ପୁମା ସହ ଦୂତିଙ୍କ ଦୁଇ ବର୍ଷୀୟା ଚୁକ୍ତି

ଭୁବନେଶ୍ବର: ଦୌଡ଼ରାଣୀ ଦୂତି ଚାନ୍ଦ ଜର୍ମାନ କ୍ରୀଡ଼ା ସାମଗ୍ରୀ ଓ ଜୋତା ପ୍ରସ୍ତୁତକାରୀ କଂପାନି ପୁମା ସହ ଦୁଇ ବର୍ଷୀୟା ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏପରି କରି ସେ ଉସେନ ବୋଲ୍ଟଙ୍କ ଭଳି କିମ୍ବଦନ୍ତୀ ଧାବକଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଏହି ଚୁକ୍ତି ପରେ ପୁମା‌ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଦୂତିଙ୍କ ପାଇଁ ସ୍ବତନ୍ତ୍ର ଜୋତା ଏବଂ ଅନ୍ୟାନ୍ୟ କ୍ରୀଡ଼ା ସାମଗ୍ରୀ ଯୋଗାଇବ। ୨୩ ବର୍ଷୀୟା ଦୂତି ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ଏବଂ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସ୍ବର୍ଣ୍ଣ ଜିତିବା ପରେ ପୁମା ତାଙ୍କ ସହ ସଂପର୍କ ଯୋଡ଼ିବା ଲାଗି ଇଚ୍ଛା ପ୍ରକାଶ କରିଥିଲା। ଦୂତିଙ୍କ ସହ ଚୁକ୍ତି ସ୍ବାକ୍ଷର ହୋଇ ସାରିଥିବା କଂପାନି ତରଫରୁ ଗୁରୁବାର ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପୁମା ଭଳି କଂପାନି ସହ ଚୁକ୍ତି କରିବା ପରେ ଦୂତି ମଧ୍ୟ ବ୍ୟକ୍ତିଗତ ଭାବେ ବେଶ୍ ଖୁସୀ ଅଛନ୍ତି। ସେ କହିଛନ୍ତି ମୁଁ ପ୍ରଥମ ଥର ପାଇଁ କୌଣସି ବଡ଼ ବ୍ରାଣ୍ଡ ସହ ଯୋଡ଼ି ହୋଇଛି। ଉସେନ ବୋଲ୍ଟଙ୍କ ଭଳି ମହାନ ଖେଳାଳି ତଥା ବିଶ୍ବର ଦ୍ରୁତତମ ଧାବକଙ୍କ କାମ କରୁଥିବା ଏକ କଂପାନି ସହ ସଂପର୍କ ଯୋଡ଼ି ମୁଁ ବେଶ୍ ଉଲ୍ଲସିତ। ସୂଚନାଯୋଗ୍ୟ ଯେ ଦୂତି ଆସନ୍ତା ମାସରେ ଦୋହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ପ୍ରତିଯୋଗିତା ଲାଗି ଏ ପର୍ଯ୍ୟନ୍ତ ଯୋଗ୍ୟତା ଅର୍ଜନ କରି ନାହାନ୍ତି। ପୁମାଠାରୁ ସ୍ବତନ୍ତ୍ର ଜୋତା ଓ କ୍ରୀଡ଼ା ସାମଗ୍ରୀ ପାଇବା ପରେ ତାଙ୍କ ଟାଇମିଂରେ ଉନ୍ନତି ପରିଲକ୍ଷିତ ହେବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ସେ ମଧ୍ୟ ଚଳିତ ମାସ ୧୩ ଓ ୧୯ ତାରିଖରେ ଆୟର୍ଲାଣ୍ଡ ଏବଂ ଜର୍ମାନିରେ ଆୟୋଜିତ ହେବାକୁ ଥିବା ଆଇଏଏଏଫ୍ ବିଶ୍ବ ଦୌଡ଼କୁଦ କ୍ଲବ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏଥିନେଇ ଏପର୍ଯ୍ୟନ୍ତ ଭିସା ମିଳି ନଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ସାହାଯ୍ୟ ପାଇଁ ଦୂତି ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର