ଦୁଶାନ ଦେଓ ଟେନିସ୍‌: କେବଳ ଅଂଶୁ ଆଗେଇଲେ

ଭୁବନେଶ୍ବର: ପୁରୀରେ ଚାଲିଥିବା ଦୁଶାନ ଦେଓ ସ୍ମାରକୀ ଆଇଟା-ଓଟିଏସ୍‌ ସର୍ବଭାରତୀୟ ପୁରୁଷ ମାନ୍ୟତା ଟେନିସ୍ ପ୍ରତିଯୋଗିତାରେ ଓଡ଼ିଶାର ସମ୍ମାନ ରଖିଛନ୍ତି ଅଂଶୁ କୁମାର ଭୂୟାଁ। ଏକମାତ୍ର ଓଡ଼ିଶା ଖେଳାଳି ଭାବେ ଉଭୟ ପୁରୁଷ ଏକକ ଏବଂ ଯୁଗଳ ବର୍ଗରେ ସେମିଫାଇନାଲ୍‌କୁ ଉଠିଛନ୍ତି ଏହି ଭୁବନେଶ୍ବର ଯୁବକ। ଗୁରୁବାର ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅଂଶୁ ୬-୦, ୭-୫ ସିଧାସଳଖ ସେଟରେ ନିଜ ରାଜ୍ୟ ସାଥୀ ଅମୃତଜୟ ମହାନ୍ତିଙ୍କୁ ହରାଇ ଦେଇଥିଲେ। ଅନ୍ୟତମ ଓଡ଼ିଆ ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ଚିନ୍ମୟ ପ୍ରଧାନଙ୍କୁ ତେଲେଙ୍ଗାନାର ଲଙ୍କା ସୁହିଥ ରେଡ୍ଡୀ ୬-୪, ୬-୦ରେ ହରାଇ ଦେଇଥିଲେ। ହରିଆଣାର ଓମିନ୍ଦର ବୈଶୋୟା ଏବଂ ପଶ୍ଚିମବଙ୍ଗର ଆଦିତ୍ୟ ବର୍ଧନ ଚୌଧୁରୀ ମଧ୍ୟ ଏକକ ବର୍ଗର କ୍ବାର୍ଟର ଫାଇନାଲ୍ ଜିତି ସେମିଫାଇନାଲରେ ପହଞ୍ଚିଛନ୍ତି।

ଯୁଗଳ ବର୍ଗରେ ଶୀର୍ଷ ମାନ୍ୟତା ଭାବେ ଖେଳୁଥିବା ଅଂଶୁ କୁମାର ଭୂୟାଁ ଏବଂ ରାଜସ୍ଥାନର ଅଭିବୀର ସିଂହ ସେଖାୱତ ମାରାଥନ୍ ଲଢ଼େଇ ପରେ ୧-୬, ୭-୫, ୧୪-୧୨ରେ ଓଡ଼ିଶା ଯୋଡ଼ି ଆଦିତ୍ୟ ଶତପଥୀ-ଚିନ୍ମୟ ପ୍ରଧାନଙ୍କୁ ହରାଇ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟତମ ଓଡ଼ିଶା ଯୋଡ଼ି ଅମୃତଜୟ ମହାନ୍ତି-ଅଭିଷେକ ମହାପାତ୍ର ୬-୭ (୨), ୬-୩, ୧୦-୨ରେ ଅର୍ଘ୍ୟ ଦାସ (ପଶ୍ଚିମବଙ୍ଗ)-ମେହନ୍ତ କୁମାର (ଉତ୍ତରପ୍ରଦେଶ)ଙ୍କୁ ହରାଇ ମଧ୍ୟ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଅନ୍ୟ ଏକ କ୍ବର୍ଟର ଫାଇନାଲରେ ଲଲାଟେନ୍ଦୁ ବର୍ମା-ସ୍ବସ୍ତିକ ସତ୍ୟକାମ ପ୍ରଧାନ ଯୋଡ଼ିଙ୍କୁ ଆନ୍ଧ୍ର-‌ତେଲେଙ୍ଗାନା ଯୋଡ଼ି ବାବଜୀ ଶିବା ଆତୁରୁ-ସାଜିଦ ଉର ରହମାନ ୬-୦, ୬-୩ରେ ହରାଇ ଦେଇଥିଲେ।

ସମ୍ବନ୍ଧିତ ଖବର