ଚର୍ଚାରେ ନକଲି ଧାୱନ ‘ରାମ ବାହାଦୁର’, ଧାୱନଙ୍କ ଭଳି ଲମ୍ବା ନିଶ ଓ ଛୋଟ ଚୁଟି ରଖନ୍ତି

ପୁଅ ନାଁ ରଖିଛନ୍ତି ଜୋରାବର, ଧାୱନଙ୍କ ଜନ୍ମଦିନରେ କେକ୍ କାଟନ୍ତି, ଗରିବଙ୍କୁ ଚାଦର ବାଣ୍ଟନ୍ତି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନିଜ ବିନ୍ଦାସ ଜୀବନ ଶୈଳୀ ପାଇଁ ପରିଚିତ। ପରିସ୍ଥିତି ଓ ପରିବେଶ ଯାହା ହେଉ ନା କାହିଁକି, ସେ ନିଜ ସ୍ବାଭାବିକ ଖେଳ ଓ ଆଚାର ବ୍ୟବହାରକୁ କ୍ବଚିତ ବଦଳାଇ ଥାଆନ୍ତି। ସେଥିପାଇଁ ସାଙ୍ଗସାଥୀମାନେ ତାଙ୍କୁ ‘ଗବ୍ବର’ ବୋଲି ଡାକନ୍ତି। ଗବ୍ବରଙ୍କର ଆଉ ଏକ ଭଲ ଗୁଣ ହେଲା ସେ ପଡ଼ିଆ ଓ ପଡ଼ିଆ ବାହାରେ ନିୟମିତ ଭାବେ ନିଜ ପ୍ରଶଂସକଙ୍କୁ ମନୋରଞ୍ଜନର କିଛି ନି କିଛି ଖୋରାକ ପ୍ରଦାନ କରି ଥାଆନ୍ତି। କରୋନା ମହାମାରୀ ଆତଙ୍କ ବେଳେ ନିଜ ପରିବାର ସହ ବିଭିନ୍ନ ରକମର କୌତୁକିଆ ଓ ଶିକ୍ଷଣୀୟ ଭିଡିଓ ପ୍ରକାଶ କରି ସେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଧାୱନଙ୍କ ବ୍ୟକ୍ତିତ୍ବ ଓ ଜୀବନ ଶୈଳୀରେ ଅନେକ କ୍ରିକେଟ୍‌ପ୍ରେମୀ ଅନୁପ୍ରେରିତ ହେଉଥିଲା ବେଳେ ଉତ୍ତରପ୍ରଦେଶର ରାମବାହାଦୁର ନାମକ ଜଣେ କଂପୁଟର ଅପରେଟର ଏହାକୁ ଭିନ୍ନ ସ୍ତରକୁ ନେଇ ଯାଇଛନ୍ତି।

ଧାୱନଙ୍କ ଭଳି କଥାବାର୍ତ୍ତା, ଚାଲିଚଳନ ଓ ବେଶଭୂଷା ରଖୁଥିବା ରାମବାହାଦୁର ଏବେ ନକଲି ଧାୱନ ଭା‌ବେ ବେଶ୍ ଲୋକପ୍ରିୟତା ସାଉଁଣ୍ଟିଛନ୍ତି। ଅତୀତରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ ଓ ବିରାଟ କୋହଲିଙ୍କ ନକଲମାନେ ଶିରୋନାମାରେ ରହି ଆସୁଥିଲା ବେଳେ ଏବେ ଧାୱନ ଭକ୍ତ ରାମବାହାଦୁର ଚର୍ଚାରେ ଅଛନ୍ତି। ଲୋକମାନେ ତାଙ୍କୁ ଧାୱନଙ୍କ ସହ ତୁଳନା କରୁଥିବାରୁ ଉତ୍ତରପ୍ରଦେଶର ବାଲିଆ ଗାଁ ବାସିନ୍ଦା ୨୭ ବର୍ଷୀୟ ରାମବାହାଦୁର ବେଶ୍ ଖୁସି ଅଛନ୍ତି। ନିଜ ଚେ‌ହେରା ପାଇଁ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି। ଏହି କାରଣରୁ ସେ ମଧ୍ୟ ଧାୱନ ଓ ତାଙ୍କ ପରିବାରକୁ ଅତୀତରେ ଭେଟିବାର ସୁଯୋଗ ପାଇଥିଲେ। ରାମବାହାଦୁର ନକଲି ଧାୱନ ହେବା ପଛରେ ଏକ ରୋଚକ କାହାଣୀ ରହିଛି। ୨୦୧୩ ମସିହା କଥା ଏକ ସେଲୁନରେ ଚୁଟି କାଟିବା ପରେ ସେଠାକାର ନାପିତ ରାମବାହାଦୁରଙ୍କୁ କହିଥିଲା, ” ଭାଇ ତୁମେ ପୂରା ଧାୱନଙ୍କ ଭଳି ଦେଖା ଯାଉଛ।” ଏହା ପରେ ସଂପୃକ୍ତ ବାରିକଜଣକ ତାଙ୍କ ଦାଢ଼ିକୁ ଅବିକଳ ଧାୱନ ରଖୁଥିବା ଷ୍ଟାଇଲ୍ ଦେଇଥିଲେ ଏବଂ ଏହା ପରେ ଆଇନା ଦେଖିବାକୁ କହିଥିଲେ। ଆଇନାକୁ ଦେଖିଲା ପରେ ସେ ଯେ ଧାୱନଙ୍କ ଭଳି ଦେଖା ଯାଉଛନ୍ତି , ରାମବାହାଦୁର ହୃଦୟଙ୍ଗମ କରିଥିଲେ। ସେବେଠାରୁ ଧାୱନଙ୍କୁ ଅନୁସରଣ କରିବାକୁ ରାମବାହାଦୁର ନିଜ ଧର୍ମ କରି ଦେଇଥିଲେ। ଧାୱନ ଯେଉଁ ଷ୍ଟାଇଲ୍ କରୁଥିଲେ ସେ ମଧ୍ୟ ସେହି ଷ୍ଟାଇଲ୍ କରୁଥିଲେ। ନିଜ ଚାଲି ଚଳନକୁ ମାର୍ଜିତ ଓ ପରିବର୍ତ୍ତନ କରି ଧାୱନଙ୍କ ଭଳି କଥାବାର୍ତ୍ତା କରୁଥିଲେ। ଏବେ ସେ ବାଲିଆ ଓ ଏହାର ଆଖପାଖ ଅଞ୍ଚଳରେ ନକଲି ଧାୱନ୍ ଭାବେ ପରିଚିତ ‌ହେଉଛନ୍ତି। କେହି କେହି ତାଙ୍କୁ କ୍ରିକେଟ୍ ପ୍ରତିଯୋଗିତାର ମୁଖ୍ୟ ଅତିଥି କରି ବି ଡାକୁଛନ୍ତି। ଧାୱନଙ୍କ ଭଳି ଦେଖାଯିବା ଲାଗି ରାମବାହାଦୁର ମଧ୍ୟ କିଛି କମ୍ ପରିଶ୍ରମ କରୁନାହାନ୍ତି।

ଏବେ ସେ ସପ୍ତାହକୁ ଦୁଇ ଥର ସେଲୁନ୍ ଯାଇ ଧାୱନଙ୍କ ଭଳି ନିଜ ଖଣ୍ଡା ନିଶକୁ ଆହୁରି ତୀକ୍ଷ୍ଣ କରୁଛନ୍ତି। ଧାୱନ ଏବେ ତାଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି। ଥରେ ଧାୱନ ଧୋତି ପିନ୍ଧି ଫଟୋ ଉଠାଇଥିବାର ଦେଖି, ସେହିଭଳି ଏକ ଧୋତି କିଣିବା ଲାଗି ରାମବାହାଦୁର ଲକ୍ଷ୍ନୌରୁ ବାରାଣାସୀ ଚାଲି ଯାଇଥିଲେ। ସେ ମଧ୍ୟ ନିଜ ବାହୁରେ ‘ଶିଖର ଧାୱନ୍ ମୋ ଭଗବାନ’ ବୋଲି ଟାଟୁ କରିଛନ୍ତି। ମଜାଦାର କଥା ହେଲା ରାମବାହାଦୁର ନିଜ ପୁଅର ନାଁ ଧାୱନଙ୍କ ପୁଅର ନାଁ ଅନୁସାରେ ‘ଜୋରାବର’ ରଖିଛନ୍ତି। ଧାୱନଙ୍କ ସହ ୫ ବର୍ଷ ତଳେ ‌ହୋଇଥିବା ନିଜ ପ୍ରଥମ ଦେଖାକୁ ‌ମନେପକାଇ ଭାବବିହ୍ବଳ ହୋଇ ଯାଉଥିବା ରାମବାହାଦୁର କହିଛନ୍ତି ଯେ ୨୦୧୫ ମସିହାରେ ଏକ ଆଇପିଏଲ୍ ମ୍ୟାଚ୍ ବେଳେ ରାଏପୁରରେ ମୁଁ ପ୍ରଥମ ଥର ପାଇଁ ଧାୱନ ସାର୍‌ଙ୍କୁ ଭେଟିଥିଲି। ଏହା ପରେ ୨୦୧୭ ମସିହା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ସେ ମୋ ପାଇଁ ଟିକେଟ୍ ଯୋଗାଡ଼ କରି ଦେଇଥିଲେ। ଧାୱନ୍ ସାର୍ ମୋ ପାଇଁ ଭଗବାନ। ମୁଁ ତାଙ୍କୁ ଅତି ନିକଟରୁ ଅନୁସରଣ କରେ। ତାଙ୍କ ଭଳି ଚୁଟି ରଖେ, ପୋଷାକ ବି ପିନ୍ଧେ। ତାଙ୍କ ଭଳି ଦାଢ଼ି ନିଶ ରଖେ। ଅବଶ୍ୟ ଧାୱନଙ୍କ ଭଳି ଦାମୀ ପୋଷାକ ପିନ୍ଧିବା ମୋ ପାଇଁ ସମ୍ଭବ ନୁହେଁ। ତଥାପି ମୁଁ ତାଙ୍କ ଭଳି ପୋଷାକ ପିନ୍ଧିବାକୁ ଯଥା ସମ୍ଭବ ଚେଷ୍ଟା କରେ। ଥରେ ସେ ମୋତେ ଭାଇ ଡାକିବାକୁ କହିଥିଲେ। ହେଲେ ମୁଁ ତାଙ୍କୁ ଭଗବାନ ଡାକେ।” ରାମବାହାଦୁର କେବଳ ଧାୱନଙ୍କୁ ଅନୁସରଣ କରନ୍ତି ନାହିଁ ଭାରତରେ ଧାୱନ ଯେଉଁଠି ବି ଖେଳନ୍ତି, ସେଠାକୁ ସେ ମ୍ୟାଚ୍ ଦେଖିବାକୁ ଯାଆନ୍ତି। ଏପରିକି ଧାୱନ୍ କ୍ୟାଚ୍ ନେଲା ବେଳେ ସେ ମଧ୍ୟ ଜଙ୍ଘରେ ହାତ ବାଡ଼େଇ ନିଆରା ଉତ୍ସବ ପାଳନ କରନ୍ତି। ଯେତେ ଅସୁବିଧା ଥିଲେ ମଧ୍ୟ ତାଙ୍କର ଏହି ସୂଚୀରେ କୌଣସି ପରିବର୍ତ୍ତନ ହୁଏନି। ଧାୱନ (ଡିସେମ୍ବର ୫) ଓ ଜୋରାବର (ଡିସେମ୍ବର ୨୫)ର ଜନ୍ମଦିନରେ ରାମବାହାଦୁର କେଟ୍ କାଟନ୍ତି, ଚାଦର କିଣି ଗରିବଙ୍କୁ ବାଣ୍ଟନ୍ତି। ଗୋଟିଏ ଧାଡ଼ିରେ କହିବାକୁ ଗଲେ ଧାୱନଙ୍କ ପାଇଁ ରାମବାହାଦୁର ଏକ ପ୍ରକାର ପାଗଳ।

ସମ୍ବନ୍ଧିତ ଖବର