ବେଙ୍ଗାଲୁରୁ: ନୂଆ ଫର୍ମାଟ୍‌ରେ ଗୁରୁବାରଠାରୁ ଦଲିପ ଟ୍ରଫି ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଭୟ ମ୍ୟାଚ୍‌, ବୋଲର୍‌ଙ୍କ ପ୍ରାଧାନ୍ୟ ଭିତରେ ରହିଥିବା ବେଳେ ମୁସୀର ଖାନ୍‌ ଶତକ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ମୁସୀରଙ୍କ ଶତକ (୧୦୫*, ୨୨୭ ବଲ୍‌, ୧୦ ଚୌକା, ୨ ଛକା) ସ‌ତ୍ତ୍ବେ ଭାରତ ‘ବି’ ପ୍ରଥମ ଦିନ ଖେଳରେ ୭ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଛି। ପ୍ରାରମ୍ଭିକ ଯୋଡ଼ି ଯଶସ୍ବୀ ଜୟସ୍ବାଲ (୩୦), ଅଭିମନ୍ୟୁ ଈଶ୍ବରନ (୧୩) ବିଦାୟ ନେବା ପରେ ମୁସୀର ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଛନ୍ତି। ମୁସୀରଙ୍କ ଭାଇ ସର୍ଫରାଜ (୯)ଙ୍କ ସହ ଋଷଭ ପନ୍ତ (୭), ନୀତିଶ ରେଡ୍ଡୀ (୦), ୱାସିଂଟନ୍ ସୁନ୍ଦର (୦) ପ୍ରମୁଖ ବିଫଳ ହୋଇଥିଲେ। ପ୍ରତିପକ୍ଷ ଭାରତ ‘ଏ’ ପାଇଁ ଖଲିଲ୍ ଅହମ୍ମଦ, ଆୱେସ ଖାନ୍, ଶିବମ ଦୁବେ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି।

Advertisment

ଅନନ୍ତପୁରରେ ଖେଳାଯାଉଥିବା ଦ୍ବିତୀୟ ମ୍ୟାଚ୍‌ରେ କିନ୍ତୁ ଭାରତ ‘ଡି’ ପ୍ରଥମ ପାଳିକୁ ଭାରତ ‘ସି’ ବୋଲରମାନେ ମାତ୍ର ୧୬୪ ରନ୍‌ରେ ଶେଷ କରି ଦେଇଛନ୍ତି। ୩୪ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇ ଶ୍ରେୟସ ଆୟରଙ୍କ ଭାରତ ‘ଡି’ ଗଭୀର ସଙ୍କଟରେ ପଡ଼ିଥିବା ବେଳେ ଅକ୍ଷର ପଟେଲ୍‌ (୧୧୮ ବଲ୍‌ରୁ ୮୬ ରନ୍, ୬ ଚୌକା, ୬ ଛକା) ଏକ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରି କିଛିଟା ସମ୍ମାନ ରଖିଛନ୍ତି। ବିଜୟ କୁମାର ବୈଶାକ (୩/୧୯), ହିମାଂଶୁ ଚୌହାନ (୨/୨୨), ଅଂଶୁଲ କମ୍ବୋଜ (୨/୪୭), ହ୍ରିତିକ ସୋକିନ୍‌ (୧/୩୨), ମାନବ ସୁତାର (୧/୩୪) ୱିକେଟ୍ ବାଣ୍ଟି ନେଇଥିଲେ। ‘ଡ଼ି’ ଦଳରେ ଥିବା ଦେବଦତ୍ତ ପଡ଼ିକଲ ଖାତା ଖୋଲି ପାରି ନଥିବାବେଳେ ଅଧିନାୟକ ଶ୍ରେୟସ ଆୟର ୯, ୟାଶ ଦୁବେ ୧୦, ଶ୍ରୀକର ଭରତ ୧୩, ରିକି ଭୁଇ ୪ ରନ୍‌ କରି ବିଫଳ ‌ହୋଇଥିଲେ। ଜବାବରେ ଭାରତ ‘ସି’ ଦଳ ପ୍ରଥମ ଦିନ ଖେଳ ଶେଷ ବେଳକୁ ୪ ୱିକେଟ୍ ହରାଇ ୯୧ ରନ୍ ସଂଗ୍ରହ କରିଛି। ଅଧିନାୟକ ଋତୁରାଜ ଗାଏକ୍ବାଡଙ୍କ ସହ ସାଇ ସୁଦର୍ଶନ, ଆର୍ଯ୍ୟନ ଜୁୟାଲ, ରଜତ ପଟିଦାର ବିଫଳ ହେବା ପରେ ବାବା ଇନ୍ଦ୍ରଜିତ (୧୫*) ଓ ଅଭିଷେକ ପୋରେଲ୍ (୩୨*) ପାଳି ସମ୍ଭାଳିଛନ୍ତି। ଭାରତ ‘ଡି’ ପକ୍ଷରୁ ହର୍ଷିତ ରାଣା (୨/୧୩) ଓ ଅକ୍ଷର ପଟେଲ୍ (୨/୧୬) ସଫଳ ବୋଲର ରହିଛନ୍ତି।