ଭୁବନେଶ୍ବର: ଦୌଡ଼ରାଣୀ ଦୂତି ଚାନ୍ଦ ଓ ତାଙ୍କ ବଡ଼ ଭଉଣୀ ସରସ୍ବତୀ ଚାନ୍ଦଙ୍କ ମଧରେ ଲାଗିଥିବା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଗତ କିଛି ମାସ ହେବ ଉଭୟ ପରସ୍ପରକୁ ସାମାଜିକ ଗଣମାଧ୍ୟମରେ ଆକ୍ଷେପ ଓ ପ୍ରତିଆକ୍ଷେପ କରି ଆସୁଥିଲା ବେଳେ ଶନିବାର ସରସ୍ବତୀଙ୍କ ବିରୋଧରେ ଦୂତି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଅତୀତରେ ସରସ୍ବତୀ ଦୂତିଙ୍କ ସମଲିଙ୍ଗୀ ସଂପର୍କକୁ ବିରୋଧ କରୁଥିଲେ। ନାନା ଉପାୟରେ ହଇରାଣ ହରକତ ବି କରୁଥିଲେ। ଏକଥା ବାହାରେ କହି ବଦନାମ କରିଦେବେ ବୋଲି ଧମକ ଦେଉଥିଲେ। ହେଲେ ଏବେ ସେ ନିଜେ ଏଭଳି ସଂପର୍କରେ ଲିପ୍ତ ଅଛନ୍ତି। ଆସାମର ଜଣେ ଝିଅକୁ ଆଣି ପ୍ରଶିକ୍ଷଣ ଦେବା ନାଁ’ରେ ତାଙ୍କ ସହ ସମଲିଙ୍ଗୀ ସଂପର୍କ ରଖିଛନ୍ତି। ୨୦୧୮ ମସିହାରୁ ଝିଅ ଜଣକ ଆମ ଘରେ (ଯାଜପୁରର ଚକଗୋପାଳପୁର) ରହି ଆସୁଛନ୍ତି। ଏକଥା ଆମ ଗାଁ ଲୋକ ମୋତେ କହିଛନ୍ତି। ଘର ଲୋକ ମଧ୍ୟ ସୂଚନା ଦେଇଛନ୍ତି ବୋଲି ଦୂତି ‘ସମ୍ବାଦ’କୁ କହିଛନ୍ତି। ସେହିଭଳି ସରସ୍ବତୀ ତାଙ୍କୁ ଅତୀତରେ ଧମକ ଚମକ ଦେଉଥିଲା ବେଳେ ସଂପ୍ରତି ଫେସବୁକ୍ରେ ନିୟମିତ କଟାକ୍ଷ କରୁଛନ୍ତି। ପ୍ରଶିକ୍ଷକ ଏବଂ ମାର୍ଗଦର୍ଶକଙ୍କୁ ଅପମାନ ଦେଉଛନ୍ତି। ସେଥିପାଇଁ ମୁଁ ଘୋର ମାନସିକ ଚାପରେ ରହୁଛି ଏବଂ ପ୍ରଶିକ୍ଷଣ ଓ ଅଭ୍ୟାସ ଉପରେ ମନୋନିବେଶ କରି ପାରୁନି ବୋଲି ଦୂତି ଅଭିଯୋଗ କରିଛନ୍ତି।
ସରସ୍ବତୀଙ୍କ ଏହି ସମଲିଙ୍ଗୀ ସଂପର୍କକୁ ନେଇ ଶନିବାର ଅପରାହ୍ଣରୁ ହିଁ ଚର୍ଚା ଆରମ୍ଭ ହୋଇଯାଇଥିଲା। ସରସ୍ବତୀ ଓ ସଂପୃକ୍ତ ଝିଅଙ୍କ ଫଟୋ ଦୂତି ନିଜ ଫେସବୁକ୍ ପୃଷ୍ଠାରେ ପ୍ରକାଶ କରିବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ହେଲେ କିଛି ସମୟ ପରେ ଦୂତି ଏହାକୁ କୌଣସି କାରଣରୁ ଡିଲିଟ୍ କରି ଦେଇଥିଲେ। ତେବେ କାହାକୁ ବଦନାମ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ ଟେଲିଫୋନ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ‘‘ସରସ୍ବତୀଙ୍କ ବ୍ୟକ୍ତିଗତ ଜୀବନରେ ମୁଁ ହସ୍ତକ୍ଷେପ କରିବାକୁ ଚାହେନି। ତାଙ୍କ ସଂପର୍କକୁ ବି ମୁଁ ବିରୋଧ କରୁନି। ହେଲେ ସେ ମୋତେ ଘରେ ପୂରାଇ ଦେଉନାହାନ୍ତି। ମୁଁ ମୋ ପଇସାରେ ଘର ତୋଳିଥିଲେ ମଧ୍ୟ ମୋତେ ଘର ଭିତରକୁ ପୂରାଇ ଦେଉନାହାନ୍ତି। ମୋ ଅନ୍ୟ ଭଉଣୀମାନେ ସରସ୍ବତୀଙ୍କ ଚାପରେ ମୋ ସହ କଥା ହେଉ ନାହାନ୍ତି। ତାଙ୍କ ଡରରେ ହିଁ ମୋ ପରିବାରବର୍ଗ ମୋ ସହ ସଂପର୍କ ରଖୁନାହାନ୍ତି। ସେ ଯଦି ମୋ ସଂପର୍କକୁ ବିରୋଧ କରୁଥିଲେ ନିଜେ କେମିତି ଏଭଳି ସଂପର୍କରେ ଅଛନ୍ତି’’ ବୋଲି ଦୂତି ପ୍ରଶ୍ନ କରିଛନ୍ତି। ସରସ୍ବତୀ ମୋ ବିରୋଧରେ ଅଭିଯୋଗ ଆଣିବା ଚାଲୁଣୀ ଛୁଞ୍ଚିକୁ କହିଲା ଭଳି ବୋଲି ସେ ପରିହାସ କରିଛନ୍ତି।
ଦୂତିଙ୍କ ଅଭିଯୋଗକୁ କିନ୍ତୁ ସରସ୍ବତୀ ଖଣ୍ଡନ କରିଛନ୍ତି। ସେହି ଝିଅ ଜଣକ ଆମେ ଘରେ ରହି ମୋ’ଠାରୁ ଦୌଡ଼କୁଦ ପ୍ରଶିକ୍ଷଣ ନେଉଛି। ମୁଁ ଜଣେ ଏନ୍ଆଇଏସ୍ ସ୍ବୀକୃତିପ୍ରାପ୍ତ ଦୌଡ଼କୁଦ ପ୍ରଶିକ୍ଷକ। ପ୍ରଶିକ୍ଷଣ ଦେବାରେ ଅସୁବିଧା ରହିଲା କେଉଁଠି। ପ୍ରଶିକ୍ଷଣ ସରିଲା ପରେ ସେ ତା’ ଘରକୁ ଫେରିଯିବ। ଦୂତି କରିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସରସ୍ବତୀ ମତ ଦେଇଛନ୍ତି। ସମୟ ଆସିଲେ ଦୂତିକୁ ନେଇ ଆହୁରି ଅନେକ କଥା ଉନ୍ମୋଚନ କରିବେ ବୋଲି ସେ କହିଛନ୍ତି। ସେପଟେ ଦୂତି ତାଙ୍କ ବିଏମଡବ୍ଲ୍ୟୁ କାର୍ ବିକ୍ରିକୁ ନେଇ ଆରମ୍ଭ ହୋଇଥିବା ଚର୍ଚା ଆପାତତଃ ଥମିଛି। ନିଜେ କିଣିଥିବା ଏହି କାର୍ଟିକୁ ବିକ୍ରି କରିବେ ବୋଲି ଶୁକ୍ରବାର ସେ ନିଜ ଫେସବୁକ୍ ପୃଷ୍ଠାରେ ଉଲ୍ଲେଖ କରିଥିଲେ। ଅଲିମ୍ପିକ୍ସ ପ୍ରଶିକ୍ଷଣ ପାଇଁ ଅର୍ଥାଭାବ ହେଉଥିବାରୁ କାର୍ ବିକ୍ରି କରିବାକୁ ସେ ବାଧ୍ୟ ହୋଇଥିବା ମତ ରଖିଥିଲେ। ଶନିବାର କିନ୍ତୁ ନିଜ ନିଷ୍ପତ୍ତି ବଦଳାଇଛନ୍ତି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ସହଯୋଗ କରିବେ ବୋଲି ଆଶ୍ବାସନା ଦେଇଥିବାରୁ କାର୍ ବିକ୍ରି କରିବା ନିଷ୍ପତ୍ତିକୁ ମୁଁ ବଦଳାଇ ଦେଇଛି। ଏହାକୁ ଆଉ ବିକିବି ନାହିଁ ବୋଲି ଦୂତି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/8fshf89h7s8f97f8sh9sfhfhffh.jpg)