ପ୍ରେମିକାଙ୍କ ସହ ମନୋମାଳିନ୍ୟକୁ ଦୂତିଙ୍କ ଖଣ୍ଡନ, ୱାଟ୍‌ସଆପ୍ ଷ୍ଟାଟସ୍‌ରେ କ’ଣ ଥିଲା?

ଭୁବନେଶ୍ୱର : ଦୌଡରାଣୀ ଦୂତି ଚାନ୍ଦଙ୍କ ପ୍ରେମରେ ଫାଟ। ପ୍ରେମିକା ମୋନାଲିସାଙ୍କ ସହ ମନାନ୍ତର ପରେ ନିଜ ମନର କୋହକୁ ବଖାଣିଛନ୍ତି ଦୂତି। ନିଜ ହ୍ୱାଟସଆପ୍ ଷ୍ଟାଟସରେ ଏପରି କିଛି ଲେଖି ନିଜ ମନର ଦୁଃଖକୁ ବଖାଣିଛନ୍ତି ଦୌଡରାଣୀ। ସେ ନିଜ ହ୍ୱାଟ୍ସଆପ ଷ୍ଟାଟସରେ ତାଙ୍କ ପ୍ରେମର ବିବାଦକୁ ସେୟାର କରିବା ସହିତ ପ୍ରେମିକାଙ୍କ ସହ ମତାନ୍ତରର ବାର୍ତାଳାପକୁ ସେୟାର କରିଛନ୍ତି। ଆଉ ଦୂତିଙ୍କ ପ୍ରେମିକା ମଧ୍ୟ ଚାଟିଂରେ କହିଛନ୍ତି ଉପହାର ସ୍ୱରୂପ ସେ ଦୂତିଙ୍କ ପାଖରୁ ଯାହା ଗ୍ରହଣ କରିଛନ୍ତି ସବୁ ଫେରାଇ ଦେବେ। ଏଭଳି ଏକ ଖବର ମଙ୍ଗଳବାର ଦିନସାରା ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା। ବିଭିନ୍ନ କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଦୂତିଙ୍କ ପ୍ରେମରେ ଫାଟ ସୃଷ୍ଟି ହେବା ଖବର ବି ନିଆଁ ଭଳି ବ୍ୟାପୀ ଯାଇଥିଲା। ହେଲେ ଶେଷରେ ଏହା ଗୁଜବ ମାତ୍ର। ଏଥିରେ କୌଣସି ସତ୍ୟତା ନଥିବା ଦୂତି ନିଜ ହ୍ବାଟସ୍ଆପ୍ ଷ୍ଟା‌ଟସ୍‌ରେ ଆଉ ଏକ ଲେଖା ପ୍ରକାଶ କରି ସ୍ପଷ୍ଟ କରି ଦେଇଥିଲେ। ଏପରିକି ଏକ ଏପ୍ରିଲ ଫୁଲ୍ ଗମାତ ଥିଲା ବୋଲି ଦୂତି ଅନ୍ୟ ଏକ ସାଙ୍କେତିକ ‌ପୋଷ୍ଟ କରି ଜଣାଇଥିଲେ। ସାମାଜିକ ଗଣମାଧ୍ୟମରେ ଘୁରିବୁଲିଥିବା ଖବର ଉପରେ ପ୍ରକାଶ କରି ଦୂତି ଲେଖିଥିଲେ ଯେ ଆରେ ଭାଇ ଆମ ପ୍ରେମରେ କେବେ ବି ଫାଟ ହୋଇନି କି ହେବ ବି ନାହିଁ। ମୋ ପାଇଁ ‌ପ୍ରେମ ହିଁ ଜୀବନ। ମୋ ବନ୍ଧୁଙ୍କ ଷ୍ଟାଟସ୍ ମୁଁ ସେୟାର କରିଥିଲି। ସେଇଟା ମୋର ନଥିଲା।

ୱାଟ୍‌ସଆପ୍ ଷ୍ଟାଟସ୍‌ରେ କ’ଣ ଥିଲା?
ସ୍ପଷ୍ଟୀକରଣ ଦେବା ପୂର୍ବରୁ ଦୂତିଙ୍କ ଷ୍ଟାଟସ୍‌ରେ ଲେଖାଥିଲା ଯେ ଏମିତି ଏକ ଝିଅକୁ ଭଲ ପାଇ ବସିଲି ଯେ ତା ମନରେ ମୋ ପ୍ରତି ଖାଲି ସନ୍ଦେହ ହିଁ ସନ୍ଦେହ। ଯିଏ ଦିନେ ମୋତେ ପାଇ ଦୁନିଆର ସବୁ ସୁଖ ପାଇଯାଇଥିଲା ବୋଲି କହୁଥିଲା ଆଜି କାଳେ ମୋତେ ଭଲ ପାଇ ବଡ ଭୁଲଟେ କରିଦେଇଛି ବୋଲି କହୁଛି। ହା ହା କାହାକୁ କ’ଣ କହିବି। ବିଧିର ବିଧାନ କେ କରିବ ଆନ। ଆମେ ସମସ୍ତେ ସମୟର ଦାସ। କେତେ ବେଳେ କଣ ହେବ କିଏ ବା କହିବ। ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି। ଏଠି ସମୟର ସହ ସମସ୍ତେ ଦିନେ ନା ଦିନେ ହଜିଯାଆନ୍ତି। ଲାଇଫରେ ପ୍ରତ୍ୟେକଟି ଟାଇମକୁ ଖୁସିରେ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ। କିଏ ଜାଣେ ଆମେ ଚିନ୍ତା କରୁଥିବା ଫ୍ୟୁଚର ପାଖରେ ପହଞ୍ଚିବା ପୂର୍ବରୁ ହୁଏତ ଆମେ ଦୁନିଆ ପାଇଁ ପାଷ୍ଟ ହୋଇଯାଇଥିବା।

ସମ୍ବନ୍ଧିତ ଖବର