ଭୁବନେଶ୍ବର: ଭାରତୀୟ ଦୌଡ଼କୁଦ ଜଗତର ଉଜ୍ଜ୍ବଳତମ ତାରକା ଦୂତି ଚାନ୍ଦ ପୁଣି ଥରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ସହ ତାଙ୍କ ଘଟଣା ବହୁଳ କ୍ରୀଡ଼ା କ୍ୟାରିୟରରେ ସଫଳତାର ଆଉ ଏକ ସୁନେଲି ଫର୍ଦ ଯୋଡ଼ି ହୋଇଛି। ଦେଶର ପ୍ରଥମ ଓ ଏକମାତ୍ର ଖେଳାଳି ଭାବେ ସେ ମଧ୍ୟ ଅଲିମ୍ପିକ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି। ଇଣ୍ଡିଆନ୍ ଗ୍ରାଁ ପ୍ରିରେ ମାତ୍ର ୦,୦୨ ସେକେଣ୍ଡ ପାଇଁ ଅଲିମ୍ପିକ୍ସ ଯୋଗ୍ୟତାରୁ ବଞ୍ଚିତ ହେବା ପରେ ବିଶ୍ବ ମାନ୍ୟତା ବଳରେ ପ୍ରଥମ ଥର ପାଇଁ ୧୦୦ ଓ ୨୦୦ ମିଟରରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି ଦୂତି। ଏହି ଯୁଗଳ ଯୋଗ୍ୟତାର ଐତିହାସିକ ସଫଳତା ପରେ ଦୂତିଙ୍କ ପ୍ରଥମ ଲକ୍ଷ୍ୟ ହେବ ଫାଇନାଲ୍ରେ ପ୍ରବେଶ କରିବା।
କାରଣ ରିଓ ଅଲିମ୍ପିକ୍ସର ୧୦୦ ମିଟର ଖେଳିଥିଲେ ମଧ୍ୟ ଫାଇନାଲ୍କୁ ଯାଇ ପାରିନଥିଲେ ସେ। ୧୯୮୦ ମସିହାରେ ମସ୍କୋରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସର ୧୦୦ ମିଟରରେ ଦୌଡ଼ିଥିବା ପାୱୋଲି ଏକ୍ସପ୍ରେସ୍ ପିଟି ଉଷା ୧୨.୨୭ ସେକେଣ୍ଡ ସମୟ ସହ ନିଜ ହିଟ୍ର ପଞ୍ଚମ ସ୍ଥାନରେ ରହି ଫାଇନାଲ୍ରୁ ବଞ୍ଚିତ ହୋଇଥିଲେ। ନିଜେ ଦୂତି ରିଓ ଅଲିମ୍ପିକ୍ସରେ ୧୧.୬୯ ସେକେଣ୍ଡ ସମୟ ନେଇ ହିଟ୍ ପର୍ଯ୍ୟାୟ ଆଗକୁ ବଢ଼ି ପାରି ନଥିଲେ। ଏଣୁ ଟୋକିଓରେ ତାଙ୍କ ପ୍ରଥମ ଲକ୍ଷ୍ୟ ହେବ ଫାଇନାଲ୍ ପହଞ୍ଚିବା। ତେବେ ୧୦୦ ଓ ୨୦୦ ମିଟରର ଏହି ଯୁଗଳ ଯୋଗ୍ୟତା ପରେ ସେ ବିଶ୍ବ କ୍ରୀଡ଼ା ମାନଚିତ୍ରରେ ପୁଣି ଥରେ ଓଡ଼ିଶାକୁ ସ୍ଥାପିତ କରିଛନ୍ତି। ଅଦ୍ବିତୀୟ ଓ ଅସାଧାରଣ ସଫଳତା ହାସଲ କରି ଓଡ଼ିଶା ସହ ଭାରତୀୟ କ୍ରୀଡ଼ା ଦୁନିଆକୁ ମଧ୍ୟ ରୁଦ୍ଧିମନ୍ତ କରିଛନ୍ତି। ତେବେ ଦୂତି ଅନ୍ୟତମ ସଦସ୍ୟା ଥିବା ଭାରତୀୟ ରିଲେ ଦଳ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଛି। ଫଳରେ ଦୂତି ତୃତୀୟ ଅଲିମ୍ପିକ୍ସ ଟିକେଟରୁ ବଞ୍ଚିତ ହୋଇଛନ୍ତି। ମଙ୍ଗଳବାର ଇଣ୍ଡିଆନ୍ ଗ୍ରାଁ ପି-୪ରେ ଦୂତି, ଏକେ ଧନେଶ୍ବରୀ, ଅର୍ଚ୍ଚନା ସୁସିନ୍ଦ୍ରନ୍ ଓ ଏସ୍ ଧନଲକ୍ଷ୍ମୀଙ୍କୁ ନେଇ ଗଠିତ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା। ହେଲେ ୪୪.୧୫ ସେକେଣ୍ଡ ସମୟ ସହ ଅଲିମ୍ପିକ୍ସ ଯୋଗ୍ୟତା (୪୩.୦୩ ସେକେଣ୍ଡ)ଠାରୁ ଦୂରରେ ରହି ଯାଇଥିଲା। ଆହତ ହୋଇ ୧୦୦ ମିଟର ଚତୁର୍ଥ ସ୍ଥାନରେ ରହିବା ପରେ ଏହି ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଦୂତି ଫିଟନେସ୍ ଫେରି ପାଇବାର ସଙ୍କେତ ବି ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଦେଶର ଦ୍ରୁତତମ ଧାବିକା ଦୂତି ପୂର୍ବରୁ ଜାକର୍ତ୍ତା ଏସୀୟ କ୍ରୀଡ଼ାର ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ। ୨୦୧୭ ମସିହାରେ ଭୁବନେଶ୍ବରରେ ଆୟୋଜିତ ଏସିଆନ୍ ଚାମ୍ପିଅନସିପ୍ରେ ଦୁଇଟି କାଂସ୍ୟ ପଦକ ପାଇଥିଲେ। ଅଲିମ୍ପିକ୍ସ ପଦକ ଜିତିଲେ ତାଙ୍କ ଖେଳ ଜୀବନ ସଂପୂର୍ଣ୍ଣ ହେବ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ ଟୋକିଓ ଯୋଗ୍ୟତା ପରେ ଦୂତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଏମିତି ମିଳିଲା ଟୋକିଓ ଟିକେଟ
ଦୂତି ଅଳ୍ପକେ ଅଲିମ୍ପିକ୍ସ ସମୟ ଯୋଗ୍ୟତା ଛୁଇଁ ପାରିନଥିଲେ। ସେଥିପାଇଁ ବିଶ୍ବ ମାନ୍ୟତା ତାଙ୍କର ଶେଷ ଆଶା ଥିଲା। ମଙ୍ଗଳବାର ମଧ୍ୟରାତ୍ରର କଟ୍ ଅଫ୍ ଡେଟ୍ ସୁଦ୍ଧା ମୋଟ ୩୪ ଜଣ ଖେଳାଳି ୧୧.୦୫ ସେକେଣ୍ଡ ଟାଇମିଂ ହାସଲ କରି ସିଧାସଳଖ ଟୋକିଓ ଅଲିମ୍ପିକ୍ସର ୧୦୦ ମିଟର ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ଏହି ଇଭେଣ୍ଟରେ ପାରମ୍ପରିକ ଭାବେ ୫୬ ଜଣ ପ୍ରତିଯୋଗୀଙ୍କୁ ଅଲିମ୍ପିକ୍ସ ଟିକେଟ ମିଳୁଥିବାରୁ ୨୨ ସ୍ଥାନ ବିଶ୍ବ ମାନ୍ୟତାରୁ ପୂରଣ ହେବାର ଥିଲା। ସେହିଭଳି ୨୦୦ ମିଟରର ୫୬ ସ୍ଥାନ ମଧ୍ୟରୁ ୧୫ ସ୍ଥାନ ଖାଲି ଥିଲା। ଦୂତି ୧୦୦ ମିଟର ବିଶ୍ବ ମାନ୍ୟତାର ୪୪ତମ ସ୍ଥାନରେ ଥିଲା ବେଳେ ୨୦୦ ମିଟରରେ ୫୧ତମ ସ୍ଥାନରେ ଥିଲେ।
ଏଣୁ ଉଭୟ ବର୍ଗର ଟୋକିଓ ଟିକେଟ ହାସଲ କରି ନେଇଥିଲେ। ତେବେ ଏଥରର ଅଲିମ୍ପିକ୍ସର ମହିଳା ୧୦୦ ମିଟରରେ ମୋଟ ୭୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ୩୪ ଜଣ ସିଧାସଳଖ ଯୋଗ୍ୟତା ହାସଲକାରୀଙ୍କ ସହ ବିଶ୍ବମାନ୍ୟତାରୁ ୨୨ ଏବଂ ବିଶ୍ବବିଦ୍ୟାଳୟ ପ୍ରଦର୍ଶନ ଆଧାରରେ ୧୮ ଜଣ ପ୍ରତିଯୋଗୀ ମହିଳା ୧୦୦ ମିଟର ଟ୍ରାକ୍ରେ ଦୌଡ଼ିବେ। ଅନ୍ୟପକ୍ଷରେ ୨୦୦ ମିଟରରେ ୨୨.୮୦ ସେକେଣ୍ଡ ସମୟ ଛୁଇଁଥିବା ୩୮ ଜଣ ଖେଳାଳିଙ୍କ ସହ ବିଶ୍ବମାନ୍ୟତାରୁ ୧୫ ଏବଂ ବିଶ୍ବବିଦ୍ୟାଳୟ ପ୍ରଦର୍ଶନ ଅଧାରରେ ଏହିଭଳି ମୋଟ ୫୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।