ମହିୟସୀ ମହିଳା, ଅଦ୍ବିତୀୟ ଚାନ୍ଦ

ଦୂତି ଚାନ୍ଦଙ୍କ ପାଇଁ ୨୦୧୮ ସବୁଠାରୁ ସ୍ମରଣୀୟ ରହିବ। ଆଣ୍ଡ୍ରୋଜେନ ବିବାଦ ପଶ୍ଚାତ୍‌ଧାବନ କରୁଥିଲେ ବି ଦୂତି ଜାକର୍ତା ପାଲେମବାଙ୍ଗ ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ଜିତି ନୂଆ ଅଧ୍ୟାୟ ସଂଯୋଗ କରିଥିଲେ। ୧୯୯୮ ମସିହା ପରେ ଭାରତ ୧୦୦ ମିଟରରୁ ପଦକ ପାଇଥିଲା। ୨୦୦ ମିଟରରେ ମଧ୍ୟ ଦୂତି ରୌପ୍ୟ ପଦକ ଜିତି ନିଜ ସଫଳତାକୁ ଦ୍ବିଗୁଣିତ କରିଥିଲେ। ଏହା ପରେ ରାଜ୍ୟ ସରକାରଙ୍କ ୩ କୋଟି ପୁରସ୍କାର ସହିତ ବିଭିନ୍ନ ସୂତ୍ରରୁ ଦୂତି କୋଟି କୋଟି ଟଙ୍କା ଅର୍ଜନ କରି ଦାରିଦ୍ର୍ୟରୁ ଦମ୍ଭିଲା ଚରିତ୍ରର ଚମକ ଦେଖାଇଥିଲେ। ଇଣ୍ଡିଆନ୍ ଗ୍ରାଁ ପ୍ରି, ଜାତୀୟ ଦୌଡ଼କୁଦ, ଫେଡେରେସନ୍ କପ୍‌ରେ ଦୂତି ବି ଅଦ୍ବିତୀୟ ଥିଲେ। ପାରା ଏସୀୟ କ୍ରୀଡ଼ାରେ ଜୟନ୍ତୀ ବେହେରା ଗୋଟିଏ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ଜିତି ମଧ୍ୟ କିଛି କମ୍‌ରେ ନ ଥିଲେ। ଜାତୀୟ ଦୌଡ଼କୁଦ ଦୁନିଆରେ ବି ପୂର୍ଣ୍ଣିମା ହେମ୍ବ୍ରମ, ପାର୍ବତୀ ସେଠୀ, ଜଉନା ମୁର୍ମୁଙ୍କ ଉପସ୍ଥିତି ପରିଲକ୍ଷିତ ହୋଇଥିଲା। ଜୟନ୍ତୀ ବେହେରା, ସୁଖି ବାକ୍ସେ, କୃଷ୍ଣ ମୁଣ୍ଡା, ପୁଙ୍ଗା ସୋରେନ, ପ୍ରଜ୍ଞା ପାରମିତା ସାହୁ ମଧ୍ୟ କନିଷ୍ଠ ବର୍ଗରେ ଅନେକ ଆଶା ଦେଖାଇଛନ୍ତି। ପାନ୍‌ ପାସିଫିକ୍ ମାଷ୍ଟର୍ସ ଦୌଡ଼କୁଦରେ ବ୍ରଜବାହୂ ସୀମନ୍ତ କେଶରୀ ସାମଲ ୨ ‌େରୗପ୍ୟ ପଦକ ଜିତି ମଧ୍ୟ ବୟସ ବାଧକ ନୁହେଁ ବୋଲି ପ୍ରମାଣିତ କରିଥିଲେ।

ଫୁଟ୍‌ବଲ୍ ଫୁଲୁଛି
ହକି ସହିତ ତାଳ ଦେଇ ରାଜ୍ୟ ଫୁଟ୍‌ବଲ୍ ବି ପ୍ରସ୍ଫୁଟିତ ହେବାକୁ ପ୍ରୟାସ ଜାରି ରଖିଛି। ରାଜ୍ୟ ବାଳକ ଦଳ ଜାତୀୟ ବିଜେତା ହେବା ଏବଂ ଖେଲୋ ଇଣ୍ଡିଆରେ କାଂସ୍ୟ ଜିତିବା ଏହାର ପ୍ରମାଣ ଥିଲା। ବାଳିକା ଦଳ ଜାତୀୟ ରୌପ୍ୟ ଜିତିବା ଏବଂ ରାଇଜିଂ ଷ୍ଟୁଡେଣ୍ଟ୍ ଦଳ ମହିଳା ଫୁଟବଲ୍ ଲିଗ୍ ଜିତିବା ମଧ୍ୟ ଏହାକୁ ଉତ୍‌ଥାନ ପଥରେ ରଖିଥିଲା। ଭାରତୀୟ କନିଷ୍ଠ ଦଳରେ ଓଡ଼ିଆଙ୍କ ଉପସ୍ଥିତି, ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ଯୁବ ଆଇ ଲିଗ୍‌ରେ‌ ଖେଳିବା, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଜାତୀୟ ବାଳିକା ଦଳର ସହକାରୀ ପ୍ରଶିକ୍ଷକ, ଖେଲୋ ଇଣ୍ଡିଆ ଚୟନକର୍ତା ହେବା ଏବଂ ଶୁଭେନ୍ଦୁ ପଣ୍ଡା ଫିଫା ଏଲିଟ୍ ପ୍ରଶିକ୍ଷକ ବନିବା ଅସୁମାରୀ ଆଶା ଦେଖାଇଛି।

ଋତୁପର୍ଣ୍ଣା ଉଦୟ
ପୂର୍ବବର୍ଷ ଭଳି ଋତୁପର୍ଣ୍ଣା ପଣ୍ଡାଙ୍କ ଚମକ ବି ଜାତୀୟ ସର୍କିଟ ବ୍ୟାଡ୍‌ମିଣ୍ଟନରେ ବେଶ ଚର୍ଚା ଆଣିଥିଲା। ସର୍ବଭାରତୀୟ ପ୍ରତିଯୋଗିତାରେ ମହିଳା ଯୁଗଳ, ମିଶ୍ରିତ ଯୁଗଳ ଟ୍ରଫି ସହ ଦ୍ବିମୁକୁଟ ଅର୍ଜନ କରିଥିବା ଏହି କଟକ ଝିଅ ୨୦୧୮ ମସିହାରେ ଅଧା ଡଜନରୁ ଊର୍ଧ୍ବ ସର୍ବଭାରତୀୟ ମାନ୍ୟତା ପ୍ରତିଯୋଗିତା ପଦକ ଜିତିଥିଲେ। ଏସୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଏବଂ ଜାକର୍ତା ପାଲେମବାଙ୍ଗ୍‌ ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଗ୍ରିସ୍‌ରେ ହେଲାସ ଓପନ୍‌ ମହିଳା ଯୁଗଳ ଟ୍ରଫି ଜିତିବା ଏବଂ ଏକଲବ୍ୟ ସମ୍ମାନ ପାଇବା ମଧ୍ୟ ଏହି ଯୁବ ପ୍ରତିଭାଙ୍କ ବଡ଼ ସ୍ବୀକୃତି ଥିଲା।

ବର୍ଷ ସାରା ସୁନୀତା
ଜାତୀୟ ଦଳର ପ୍ରାୟୋଜକ ଏବଂ ହକି ବିଶ୍ବକପ୍ ଆୟୋଜନ ଓଡ଼ିଶାକୁ ନୂଆ ସ୍ତରକୁ ନେଇଥିଲା ଏବଂ ନୂଆ ପରିଚୟ ପ୍ରଦାନ କରିଥିଲା। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବି ଆମ ଖେଳାଳିଙ୍କ ପ୍ରଦର୍ଶନ ଢେର ପ୍ରଶଂସନୀୟ ଥିଲା। ଜାତୀୟ ଉପକନିଷ୍ଠରେ ଓଡ଼ିଶାକୁ ସ୍ବର୍ଣ୍ଣ, ଖେଲୋ ଇଣ୍ଡିଆରେ ଓଡ଼ିଶାକୁ ସ୍ବର୍ଣ୍ଣ, ଜାତୀୟ ଉପକନିଷ୍ଠ ବର୍ଗରୁ ଗାଙ୍ଗପୁର-ଓଡ଼ିଶାକୁ ୩ କାଂସ୍ୟ ମିଳିଥିଲା। ଭାରତୀୟ ଦଳର ନେତୃତ୍ବ ନେବାରେ ଓଡ଼ିଆଙ୍କ ପ୍ରାଧାନ୍ୟ ନଜରକୁ ଆସିଥିଲା ହକିରୁ। ସୁନୀତା ଲାକ୍ରା ଭାରତୀୟ ମହିଳା ଦଳର ନେତୃତ୍ବ ନେଇ ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନଙ୍କ ପରେ ତୃତୀୟ ଓଡ଼ିଆ ଝିଅ ହୋଇଥିଲେ। ଦୀପ୍‌ସାନ ତିର୍କି ଭାରତୀୟ କନିଷ୍ଠ ଦଳର ଅଧିନାୟକ ଏବଂ ଶିଳାନନ୍ଦ ଲାକ୍ରା ଜୋହର କପ୍ ପାଇଁ ଭାରତୀୟ ଦଳ ଉପଅଧିନାୟକ ହେବା ମଧ୍ୟ ଏହି ଧାରାକୁ ଆଗକୁ ନେଇଥିଲା। ୨୦୧୮ ମସିହା ମଧ୍ୟରେ ଲିଲିମା ମିଞ୍ଜ୍‌ ୧୦୦ ଏବଂ ନମିତା ଟପ୍ପୋ ୧୫୦ ଅନ୍ତର୍ଜାତୀୟ ମ୍ୟାଚ୍ ମାଇଲଖୁଣ୍ଟ୍ ଟପିଥିଲେ। ସୁଦୀପ ଚିର୍ମାକୋ ଯୁବ ଅଲିମ୍ପିକ୍ସରେ ପ୍ରତିନିଧିତ୍ବ କରିବା ଅନ୍ୟତମ ସମ୍ଭାବନା ଥିଲା। ସେହିଭଳି ଜାକର୍ତା ଏସୀୟ କ୍ରୀଡ଼ାରେ ଲିଲିମା ମିଞ୍ଜ୍‌, ଦୀପ୍‌ଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ରୌପ୍ୟ ପଦକ ଏବଂ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ କାଂସ୍ୟ ପଦକ ଜିତିବା ବର୍ଷର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ବିଶ୍ବକପ୍‌ରେ ଭାରତୀୟ ଦଳରୁ ଖେଳିଥିଲେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ। ବୀରେନ୍ଦ୍ର ନିଜର ଦ୍ବିତୀୟ ବିଶ୍ବକପ୍ ଖେଳିଥିଲେ ଏବଂ ଅମିତ୍ କରିଥିଲେ ପଦାର୍ପଣ। କାନାଡ଼ା ବିପକ୍ଷରେ ଗୋଲ୍ ଦେଇ ଅମିତ ଏହାକୁ ସ୍ମରଣୀୟ କରିଥିଲେ।

ସମ୍ବନ୍ଧିତ ଖବର