ଶୁଭୁନି ହବିଷ୍ୟାଳିଙ୍କ ହୁ‌‌ଳହୁଳି, ବାହୁନୁଛି ଦୁଦ୍‌ୱାଲା ଧର୍ମଶାଳା

ପୁରୁଣା ଭୁବନେଶ୍ୱର: ଆରମ୍ଭ ହୋଇଛି ଧର୍ମ ମାସ ମହାକାର୍ତ୍ତିକ। ତେଣୁ ହିବଷ୍ୟାଳିମାନେ ସ୍ଥାନୀୟ ଦୁଦ୍‌ୱାଲା ଧର୍ମଶାଳାରେ ଏକାଠି ହେବା କଥା। କିନ୍ତୁ ମହାମାରୀ କରୋନା ଏହା କରାଇ ଦେଲାନି। ହୁଳହୁଳିରେ ପ୍ରକମ୍ପିତ ହେବାକୁ ଥିବା ଧର୍ମଶାଳାରେ ଏବେ ଶୂନ୍‌ଶାନ୍। ଖାଁ ଖାଁ ଲାଗୁଛି ଧର୍ମଶାଳା ପରିସର। ସତେ ଯେମିତି ହବିଷ୍ୟାଳିମାନଙ୍କୁ ବାହୁନୁଛି ଧର୍ମଶାଳା।

କରୋନା କଟକଣା ଯୋଗୁଁ ଏଥର ହବିଷ୍ୟାଳିମାନଙ୍କୁ ଘରେ ରହି ବ୍ରତ ପାଳନ କରିବାକୁ ପଡ଼ିଛି। ତେଣୁ ପ୍ରତିବର୍ଷ ଏକାମ୍ର କ୍ଷେତ୍ରକୁ ଆସି ଦୁଦ୍‌ୱାଲା ଧର୍ମଶାଳାରେ ରହୁଥିବା ପ୍ରାୟ ୬୦ରୁ ଅଧିକ ହବିଷ୍ୟାଳିମାନଙ୍କୁ ଦେଖିବାକୁ ମିଳିନାହିଁ। ଏହି ମାସ ସାରା ହବିଷ୍ୟାଳିମାନଙ୍କ ନିତିଦିନିଆ କାର୍ଯ୍ୟକ୍ରମ ଧର୍ମଶାଳା ପରିସରକୁ ଚଳଚଞ୍ଚଳ କରିଥାଏ। ସେମାନେ ସକାଳୁ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜା ଆରମ୍ଭ କରନ୍ତି। ଭୋର୍‌ ୪ଟାରୁ ଉଠି ସ୍ନାନଶୌଚ ସାରି ତୁଳସୀ ଗଛ ଓ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପିଇବାପରେ ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରନ୍ତି। ଏହା ପରେ ଅନନ୍ତ ବାସୁଦେବଙ୍କ ଦର୍ଶନ ସାରି ପୁଣି ତୁଳସୀ ଚଉରା ମୂଳେ ମୁରୁଜ ପକାନ୍ତି। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ ଆଦି ଦେବଦେବୀଙ୍କ ଚିତ୍ର ଆଙ୍କନ୍ତି। ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋକୁ ପୂଜା କରିବା ସହ ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଯାଇ ଦେବ ଦର୍ଶନ କରନ୍ତି ଓ ସଞ୍ଜ ବଳିତା ଜାଳି ଆଳତି କରନ୍ତି। ଏହା ପରେ ଯାଇ ଅବଢ଼ା ସେବନ କରନ୍ତି। ତେବେ ଚଳିତ ବର୍ଷ ମହାମାରୀ କରୋନା ଦାଉ ସାଜିଛି। ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ପ୍ରତିବର୍ଷ ଆସୁଥିବା ହବିଷ୍ୟାଳି ସୁଭଦ୍ରା ରଥଙ୍କ କହିବା କଥା ଚଳିତ ବର୍ଷ କେଉଁ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରି ପାରିଲୁନାହିଁ। ଧର୍ମ ମାସକୁ ଅପେକ୍ଷା କରିଥିଲୁ। ପ୍ରତିବର୍ଷ ପରୁଣା ସାଙ୍ଗମାନଙ୍କୁ ଦେଖିବା ସୁଯୋଗ ପାଉଥିଲୁ। ମାତ୍ର ଏଥର ଦୁର୍ଭାଗ୍ୟ ତା’ ବି କରାଇ ଦେଲାନାହିଁ। ଏଥର ଘରେ ଚଉରା ମୂଳେ ମୁରୁଜ ପକାଇ ପୂଜା କରୁଛୁ ଓ ମନେ ମନେ ସାଙ୍ଗମାନଙ୍କୁ ଝୁରି ହେଉଛୁ। ଜୀବ ଥିଲେ ଆର ବର୍ଷକୁ ଲିଙ୍ଗରାଜ ମହାପ୍ରଭୁ ଏକାଠି କରାଇବେ ବୋଲି ସେ କହିଛନ୍ତି।
ସେହିଭଳି ଧର୍ମଶାଳାରୁ ବି ମିଳିଛି ଅନୁରୂପ ଚିତ୍ର। ଧର୍ମଶାଳା ପରିସରରେ ଶୁଭୁନି ବୁଢ଼ୀ ମାଉସୀମାନଙ୍କ ଆନନ୍ଦର କୋଳାହଳ। ହୁଳହୁଳି ଶବ୍ଦରେ କମ୍ପିଉଠୁଥିବା ଧର୍ମଶାଳା ଅଗଣା ଲାଗୁଛି ଖାଁ ଖାଁ। ହବିଷ୍ୟାଳିମାନଙ୍କୁ ଝୁରୁଛି ଧର୍ମଶାଳା ଅଗଣା। ଏହାର ମୁଖ୍ୟ ରଞ୍ଜନ ବଡ଼ୁଙ୍କ କହିବା କଥା ହବିଷ୍ୟାଳି ମାଉସୀମାନଙ୍କ କଥା ଭାବିଲେ ଆଖିରେ ଲୁହ ଆସିଯାଉଛି। ମାସ ସାରା ସେମାନଙ୍କ ଖୁସି ଦେଖିଲେ ପେଟ ପୂରି ଯାଉଥିଲା। ସେମାନଙ୍କ ଆପଣାର ସ୍ନେହବୋଳା କଥା ଭାରି ମନେ ପଡ଼ୁଛି। ସେମାନଙ୍କ ପାଇଁ ଧର୍ମଶାଳା ଜୀବନ୍ତ ହୋଇ ଉଠୁଥିଲା। ବର୍ଷ ସାରା ଯେତିକି ଗହଳଚହଳ ହେଉନା କାହିଁକି, କାର୍ତ୍ତିକ ମାସରେ ହବିଷ୍ୟାଳି ମାଉସୀମାନଙ୍କ ଗହଳଚହଳରେ ଥାଏ ସ୍ବତନ୍ତ୍ର ମଧୁରତା। ପୂଜା ପାଠ ପାଇଁ ମାସ ସାରା ଏଠାରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥାଏ। ବେଳେବେଳେ ସେମାନଙ୍କ ବୋଲହାକ କରି କିଛି ଧର୍ମ ଅର୍ଜନ କରିବାର ମଉକା ମିଳୁଥିଲା। କିନ୍ତୁ ଚଳିତ ବର୍ଷ ସବୁ ପିତା ହେଇଗଲା। ମାଉସୀମାନେ ଘରେ ପୂଜା କରନ୍ତୁ ଓ ପ୍ରଭୁ ଲିଙ୍ଗରାଜ ସେମାନଙ୍କୁ ଭଲରେ ରଖିଥାନ୍ତୁ ବୋଲି ଶ୍ରୀ ବଡ଼ୁ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର