ବେଙ୍ଗାଲୁରୁ: ଚତୁର୍ଦଶ ଥର ଲାଗି ଦକ୍ଷିଣାଞ୍ଚଳ ଅନ୍ତଃଜୋନ୍ ଘରୋଇ କ୍ରିକେଟ୍ ପ୍ରତିଯୋଗିତା ଦଲିପ ଟ୍ରଫି ବିଜେତା ହୋଇଛି। ସ୍ଥାନୀୟ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ରେ ଏହି ଦଳ ୭୫ ରନ୍ରେ ପଶ୍ଚିମାଞ୍ଚଳକୁ ମାତ୍ ଦେଇଛି। ରବିବାର ଶେଷ ଦିନରେ ପଶ୍ଚିମାଞ୍ଚଳକୁ ୧୧୬ ରନ୍ ଏବଂ ଦକ୍ଷିଣାଞ୍ଚଳକୁ ୫ ୱିକେଟ୍ ଆବଶ୍ୟକ ଥିଲା। ପଶ୍ଚିମାଞ୍ଚଳର ଶେଷ ୫ ୱିକେଟ୍କୁ ମାତ୍ର ୪୦ ରନ୍ରେ ଝାଡ଼ି ଦକ୍ଷିଣାଞ୍ଚଳ ଟ୍ରଫି କରାୟତ୍ତ କରିନେଇଥିଲା। ଏଥିସହ ପଶ୍ଚିମାଞ୍ଚଳଠୁ ୨୦୨୨ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା ଦକ୍ଷିଣାଞ୍ଚଳ। ବିଦ୍ବତ କାଭେରାପ୍ପା ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
୨୯୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଶ୍ଚିମାଞ୍ଚଳ ରବିବାର ଗତକାଲିର ସ୍କୋର୍ ୧୮୨/୫ରୁ ଖେଳ ଆରମ୍ଭ କରି ୨୨୨ରେ ଅଲ୍ଆଉଟ୍ ହୋଇଯାଇଥିଲା। ଦକ୍ଷିଣାଞ୍ଚଳ ବାମହାତୀ ସ୍ପିନର ଆର୍ ସାଇ କିଶୋର (୪/୫୭) ଏବଂ ଦ୍ରୁତ ବୋଲର ବାସୁକି କୌଶିକ (୪/୩୬) ମିଳିତ ଭାବେ ୮ ୱିକେଟ୍ ନେଇଥିଲେ। ୯୨ ରନ୍ରୁ ଖେଳ ଆରମ୍ଭ କରିଥିବା ପଶ୍ଚିମାଞ୍ଚଳ ଅଧିନାୟକ ପ୍ରିୟଙ୍କ ପାଞ୍ଚାଲ ଏଥିରେ ମାତ୍ର ୩ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ। ଏହାପରେ ଅତୀତ ସେଠ (୯) ଓ ଧର୍ମେନ୍ଦ୍ରସିଂହ ଜାଦେଜା (୧୫) ଅଷ୍ଟମ ୱିକେଟ୍ରେ ୨୩ ରନ୍ ଦଳୀୟ ସ୍କୋର୍ ୨୦୦ ପାର୍ କରିଥିଲେ। କିନ୍ତୁ ଦଳକୁ ବିଜୟ ଦେଇପାରିନଥିଲେ। ପୂର୍ବରୁ ପ୍ରଥମ ପାଳିରେ ଦକ୍ଷିଣାଞ୍ଚଳ ୨୧୩ ରନ୍ କରିଥିଲା ବେଳେ ପଶ୍ଚିମାଞ୍ଚଳକୁ ୧୪୬ରେ ଅଟକାଇଥିଲା। ୬୭ ରନ୍ରେ ଆଗୁଆ ଥିବା ହନୁମା ବିହାରୀଙ୍କ ନେତୃତ୍ବାଧୀନ ଦକ୍ଷିଣାଞ୍ଚଳ ଦ୍ବିତୀୟ ପାଳିରେ ୨୩୦ ରନ୍ କରିଥିଲା।
ସଂକ୍ଷିପ୍ତ ସ୍କୋର: ଦକ୍ଷିଣାଞ୍ଚଳ ପ୍ରଥମ ପାଳି: ୨୧୩ (ହନୁମା ବିହାରୀ-୬୫, ସାମ୍ସ ମୁଲାନି-୩/୨୯, ଚିନ୍ତନ ଗାଜା-୨/୨୭, ଧର୍ମେନ୍ଦ୍ରସିଂହ ଜାଦେଜା-୨/୩୩, ଆର୍ଜାନ ନାଗ୍ବାସୱାଲା-୨/୬୨)। ପଶ୍ଚିମାଞ୍ଚଳ ପ୍ରଥମ ପାଳି: ୧୪୬ (ପୃଥ୍ବୀ ସ’-୬୫, ବିଦ୍ବତ କାଭେରାପ୍ପା-୭/୫୩, ବିଜୟକୁମାର ବୈଶାଖ-୨/୩୩)। ଦକ୍ଷିଣାଞ୍ଚଳ ଦ୍ବିତୀୟ ପାଳି: ୨୩୦ (ହନୁମା ବିହାରୀ-୪୨, ଧର୍ମେନ୍ଦ୍ରସିଂହ ଜାଦେଜା-୫/୪୦, ଅତୀତ ସେଠ-୨/୩୮, ଆର୍ଜାନ ନାଗ୍ବାସୱାଲା-୨/୬୮)। ପଶ୍ଚିମାଞ୍ଚଳ ଦ୍ବିତୀୟ ପାଳି: ୮୪.୨ ଓଭରରେ ୨୨୨ (ପ୍ରିୟଙ୍କ ପାଞ୍ଚାଲ-୯୫, ସର୍ଫରାଜ ଖାନ-୪୮, ବାସୁକି କୌଶିକ୍-୪/୩୬, ସାଇ କିଶୋର-୪/୫୭)।