ବେଙ୍ଗାଲୁରୁ: ଦଲିପ ଟ୍ରଫି ଅନ୍ତଃଜୋନ୍ କ୍ରିକେଟ୍ ପ୍ରତିଯୋଗିତାର ଉଭୟ ସେମିଫାଇନାଲ୍ ନିର୍ଣ୍ଣାୟକ ମୁହାଁ ହୋଇଛି।‌ ବେଙ୍ଗାଲୁରୁରେ ଉତ୍ତରାଞ୍ଚଳ ବିପକ୍ଷରେ ଦକ୍ଷିଣାଞ୍ଚଳ ପ୍ରତ୍ୟାବର୍ତନ କରିଛି। ଆଲୁ‌ରରେ ପଶ୍ଚିମାଞ୍ଚଳ କିନ୍ତୁ ବୃହତ ଅଗ୍ରଣୀ ସହିତ ସ୍ଥିତି ଦୃଢ଼ କରିନେଇଛି।

Advertisment

ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ୍‌ରେ ଦକ୍ଷିଣାଞ୍ଚଳ ସମ୍ମୁଖରେ ୨୧୫ ରନ୍‌ର ସହଜ ବିଜୟ ଲକ୍ଷ୍ୟ ରହିଛି। ବିଜୟ କୁମାର ବୈଶାଖଙ୍କ ୫ ୱିକେଟ୍ ଦଖଲ କାରଣରୁ ଦକ୍ଷିଣାଞ୍ଚଳର ବୋଲରମାନେ ଶୁକ୍ରବାର ଉତ୍ତରାଞ୍ଚଳର ଦ୍ବିତୀୟ ପାଳିକୁ ୨୧୧ ରନ୍‌ରେ ଶେଷ କରି ଦେଇଥିଲେ। ସାଇ କିଶୋର (୩) ଏବଂ ବିଦ୍ବତ କାଭେରପ୍ପା (୨) ମିଳିତ ଭାବେ ଅବଶିଷ୍ଟ ୫ ୱିକେଟ୍ ଦଖଲ କରି ନେଇଥିଲେ। ଉତ୍ତରାଞ୍ଚଳ ପାଇଁ ୱିକେଟରକ୍ଷକ ବ୍ୟାଟର୍‌ ପ୍ରଭସିମ୍ରନ ସିଂହ କେବଳ ଅର୍ଦ୍ଧଶତକ (୬୩) ହାସଲ କରିଥିବାବେଳେ ନିମ୍ନକ୍ରମରେ ହର୍ଷିତ ରାଣା ୩୮ ରନ୍‌ର ପାଳି ଖେଳିବାରୁ ଦଳ ୨୦୦ ଅତିକ୍ରମ କରି ପାରିଥିଲା। ‌ପ୍ରଥମ ପାଳିରେ ମାତ୍ର ୩ ରନ୍‌ ପଛରେ ପଡ଼ିଥିବା ଦକ୍ଷିଣାଞ୍ଚଳ ଏବେ ୨୧୫ ରନ୍‌ ବିଜୟ ଲକ୍ଷ୍ୟକୁ ପିଛା କରି ତୃତୀୟ ଦିବସ ଶେଷ ସୁଦ୍ଧା କୌଣସି ୱିକେଟ୍‌ ନ ହରାଇ ୨୧ ରନ୍ ସଂଗ୍ରହ କରିଛି। ସାଇ ସୁଦର୍ଶନ (୫*) ଏବଂ ମୟଙ୍କ ଅଗ୍ରୱାଲ୍ (୧୫*) ବ୍ୟାଟିଂ କରୁଛନ୍ତି। ପୂର୍ବରୁ ପ୍ରଥମ ପାଳିରେ ଉତ୍ତରାଞ୍ଚଳର ୧୯୮ ରନ୍ ଜବାବରେ ଦକ୍ଷିଣାଞ୍ଚଳ ୧୯୫ ରନ୍‌ କରିଥିଲା।

କର୍ଣ୍ଣାଟକର ଆଲୁରଠାରେ ଚାଲିଥିବା ପ୍ରଥମ ସେମିଫାଇନାଲ୍‌ରେ ପଶ୍ଚିମାଞ୍ଚଳ ହାତରେ ମାତ୍ର ୧ ୱିକେଟ୍‌ ଥିଲେ ମଧ୍ୟ ୩୮୪ ରନ୍‌ରେ ଆଗୁଆ ହୋଇ ସ୍ଥିତି ଦୃଢ଼ କରିନେଇଛି। ଚେତେଶ୍ବର ପୂଜାରାଙ୍କ ଶତକ ଶତକ (୨୭୮ ବଲ୍‌ରୁ ୧୩୩ ରନ୍‌) ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ (୫୮ ବଲ୍‌ରୁ ୫୨ ରନ୍‌) ବଳରେ ତୃତୀୟ ଦିନ ଶେଷ ସୁଦ୍ଧା ପଶ୍ଚିମାଞ୍ଚଳ ତୃତୀୟ ଦିନ ଶେଷ ସୁଦ୍ଧା ୯ ୱିକେଟ୍‌ ହରାଇ ୨୯୨ ରନ୍ ସଂଗ୍ରହ କରିଛି। ସୌରଭ କୁମାର ୪, ସାରାଂଶ ଜୈନ ୩, ୟାଶ ଠାକୁର ୧ ୱିକେଟ୍‌ ଅକ୍ତିଆର କରିଛନ୍ତି। ପୂଜାରା ରନ୍‌ ଆଉଟ୍ ହୋଇଥିଲେ। ପୂର୍ବରୁ ପଶ୍ଚିମାଞ୍ଚଳ ପ୍ରଥମ ପାଳିରେ ୨୨୦ ରନ୍‌ କରିବା ପରେ କେନ୍ଦ୍ରାଞ୍ଚଳକୁ ମାତ୍ର ୧୨୮ ରନ୍‌ରେ ରୋକି ଦେଇଥିଲା।

ବିଜୟ ହଜାରେଙ୍କ ସହ ପୂଜାରା ସମକକ୍ଷ

ଆଲୁରଠାରେ ଚାଲିଥିବା ଦଲିପ ଟ୍ରଫି ପ୍ରଥମ ସେମିଫାଇନାଲ୍‌ରେ କେନ୍ଦ୍ରାଞ୍ଚଳ ବିପକ୍ଷରେ ଆକର୍ଷଣୀୟ ଶତକ (୧୩୩ ରନ୍‌) ହାସଲ କରିବା ପରେ ଟେଷ୍ଟ୍ ଦଳରୁ ବିତାଡ଼ିତ ଚେତେଶ୍ବର ପୂଜାରା ଏକ ରେକର୍ଡର ସମକକ୍ଷ ହୋଇଛନ୍ତି। ପୂଜାରାଙ୍କର ଏହା ଥିଲା ୬୦ତମ ପ୍ରଥମ ଶ୍ରେଣୀ ଶତକ। ପୂର୍ବତନ ଭାରତୀୟ ଅଧିନାୟକ ବିଜୟ ହଜାରେ ମଧ୍ୟ ପ୍ରଥମ ଶ୍ରେଣୀରେ ୬୦ ଶତକ ମାରିଥିଲେ। ଶୁକ୍ରବାର ସୌରଭ କୁମାରଙ୍କୁ ଦୁଇଟି ଚୌକା ମାରି ପୂଜାରା ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏହି ଟେଷ୍ଟ୍‌ ସ୍ପେଶାଲିଷ୍ଟ ୧୩୩ ରନ୍‌ରେ ରନ୍‌ ଆଉଟ୍ ‌ହୋଇଯାଇଥିଲେ। ୨୭୮ ବଲ୍‌ ଖେଳି ୧୪ ଚୌକା ଓ ୧ ଛକା ମାରିଥିଲେ। ଟେଷ୍ଟ୍ ଦଳରୁ ବାଦ୍ ପଡ଼ିବା ପରେ ଚଳିତ ସେମିଫାଇନାଲ୍‌ର ପ୍ରଥମ ପାଳିରେ ମାତ୍ର ୨୮ ରନ୍‌ କରିଥିଲେ ମଧ୍ୟ ଦ୍ବିତୀୟ ପାଳି‌ରେ ଶତକ ଜମାଇ ଏହାର ଭରଣା କରିଛନ୍ତି।