ବେଙ୍ଗାଲୁରୁ: ଦଲିପ ଟ୍ରଫି ଫାଇନାଲ୍ରେ ଦକ୍ଷିଣାଞ୍ଚଳକୁ ୬ ୱିକେଟ୍ରେ ହରାଇ କେନ୍ଦ୍ରାଞ୍ଚଳ ୧୧ ବର୍ଷ ପରେ ବିଜେତା ହେବାର ଗୌରବ ଅର୍ଜନ କରିଛି। ସୋମବାର ୬୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରଜତ ପଟିଦାରଙ୍କ ନେତୃତ୍ବାଧୀନ କେନ୍ଦ୍ରାଞ୍ଚଳ ୪ ୱିକେଟ୍ ହରାଇ ଏହାକୁ ହାସଲ କରିଥିଲା। ଦକ୍ଷିଣାଞ୍ଚଳ ବୋଲର ପଞ୍ଚମ ଦିନରେ ଚମତ୍କାର ବୋଲିଂ କରିଥିଲେ ମଧ୍ୟ ବିଜୟ ଲାଗି ସ୍ବଳ୍ପ ରନ୍ ଥିବାରୁ ଦଳକୁ ବିଜୟ ଦେଇପାରି ନଥିଲେ। ଅକ୍ଷୟ ୱାଦେକର (୧୯*) ଓ ୟଶ ରାଠୋଡ଼ (୧୩*) ଅପରାଜିତ ରହି କେନ୍ଦ୍ରାଞ୍ଚଳକୁ ସପ୍ତମ ଦଲିପ ଟ୍ରଫି ଭେଟି ଦେଇଥିଲେ।
ପ୍ରଥମ ପାଳିରେ ଦକ୍ଷିଣାଞ୍ଚଳ ୧୪୯ ରନ୍ କରିଥିଲା ବେଳେ କେନ୍ଦ୍ରାଞ୍ଚଳ ୫୧୧ ରନ୍ କରି ବଡ଼ ଅଗ୍ରଣୀ ନେଇଥିଲା। ଦ୍ବିତୀୟ ପାଳିରେ ଦକ୍ଷିଣାଞ୍ଚଳ ଅପେକ୍ଷାକୃତ ଭଲ ଖେଳିଥିଲା। ୪୨୬ ରନ୍ କରି କେନ୍ଦ୍ରାଞ୍ଚଳ ସମ୍ମୁଖରେ ୬୫ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା। ପ୍ରଥମ ପାଳିରେ ଶତକ ଅର୍ଜନ କରିଥିବା କେନ୍ଦ୍ରାଞ୍ଚଳର ୟଶ ରାଠୋଡ଼ ଫାଇନାଲ୍ର ଏବଂ ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ସାରାଂଶ ଜୈନ (୧୩୬ ରନ୍, ୧୬ ୱିକେଟ୍) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।