ଦୂତିଙ୍କୁ ଗୋପୀଚାନ୍ଦଙ୍କ ସମର୍ଥନ, ଅଲିମ୍ପିକ୍ସ ସ୍ଥଗିତ କରିବାକୁ ଆହ୍ବାନ

ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ ଦେଇଥିବା ମନ୍ତବ୍ୟକୁ ଜାତୀୟ ବ୍ୟାଡମିଣ୍ଟନ୍ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ସମର୍ଥନ କରିଛନ୍ତି। କରୋନା ଭୂତାଣୁ ଆତଙ୍କ ପାଇଁ ଅଲିମ୍ପିକ୍ସକୁ କିଛି ମାସ ସ୍ଥଗିତ ରଖିବାକୁ ଦୂତି ଆହ୍ବାନ କରିଥିଲା ବେଳେ ଗୋପୀଚାନ୍ଦ ଗୁରୁବାର ଦେଇଥିବା ସାକ୍ଷାତକାର ଅବସରରେ ତାଙ୍କ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି ଯେ ସାଂପ୍ରତିକ ସ୍ଥିତିରେ, ଯେତେବେଳେ ସମସ୍ତଙ୍କୁ ସୁସ୍ଥ ଓ ନିରୋଗ ରଖିବା ସମଗ୍ର ବିଶ୍ବ ପାଇଁ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି, ଯାତାୟତ ଉପରେ ଅଙ୍କୁଶ ଲାଗିଛି, ଏଭଳି କଠିନ ସମୟରେ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ଉଚିତ ହେବ। ଆମକୁ ଖେଳାଳି ଓ ନାଗରିକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଗ୍ରାଧିକାର ଦେବାକୁ ହେବ। କରୋନା ଭୟ ସତ୍ତ୍ବେ ଚଳିତମାସ ପ୍ରାରମ୍ଭରେ ବିଶ୍ବ ବ୍ୟାଡମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁଏଫ୍) ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତାକୁ ଆୟୋଜନ କରି ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଛି। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ସାଇନା ନେହୱାଲ ବୁଧବାର ଏହି ନିଷ୍ପତ୍ତିକୁ ଖୋଲାଖୋଲି ଭାବେ ସମାଲୋଚନା କରିଥିଲେ। ଗୋପୀଚାନ୍ଦ ବି ବିଡବ୍ଲ୍ୟୁଏଫ୍ ଭୁଲ ନିଷ୍ପତ୍ତି ନେଇଥିଲା ବୋଲି ମତ ରଖିଛନ୍ତି। ‌‘‘ନିଶ୍ଚିତ ଭାବେ, ମୁଁ ଭାବୁଛି ଏହା ଏକ ଭୁଲ ନିଷ୍ପତ୍ତି ଥିଲା। ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତା ଆୟୋଜନ କରି ବିଡବ୍ଲ୍ୟୁଏଫ୍ ଖେଳାଳିଙ୍କୁ ସଙ୍କଟ ମଧ୍ୟକୁ ଟେଲି ଦେଇଥିଲା’’ ବୋଲି ଗୋପୀଚାନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର