ଦଲିପ ଟ୍ରଫି ଫାଇନାଲ୍ ଦ୍ବାରରେ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ, ସାଇ କିଶୋରଙ୍କୁ ୭ ୱିକେଟ୍‌

କୋଏମ୍ବାଟୁର/ସାଲେମ: ଦଲିପ ଟ୍ରଫି ସେମିଫାଇନାଲ୍‌ ଦ୍ବୟ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ପ୍ରାଧାନ୍ୟ ଜାରି ରହିଥିବାରୁ ଉଭୟ ଫାଇନାଲ୍ ଖେଳିବା ଦ୍ବାରରେ ପହଞ୍ଚିଯାଇଛନ୍ତି। ରବିବାର ଚତୁର୍ଥ ତଥା ଶେଷ ଶେଷ ଦିବସ ଥିବାରୁ ଏହି ଦୁଇ ଦଳ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ରହିଛି। କୋଏମ୍ବାଟୁରଠାରେ ପ୍ରଥମ ସେମିଫାଇନାଲ୍‌ରରେ କେନ୍ଦ୍ରାଞ୍ଚଳ ସମ୍ମୁଖରେ ୫୦୧ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ପଶ୍ଚିମାଞ୍ଚଳ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କେନ୍ଦ୍ରାଞ୍ଚଳ ୩୩ ରନ୍‌ରେ ୨ ୱିକେଟ୍ ହରାଇ ଦେଇଛି। ଶନିବାର ପଶ୍ଚିମାଞ୍ଚଳ ୧୩୦/୩ରୁ ଖେଳି ଦ୍ବିତୀୟ ପାଳିରେ ୩୭୧ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ପୃଥୀ ସ’ (୧୪୨)ଙ୍କ ପରେ ହେଟ୍ ପଟେଲ୍ (୬୭) କେବଳ ଅର୍ଦ୍ଧଶତକ ଅତିକ୍ରମ କରିଥିଲେ। ଅର୍ମାନ ଜାଫର ମାତ୍ର ଗୋଟିଏ ରନ୍‌ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। କୁମାର କାର୍ତ୍ତିକେୟ ୩ ଏବଂ ଅଙ୍କିତ ରାଜପୁତ, ଗୌରବ ଯାଦବ, କରଣ ଶର୍ମା ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ପୂର୍ବରୁ ପ୍ରଥମ ପାଳିରେ ପଶ୍ଚିମାଞ୍ଚଳର ୨୫୭ ରନ୍ ଜବାବରେ କେନ୍ଦ୍ରାଞ୍ଚଳ ୧୨୮ ରନ୍‌ କରି ସୁଯୋଗ ହାତଛଡ଼ା କରିଥିଲା।

ସାଲେମରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଉତ୍ତରାଞ୍ଚଳ ପ୍ରଥମ ପାଳିକୁ ୨୦୭ ରନ୍‌ରେ ଶେଷ କରି ୪୨୩ ରନ୍‌ର ବିଶାଳ ଅଗ୍ରଣୀ ନେଇଥିଲେ ମଧ୍ୟ ଫଲୋଅନ୍‌ ଡାକି ନାହିଁ ଦକ୍ଷିଣାଞ୍ଚଳ। ୩ଟି ଶତକ ବଳରେ ଦକ୍ଷିଣାଞ୍ଚଳ ୬୩୦/୮ରେ ପାଳି ଘୋଷଣା କରିଥିଲା। ଶନିବାର ଏହାର ବୋଲରମାନେ ୬୭ ଓଭର ଭିତରେ ଉତ୍ତରାଞ୍ଚଳର ସମସ୍ତ ୱିକେଟ୍‌ ଦଖଲ କରିନେଇଥିଲେ। ତାମିଲ ବାମହାତୀ ସ୍ପିନର୍‌ ରବି ଶ୍ରୀନିବାସନ ସାଇ କିଶୋର (୨୫-୪-୭୦-୭) ପ୍ରଭାବୀ ବୋଲିଂ କରିଥିଲେ। କ୍ରିଷ୍ଣାପ୍ପା ଗୌତମ (୨/୬୮) ଓ ତନୟ ତ୍ୟାଗରାଜନ (୧/୨୨) ଅବଶିଷ୍ଟ ୩ ୱିକେଟ୍ ଅକ୍ତିଆର କରିଥିଲେ। ଫଲୋଅନ୍ ନ ଡାକି ବ୍ୟାଟିଂ କରିଥିବା ଦକ୍ଷିଣାଞ୍ଚଳ ତୃତୀୟ ଦିନ ଶେଷ ସୁଦ୍ଧା ୧ ୱିକେଟ୍‌ ବିନିମୟରେ ୧୫୭ ରନ୍‌ ସଂଗ୍ରହ କରିଛି। ପ୍ରଥମ ପାଳି ଶତକ (୧୪୩) ପରେ ରୋହନ କନୁମ୍ମଲ (୭୭) ଦ୍ବିତୀୟ ପାଳିରେ ଶତକରୁ ବଞ୍ଚିତ ହୋଇଛନ୍ତି। ମୟଙ୍କ ଅଗ୍ରୱାଲ ପ୍ରଥମ ପାଳିରେ ଅର୍ଦ୍ଧଶତକରୁ ବଞ୍ଚିତ (୪୯) ହୋଇଥିଲେ ମଧ୍ୟ ଦ୍ବିତୀୟ ପାଳିରେ ୫୩ ରନ୍‌ରେ ଅପରାଜିତ ଅଛନ୍ତି। ତୃତୀୟ ଦିନ ଖେଳ ‌ଶେଷ ବେଳକୁ ମୟଙ୍କଙ୍କ ସହିତ ରବି ତେଜା (୧୯*) ବ୍ୟାଟିଂ କରୁଥିଲେ।

ସମ୍ବନ୍ଧିତ ଖବର