ର ଅଗ୍ରଣୀ ପାଇଥିଲା ବେଳେ ଦ୍ୱିତୀୟ ଗେମ୍ରେ ୟାମାଗୁଚି ପ୍ରତ୍ୟାବର୍ତନ କରିଥିଲେ। ସେ ୨୭ ମିନିଟ୍ରେ ଏହି ଗେମ୍ ଜିତି ଫଳାଫଳ ତୃତୀୟ ତଥା ନିର୍ଣ୍ଣାୟକ ଗେମ୍କୁ ଟାଣି ନେଇଥିଲେ। ଏହାପରେ ତୃତୀୟ ଗେମ୍ ନାଟକୀୟ ଢଙ୍ଗରେ ସବୁଠୁ ଅଧିକ ସମୟ ୪୩ ମିନିଟ୍ ଧରି ଚାଲିଥିଲା। ସେଥିରେ ଉଭୟେ ଟଣାଟଣି ହୋଇ ଏକ ସମୟରେ ୧୯-୧୯ ସ୍ଥିତିରେ ରହିଥିଲେ। ହେଲେ ଏହିଠାରୁ ୟାମାଗୁଚି ୨ ପଏଣ୍ଟ୍ ନେଇ ଗେମ୍ ଓ ମ୍ୟାଚ୍କୁ କବ୍ଜା କରିଥିଲେ। ଏଥି ସହିତ ସିନ୍ଧୁଙ୍କଠୁ ଗ୍ରୁପ୍ ପର୍ଯ୍ୟାୟ ପରାଜୟର ପ୍ରତିଶୋଧ ସହ ୟାମାଗୁଚି ମହିଳା ଏକକ ଟ୍ରଫି କରାୟତ କରିନେଲେ। ଫାଇନାଲ୍ ପର୍ଯ୍ୟନ୍ତ ଅପରାଜେୟ ରହିଥିବା ସିନ୍ଧୁ ଶେଷରେ ଉପବିଜେତା ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଲେ।