ଦଲିପ ଟ୍ରଫି: ଫାଇନାଲ୍‌ରେ ଦକ୍ଷିଣାଞ୍ଚଳ-ପଶ୍ଚିମାଞ୍ଚଳ

କୋଏମ୍ବାଟୁର/ସାଲେମ: ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ଦଲିପ ଟ୍ରଫି ଫାଇନାଲ୍‌ରେ ମୁହାଁମୁହିଁ ହେବେ। ରବିବାର ଶେଷ ହୋଇଥିବା ଉଭୟ ସେମିଫାଇନାଲ୍‌ରେ ଦକ୍ଷିଣାଞ୍ଚଳ ୬୪୫ ରନ୍‌ରେ ଉତ୍ତରାଞ୍ଚଳକୁ ଏବଂ ପଶ୍ଚିମାଞ୍ଚଳ ୨୭୯ ରନ୍‌ରେ କେନ୍ଦ୍ରାଞ୍ଚଳକୁ ପରାସ୍ତ କରି ଟ୍ରଫି ମୁକାବିଲା‌ରେ ଅବତୀର୍ଣ୍ଣ ହୋ‌ଇଛନ୍ତି। ଦକ୍ଷିଣାଞ୍ଚଳର ବିଜୟ ବ୍ୟବଧାନ ଭାରତୀୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଅନ୍ୟତମ ବୃହତ୍‌ ବିଜୟ ହୋଇଛି। ଆସନ୍ତା ୨୧ରୁ କୋଏମ୍ବାଟୁର୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ତେବେ ସେମିଫାଇନାଲ୍‌ ୪ ଦିନିଆ ରହିଥିଲା ବେଳେ ଫାଇନାଲ୍‌ କିନ୍ତୁ ୫ ଦିନିଆ ହେବ।

କୋଏମ୍ବାଟୁରଠାରେ ପ୍ରଥମ ସେମିଫାଇନାଲ୍‌ରରେ କେନ୍ଦ୍ରାଞ୍ଚଳ ସମ୍ମୁଖରେ ୫୦୧ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ଏହି ଦଳ କିନ୍ତୁ ୨୨୧ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ରିଙ୍କୁ ସିଂହ (୬୫) ଅର୍ଦ୍ଧଶତକ ଜମାଇଥିଲେ ମଧ୍ୟ ସାମ୍‌ସ ମୁଲାନିଙ୍କ ୫ ୱିକେଟ୍‌ ଦଖଲ ବଳରେ ପଶ୍ଚିମାଞ୍ଚଳ ୨୭୯ ରନ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତି ନେଇଥିଲା। ପଶ୍ଚିମାଞ୍ଚଳ ଉଭୟ ପାଳିରେ ଯଥାକ୍ରମେ ୨୫୭ ଓ ୩୭୧ ରନ୍‌ କରିଥିଲା ବେଳେ କେନ୍ଦ୍ରାଞ୍ଚଳ ପ୍ରଥମ ପାଳି ୧୨୮ ରନ୍‌ରେ ଶେଷ ହୋଇଯାଇଥିଲା। ପୃଥ୍ବୀ ସ’ (୬୦ ଓ ୧୪୨) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସାଲେମରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣାଞ୍ଚଳ ଏହାର ଉଭୟ ପାଳିକୁ ୬୩୦/୮ ଏବଂ ୩୧୬/୪ରେ ଘୋଷଣା କରିଥିଲା। ଜବାବରେ ପ୍ରଥମ ପାଳିରେ ୨୦୭ ରନ୍‌ କରିଥିବା ଉତ୍ତରାଞ୍ଚଳ ଦ୍ବିତୀୟ ପାଳିରେ ମାତ୍ର ୯୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ୟାଶ୍‌ ଧୂଲ୍ (୫୯) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ ଆର୍‌ ସାଇ କିଶୋର (୭+୩) ମ୍ୟାଚ୍‌ରେ ୧୦ ୱିକେଟ୍‌ ଦଖଲ କରି ଦକ୍ଷିଣାଞ୍ଚଳର ବୃହତ୍‌ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ। ଏହି ତାମିଲ ବାମହାତୀ ସ୍ପିନର୍‌ ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଥିଲେ। ଉତ୍ତରାଞ୍ଚଳ ଦ୍ବିତୀୟ ପାଳିରେ କୃଷ୍ଣପ୍ପା ଗୌତମ ଏବଂ ତନୟ ତ୍ୟାଗରାଜନ ମଧ୍ୟ ୩ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର