ବେଙ୍ଗାଲୁରୁ: ଦଲିପ ଟ୍ରଫି ଘରୋଇ କ୍ରିକେଟ୍‌ ପ୍ରତିଯୋଗିତାର ନୂଆ ଫର୍ମାଟରେ ପ୍ରଥମ ବିଜୟ ପାଇଛି ଭାରତ ‘ସି’। ଋତୁରାଜ ଗାଏକ୍ବାଡ୍‌ଙ୍କ ଏହି ଦଳ ତୃତୀୟ ଦିନରେ ରୋମାଞ୍ଚକ ଭାବେ ୪ ୱିକେଟ୍‌ରେ ଶ୍ରେୟସ ଆୟରଙ୍କ ଭାରତ ‘ଡି’କୁ ପରାସ୍ତ କରିଛି। ଅନ୍ୟ ମୁକାବିଲାରେ ଶୁବମନ ଗିଲଙ୍କ ଭାରତ ‘ଏ’ ବିପକ୍ଷରେ ଅଭିମନ୍ୟୁ ଈଶ୍ବରନଙ୍କ ଭାରତ ‘ବି’ ଭଲ ସ୍ଥିତିରେ ରହିଛି। 

Advertisment

ଅନନ୍ତପୁରରେ ଖେଳାଯାଇଥିବା ମ୍ୟାଚ୍‌ରେ ଶନିବାର ଭାରତ ‘ଡି’ର ଦ୍ବିତୀୟ ପାଳି ୧୦୬/୮ରୁ ଆରମ୍ଭ ହୋଇ ୨୩୬ ରନ୍‌ରେ ଶେଷ ହୋଇଯାଇଥିଲା। ଫଳରେ ପ୍ରଥମ ପାଳିରେ ମାତ୍ର ୪ ରନ୍‌ ଅଗ୍ରଣୀ ପାଇଥିବା ଭାରତ ‘ସି’ ସମ୍ମୁଖରେ ୨୩୩ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। ଶୀର୍ଷକ୍ରମଙ୍କ ଦାୟିତ୍ବପୂର୍ଣ୍ଣ ଅବଦାନ କାରଣରୁ ଦଳ ୬ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଅଧିନାୟକ ଋତୁରାଜ ଗାଏକ୍ବାଡ (୪୬)ଙ୍କ ସହ ଆର୍ଯ୍ୟନ ଜୁୟାଲ (୪୭), ରଜତ ପଟିଦାର (୪୪), ଅଭିଷେକ ପୋରେଲ୍ (୩୫*), ମାନବ ସୁତାର (୧୯*) ଦଳର ବିଜୟ ସୁ‌ଯୋଗ ହାତଛଡ଼ା କରି ନଥିଲେ। ସାରାଂଶ ଜୈନ ୪ ୱିକେଟ୍‌ ନେଇ ସୁଯୋଗ ଦେଇଥିଲେ ମଧ୍ୟ ଏହା ସଫଳ ହୋଇ ନଥିଲା। ମାନବ ସୁତାର (୧, ୧/୩୪, ୭/୪୯, ୧୯*) ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ପାଇଛନ୍ତି।

ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀରେ ଚାଲିଥିବା ମ୍ୟାଚ୍‌ର ଦ୍ବିତୀୟ ପାଳିରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ଭାରତ ‘ବି’ ଦୃଢ଼ ସ୍ଥିତିରେ ରହିଛି। ଭାରତ ‘ଏ’ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ୯୦ ରନ୍ ଅଗ୍ରଣୀ ପାଇଥିବା ଭାରତ ‘ବି’ ଦ୍ବିତୀୟ ପାଳିରେ ତୃତୀୟ ଦିନ ସୁଦ୍ଧା ୧୫୦ ରନ୍‌ରେ ୬ ୱିକେଟ୍ ହରାଇ‌ ଦେଇଛି। ଫଳରେ ହାତରେ ୪ ୱିକେଟ୍ ଥାଇ ଭାରତ ‘ବି’ ୨୪୦ ରନ୍ ଆଗୁଆ ରହିଛି। ରବିବାର ଶେଷ ଦିନରେ ଏହି ମ୍ୟାଚ୍‌ରୁ ଫଳାଫଳ ବାହାରିବା ସମ୍ଭାବନା ରହିଛି। ଭାରତ ‘ବି’ ଦ୍ବିତୀୟ ପାଳିରେ ଋଷଭ ପନ୍ତ୍ (୪୭ ବଲ୍‌ରୁ ୬୧ ରନ୍) ଓ ସର୍ଫରାଜ ଖାନ୍ (୩୬ ବଲ୍‌ରୁ ୪୬ ରନ୍) ଦ୍ରୁତ ବ୍ୟାଟିଂ କରି ସମ୍ଭାବନା ସୃଷ୍ଟି କରିଛନ୍ତି। ପ୍ରଥମ ପାଳିରେ ୧୮୧ ରନ୍‌ର ନିର୍ଣ୍ଣାୟକ ପାଳି ଖେଳିଥିବା ସର୍ଫରାଜଙ୍କ ସାନ ଭାଇ ମୁସୀର ଖାନ୍ କିନ୍ତୁ ଦ୍ବିତୀୟ ପାଳିରେ ଖାତା ଖୋଲି ପାରି ନଥିଲେ। ପ୍ରଥମ ପାଳିରେ ଭାରତ ‘ବି’ ୩୨୧ ରନ୍ କରିଥିବା ବେଳେ ଭାରତ ‘ଏ’ ୨୩୧ ରନ୍ କରିଥିଲା।