ଭୁବନେଶ୍ବର: ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ଦେଶର ଏକ ନମ୍ବର ଧାବିକା ବିବେଚିତ ହୋଇଛନ୍ତି। ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ) ତରଫରୁ ୨୦୧୯ ବର୍ଷ ଲାଗି ପ୍ରସ୍ତୁତ କରାଯାଇଥିବା ଦେଶର ଶ୍ରେଷ୍ଠ ୩୦ ଜଣ ଧାବିକାଙ୍କ ତାଲିକାରେ ଦୂତି ଉଭୟ ୧୦୦ ଏବଂ ୨୦୦ ମିଟରର ପ୍ରଥମ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ଦୂତି ୧୦୦ ମିଟର ଦୌଡ଼ରେ ରାଞ୍ଚିରେ ନିଜ କୀର୍ତ୍ତିମାନକୁ ଭାଙ୍ଗିଥିଲେ। ୧୧.୨୨ ସେକେଣ୍ଡ ସମୟ ସହ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ। ୨୦୧୯’ରେ ଭାରତୀୟ ଧାବିକାଙ୍କ ମଧ୍ୟରେ ଏହାହିଁ ଶ୍ରେଷ୍ଠ ସମୟ ହୋଇ ରହିଛି। ସେହିଭଳି ୨୦୦ ମିଟରରେ ସେହି ରାଞ୍ଚିରେ ହାସଲ କରିଥିବା ୨୩.୧୭ ସେକେଣ୍ଡର ସମୟ ମଧ୍ୟ ଭାରତୀୟ ମହିଳା ଧାବିକାଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ। ମଙ୍ଗଳବାର ଏକ ଫେସ୍ବୁକ୍ ପୋଷ୍ଟ୍ରେ ଦୂତି ଏହି ସୂଚନା ଦେଇଛନ୍ତି।
ଗତବର୍ଷ ମାନ୍ୟତାରେ ମଧ୍ୟ ଦୂତି ଉଭୟ ୧୦୦ ଏବଂ ୨୦୦ ମିଟର ମହିଳା ଦୌଡ଼ର ପ୍ରଥମ ସ୍ଥାନରେ ବର୍ଷ ଶେଷ କରିଥିଲେ। ସେତେବେଳେ ଗୌହାଟୀରେ ଆୟୋଜିତ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦରେ ୧୦୦ ମିଟର ଦୌଡ଼କୁ ୧୧.୨୯ ସେକେଣ୍ଡରେ ଶେଷ କରି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ ଦୂତି। ସେହିଭଳି ଜାକର୍ତା ଏସୀୟ କ୍ରୀଡ଼ାର ୨୦୦ ମିଟର ଦୌଡ଼କୁ ୨୩ ସେକେଣ୍ଡରେ ଶେଷ କରିଥିଲେ। ଉଭୟ ବର୍ଗରେ ଏହା କୌଣସି ଭାରତୀୟ ଖେଳାଳିଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏବର୍ଷ ମଧ୍ୟ ଦୂତି ଏହି ଧାରା ବଜାୟ ରଖିଛନ୍ତି। ଦୂତିଙ୍କର ଆଗାମୀ ଲକ୍ଷ୍ୟ ହେଉଛି ୨୦୨୦ ପ୍ରାରମ୍ଭରେ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବା। ଏହା ହୋଇପାରିଲେ ଲଗାତାର ଦ୍ବିତୀୟ ଥର ପାଇଁ ସେ ଅଲିମ୍ପିକ୍ସରେ ଦୌଡ଼ୁଥିବା ଦେଖିବାକୁ ମିଳିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sfg87sfh987sfh987sfh854sf56hsfhhhhhhhhhhhhhhhhhhhhhhhhhhh.jpg)