ଦୂତିଙ୍କୁ ଦେଢ଼ କୋଟି:ଆଜି ୨୦୦ ମିଟରକୁ ଓହ୍ଲାଇବେ

ଭୁବନେଶ୍ୱର: ଅଷ୍ଟାଦଶ ଏସୀୟ କ୍ରୀଡ଼ାର ମହିଳା ୧୦୦ ମିଟରରେ ରୌପ୍ୟ ପଦକ ଜିତିବାର ଦିନକ ପରେ ରାଜ୍ୟ ସରକାର ଧାବିକା ଦୂତି ଚାନ୍ଦଙ୍କୁ ବିପୁଳ ରାଶିର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଦୀର୍ଘ ୨୦ ବର୍ଷର ବ୍ୟବଧାନ ପରେ ରାଜ୍ୟ ପାଇଁ ପ୍ରଥମ ଏସିଆଡ଼୍‍ ଦୌଡ଼କୁଦ ପଦକ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଢ଼ କୋଟି ଟଙ୍କା ଦିଆଯିବ ବୋଲି କହିଛନ୍ତି। ଯାହାକି ଅପୂର୍ବ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଦୂତିଙ୍କ ଏକାଗ୍ରତା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଜବାବରେ ଦୂତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହିତ ଭୁବନେଶ୍ୱରରେ ଘର କିମ୍ବା ଜମି ଦେଲେ ମୋ ଖେଳ ଜୀବନ ପାଇଁ ଏହା ଏକ ବଡ଼ ସହାୟତା ହୋଇ ପାରନ୍ତା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ସାଥିରେ ଥିଲେ ମୋର କିଛି ଅସୁବିଧା ହେବ ନାହିଁ ଦୂତି କହିଛନ୍ତି।
ଓଡ଼ିଆ ଧାବିକା ଦୂତି ଚାନ୍ଦ ମଙ୍ଗଳବାର ଅଷ୍ଟାଦଶ ଏସିଆଡ଼୍‌ର ୨୦୦ ମିଟର ମଇଦାନକୁ ଓହ୍ଲାଇବେ। ରବିବାର ୧୦୦ ମିଟର ଦୌଡ଼ରେ ରୁପେଲି ଚମକ ଦେଖାଇଥିବା ଦୂତି ୨୦୦ ମିଟରରେ ସେହି ସଫଳତା ଦୋହରାଇବାକୁ ଚେଷ୍ଟା କରିବେ। ୧୦୦ ମିଟରରେ ଐତିହାସିକ ପଦକ ଜିତିବା ପରେ ସମଗ୍ର ଭାରତ ବର୍ଷର ନଜର ତାଙ୍କ ଉପରେ ରହିବ। ବ୍ୟକ୍ତିଗତ ଭାବେ ଦୂତିଙ୍କ ପାଇଁ ଏହା ମଧ୍ୟ ଇତିହାସ ରଚିବାର ସୁଯୋଗ ଆଣିବ। ୨୦୦ ମିଟରରେ ପୋଡ଼ିୟମ୍‌ ଫିନିସ୍‌ ପାଇଲେ ଏସିଆଡ଼୍‍ର ଗୋଟିଏ ସଂସ୍କରଣରେ ଯୁଗଳ ପଦକ ପାଇବାରେ ସେ ପ୍ରଥମ ଓଡ଼ିଆ ହେବେ।
ମଙ୍ଗଳବାର ସକାଳ ୮ଟା ୧୫ରେ ଯୋଗ୍ୟତା ପର୍ଯ୍ୟାୟରେ ଅବତୀର୍ଣ୍ଣ ହେବେ ଦୂତି। ସେ ହିଟ୍‌ ୪ରେ ଦୌଡ଼ିବେ। ସେଠାରେ ଭଲ କଲେ ଅପରାହ୍ନ ୫ଟା ୨୦ରେ ସେମିଫାଇନାଲ ଖେଳିବେ। ସେମିର ଶୀର୍ଷ ୮ ଜଣଙ୍କ ମଧ୍ୟରେ ରହିଲେ ବୁଧବାରର ଫାଇନାଲ୍‌ ଟିକେଟ ପାଇବେ। ଏଥିଲାଗି ସେ ପୂରା ପ୍ରସ୍ତୁତ ଅଛନ୍ତି। କଠିନ ଅଭ୍ୟାସ କରିଛନ୍ତି। ସେହିଭଳି ତାଙ୍କ ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ୧୦୦ ମିଟର ବିଶେଷଜ୍ଞ ଭାବେ ଅଧିକ ପରିଚିତ ଥିଲେ ମଧ୍ୟ ୨୦୦ ମିଟରରେ ଦୂତି ଏସୀୟ ଦୌଡ଼କୁଦରେ ତାଙ୍କ ବରିଷ୍ଠ ସ୍ତରୀୟ ଅନ୍ତର୍ଜାତୀୟ ପଦକ ଜିତିସାରିଛନ୍ତି। ୨୦୧୩ ପୁନେ ଏସିଆନ୍‌ ଚାମ୍ପିଅନସପ୍‌ର ୨୦୦ ମିଟରରେ କାଂସ୍ୟ ପଦକ ଜିତି ବରିଷ୍ଠ ବର୍ଗ ଅନ୍ତର୍ଜାତୀୟ ପଦକ ଅମଳ ଅଭିଯାନ ଆରମ୍ଭ କରିଥିଲେ। ୨୦୦ ମିଟରରେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ହେଉଛି ୨୩.୭୩ ସେକେଣ୍ଡ। ୨୦୧୩ ରାଞ୍ଚି ଜାତୀୟ ଚାମ୍ପିଅନସିପରେ ସେ ଏହି ସଫଳତା ଲାଭ କରିଥିଲେ। ଦୂତିଙ୍କ ସହ ୪୦୦ ମିଟରରେ ରୌପ୍ୟ ଜିତିଥିବା ହିମା ଦାସ ମଧ୍ୟ ମଙ୍ଗଳବାର ୨୦୦ ମିଟର ଦୌଡ଼ରେ ଅବତୀର୍ଣ୍ଣ ହେବେ।

ସମ୍ବନ୍ଧିତ ଖବର