ବେଙ୍ଗାଲୁରୁ: ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ଚାଲିଥିବା ଅନ୍ତଃଜୋନ୍ ଦଲୀପ ଟ୍ରଫି ଫାଇନାଲ୍ର ଦ୍ବିତୀୟ ଦିନରେ ଦକ୍ଷିଣାଞ୍ଚଳ ୨୧୩ ରନ୍ରେ ଅଲଆଉଟ୍ ହୋଇଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ପଶ୍ଚିମାଞ୍ଚଳ ୧୨୯/୭ରେ ପାଳି ରକ୍ଷା ପାଇଁ ସଂଘର୍ଷ କରୁଛି। କେବଳ ପୃଥ୍ବୀ ସ’ ଏକମାତ୍ର ସଫଳ ବ୍ୟାଟର ଭାବେ ୬୩ ରନ୍ କରି ଦଳକୁ ଶତକ ପାର୍ କରାଇଥିଲେ। ହେଲେ ଚେତେଶ୍ବର ପୂଜାରା (୯), ସୂର୍ଯ୍ୟକୁମାର ଯାଦବ (୮), ସର୍ଫରାଜ ଖାନ୍ (୦) ନିରାଶ କରିବାକୁ ପଶ୍ଚିମାଞ୍ଚଳ ମଧ୍ୟକ୍ରମ ଭୁଷୁଡ଼ି ଯାଇଛି। ବିଦ୍ବାଥ କାଭିରପ୍ପା ୪୪ ରନ୍ ବିନିମୟରେ ୪ ୱିକେଟ୍ ଅକ୍ତିଆର କରିଥିଲା ବେଳେ ବିଜୟ କୁମାର ବୈଶାକ ୨, ବାସୁକି କୌଶିକ ୧ ୱିକେଟ୍ ଅକ୍ତିଆର କରିଛନ୍ତି। ଏଥିପୂର୍ବରୁ ୧୮୨/୭ ରୁ ଦକ୍ଷିଣାଞ୍ଚଳ ଖେଳିବା ଆରମ୍ଭ କରିଥିଲା। ଅପରାଜିତ ବ୍ୟାଟର ୱାସିଂଟନ୍ ସୁନ୍ଦର ଶେଷ ପର୍ଯ୍ୟନ୍ତ ପିଚ୍ରେ ଉପସ୍ଥିତ ରହି ୨୨* ରନ୍ର ଯୋଗଦାନ କରିଥିଲେ।
ଜାଫରଙ୍କୁ ଟପିଲେ ପୂଜାରା
ଚେତେଶ୍ବର ପୂଜାରା ଭାରତୀୟଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସର୍ବାଧିକ ରନ୍ କରିବାରେ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ଦଲୀପ ଟ୍ରଫି ଫାଇନାଲ୍ରେ ସେ ୫ ରନ୍ କରିଥିଲା ବେଳେ ୱାସିମ୍ ଜାଫରଙ୍କ ୧୯୪୧୦ ପ୍ରଥମ ଶ୍ରେଣୀ ରନ୍କୁ ପାର୍ (୧୯୪୧୪ ରନ୍) କରିଥିଲେ। ଏହି ତାଲିକାରେ ସୁନୀଲ ଗାଭାସ୍କର (୨୫୮୩୪), ସଚିନ ତେନ୍ଦୁଲକର (୨୫୩୯୬), ରାହୁଲ ଦ୍ରାବିଡ (୨୩୭୯୪), ଭିଭିଏସ୍ ଲକ୍ଷ୍ମଣ (୧୯୭୩୦) ପୂଜାରାଙ୍କ ଉପରେ ଅଛନ୍ତି। ଅନ୍ୟପକ୍ଷରେ ସେମିଫାଇନାଲ୍ରେ ପୂଜାରା ୬୦ତମ ପ୍ରଥମ ଶ୍ରେଣୀ ଶତକ ଅର୍ଜନ କରି ବିଜୟ ହଜାରେଙ୍କ ସମକକ୍ଷ ହୋଇଥିଲେ।