‘ସମ୍ବାଦ’ ଜାଗ୍ରତ କରିବା ପରେ ଅର୍ଜୁନ ପୁରସ୍କାର ଲାଗି ଦୂତିଙ୍କ ନାମ ସୁପାରିସ

ଭୁବନେଶ୍ବର : ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଗି ଓଡ଼ିଶା ସରକାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ନାମ ସୁପାରିସ କରିଛନ୍ତି। ଏଥିଲାଗି ସୁପାରିସ ପତ୍ର ପଠାଇବାର ଶେଷ ତାରିଖ ଜୁନ୍ ୩ ଥିଲା ବେଳେ ଏହା ପୂର୍ବରୁ ହିଁ ଦୂତିଙ୍କ ନାମ ସୁପାରିସ କରାଯାଇ ସାରିଥିବା କ୍ରୀଡ଼ା ଓ ଯୁବସେବା ନିର୍ଦେଶକ ଆର ଭିନିଲକ୍ରିଷ୍ଣା ‘ସମ୍ବାଦ’କୁ କହିଛନ୍ତି। ଗତବର୍ଷ ମଧ୍ୟ ଓଡ଼ିଶା ସରକାର ଅର୍ଜୁନ ପୁରସ୍କାର ଲାଗି ଦୂତିଙ୍କ ନାମ ସୁପାରିସ କରିଥିଲେ। ତେବେ ସୁପାରିସ ପତ୍ର ନିର୍ଦ୍ଧାରିତ ତାରିଖ ପରେ ପହଞ୍ଚିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏହାକୁ ଗ୍ରହଣ କରି ନଥିଲା। ସର୍ବଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍‌ଆଇ) ମଧ୍ୟ ନିଜ ପସନ୍ଦର ତାଲିକାରେ ଦୂତିଙ୍କୁ ପଞ୍ଚମ ସ୍ଥାନରେ ରଖିଥିଲା। ତେବେ ଅର୍ଜୁନ ପୁରସ୍କାର ନିୟମ ଅନୁସାରେ ‌କୌଣସି ଜାତୀୟ କ୍ରୀଡ଼ା ସଂଘ ସର୍ବାଧିକ ୩ ଜଣ ଖେଳାଳିଙ୍କ ନାମ ହିଁ ଏହି ପୁରସ୍କାର ଲାଗି ସୁପାରିସ କରିପାରିବ। ସେହି ଦୃଷ୍ଟିରୁ ବୈଷୟିକ କାରଣ ଦର୍ଶାଇ ଏଏଫଆଇ ସୁପାରିସକୁ ମଧ୍ୟ କ୍ରୀଡ଼ା ମନ୍ତ୍ରାଳୟ ଗ୍ରହଣ କରି ନଥିଲା। ଫଳରେ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଦୁଇଟି ପଦକ ଜିତିବା ସତ୍ତ୍ବେ ଦୂତି ଓଡ଼ିଶାର ନବମ ଅର୍ଜୁନ ହେବାରୁ ବଞ୍ଚିତ ହୋଇଥିଲେ। ଏବର୍ଷ କିନ୍ତୁ ଓଡ଼ିଶା ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଯାହା ଫଳରେ ଦୂତି ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇବାର ଆଶା ସଂଚାର ହୋଇଛି।

ସୂଚନାଯୋଗ୍ୟ ଯେ ଏଥିନେଇ ‘ସମ୍ବାଦ’ରେ ‘ଦୂତିଙ୍କ ଅର୍ଜୁନ ଆଶା’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଗତ ଚାରି ବର୍ଷ ହେବ ଦୂତି ରନିଂ ଟ୍ରାକ୍‌ରେ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ୨୦୧୬ ଗୁଆହାଟୀ ଦକ୍ଷିଣ ଏସୀୟ କ୍ରୀଡ଼ାର ୧୦୦ ମିଟର ରୌପ୍ୟ ଓ ୨୦୦ରେ କାଂସ୍ୟ ଜିତିଥିଲେ। ୨୦୧୭ ଭୁବନେଶ୍ବର ଏସୀୟ ଦୌଡ଼କୁଦରେ ଦୁଇଟି କାଂସ୍ୟ (୧୦୦ ଓ ୪ ଗୁଣା ୧୦୦ ରିଲେ) ପଦକ ଜିତିବା ସହ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ପାଇଥିଲେ। ସୁପାରିସ ଲାଗି ଦୂତି ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ମିନତି ମହାପାତ୍ର (ସାଇକ୍ଲିଂ), ବିଜୟ ଶତପଥୀ (ଭାରୋତ୍ତୋଳନ), ଦିଲୀପ ତିର୍କି, ଇଗ୍ନେସ ତିର୍କି, ଜ୍ୟୋତି ସୁନିତା କୁଲୁ (ସମସ୍ତେ ହକି), ଆଥ୍‌ଲେଟ୍‌ ରଚିତା ପଣ୍ଡା (ମିସ୍ତ୍ରୀ), କେ ରବି କୁମାର (ଭାରୋତ୍ତୋଳନ) ଓ ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ଓଡ଼ିଶା ପାଇଁ ଅର୍ଜୁନ ପୁରସ୍କାର ଜିତି ସାରିଛନ୍ତି।

ସମ୍ବନ୍ଧିତ ଖବର