ଟୋକିଓ : ଟୋକିଓ ଅଲିମ୍ପିକ୍ସ ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିନରେ ଟ୍ରାକ୍‌କୁ ଓହ୍ଲାଉଥିବାରୁ ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ଉପରେ ସବୁ ଭାରତୀୟଙ୍କ ନଜର ଥିଲା। ତୀବ୍ର ପ୍ରତିଦ୍ବନ୍ଦ୍ବିତାଭରା ମହିଳା ୧୦୦ ମିଟର ଦୌଡ଼ରେ ସେ କମାଲ କରିବେ ବୋଲି ସମସ୍ତେ ଆଶା ରଖିଥିଲେ। ଏପରିକି ତାଙ୍କୁ ଦେଖିବା ଲାଗି କ୍ରୀଡ଼ାପ୍ରେମୀ ଶୁକ୍ରବାର ସକାଳୁ ସକାଳୁ ଟେଲିଭିଜନ ପରଦା ସମ୍ମୁଖରେ ଭିଡ଼ ଜମାଇଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଦୂତି ଆଶାଜନକ ପ୍ରଦର୍ଶନ କରିପାରିନଥିଲେ। ହିଟ୍-୫ରେ ଦୌଡ଼ିଥିବା ଦୂତି ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ଖରାପ କରି ୮ ଜଣଙ୍କ ମଧ୍ୟରେ ସପ୍ତମ ସ୍ଥାନରେ ରହି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ମୋଟ ଉପରେ ୫୪ ଜଣିଆ ପ୍ରତିଯୋଗିତାରେ ନୈରାଶ୍ୟଜନକ ଭାବେ ୪୫ତମ ସ୍ଥାନରେ ରହିଥିଲେ ଦୂତି। ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ଦୂତି ଆଜି ୧୧.୫୪ ସେକେଣ୍ଡ ଟାଇମିଂ ପାଇଥିଲେ। ଯାହା ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୧.୧୭ ସେକେଣ୍ଡଠାରୁ ୦.୩୭ ସେକେଣ୍ଡ ଅଧିକ ଥିଲା। ୨୫ ବର୍ଷୀୟା ଦୂତି କିନ୍ତୁ ଲଗାତାର ଦୁଇଟି ଅଲିମ୍ପିକ୍ସର ମହିଳା ୧୦୦ ମିଟରରେ ଦେଶର ପ୍ରତିନିଧିତ୍ବ କରିବାର ନିଆରା ସଫଳତା ଲାଭ କରିଥିଲେ। ୨୫ ବର୍ଷୀୟା ଦୂତି ଏବେ ନିଜ ପରବର୍ତ୍ତୀ ମୁକାବିଲାରେ ଅଗଷ୍ଟ ୨ ତାରିଖରେ ୨୦୦ ମିଟର ହିଟ୍ ଖେଳିବେ। ସେଠାରେ ସେମିଫାଇନାଲ୍‌କୁ ଯିବା ଲାଗି ପ୍ରୟାସ କରିବେ। ଏହା ପୂର୍ବରୁ ୪ ବର୍ଷ ତଳେ ଅର୍ଥାତ୍ ୨୦୧୬ ରିଓ ଅଲିମ୍ପିକ୍ସରେ ଦୂତି ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ସେଥିରେ ମଧ୍ୟ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ରିଓ ଅଲିମ୍ପିକ୍ସ ପାଇଁ ଆନୁଷ୍ଠାନିକ ଭାବେ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଆ ଝିଅ ଦୂତି ନିଜ ବିଶ୍ବମାନ୍ୟତା ଆଧାରରେ ଟୋକିଓ ଟିକେଟ ପାଇଥିଲେ।

Advertisment

publive-image

ଆଶାପୂରଣ କରିପାରିନଥିବାରୁ ବହୁତ ଦୁଃଖିତ: ଦୂତି
ମହିଳା ୧୦୦ ମିଟର ଦୌଡ଼ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ ଦୂତି ନିଜ ପ୍ରଶଂସକଙ୍କୁ କ୍ଷମା ମାଗି ନେଇଛନ୍ତି। ଆଶା ପୂରଣ କରିପାରି ନଥିବାରୁ ବହୁତ ଦୁଃଖିତ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି। ‘‘‌ମୋ ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରୁଛି। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ୍ ସାର୍ ଓ ଗତରାତିରେ ଫୋନ୍ କରି ମୋ ମନୋବଳ ବଢ଼ାଇବା ସହ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିବା ପ୍ରଫେସର ଅଚ୍ୟୁତ ସାମନ୍ତଙ୍କ ନିକଟରେ ମୁଁ ଋଣୀ। ମୁଁ ଦୁଃଖିତ ଯେ ଆପଣମାନଙ୍କ ଆଶା ପୂରଣ କରି ପାରିଲି ନାହିଁ। ସଂପ୍ରତି ମୁଁ ଏହି ବିଷୟରେ ଅଧିକ କିଛି ଭାବୁନାହିଁ। ଅଗଷ୍ଟ ୨ରେ ୨୦୦ ମିଟର ଦୌଡ଼ ଥିବାରୁ ତା ଉପରେ ମନୋନିବେଶ କରୁଛି। ଆସନ୍ତା ଇଭେଣ୍ଟ ଲାଗି ମୋ ପାଇଁ ପୂର୍ବଭଳି ପ୍ରାର୍ଥନା କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି’’ ବୋଲି କହିଥିଲେ ଦୂତି। ସେପଟେ ଠାକୁରଙ୍କ ପାଖରେ ଦୀପ ଜାଳି ଦୂତିଙ୍କ ଶୁଭମନାସୀ ଥିବା ମା’ ଅକୁଞ୍ଜୀ ଚାନ୍ଦ ଦୂତିଙ୍କ ପ୍ରଦର୍ଶନକୁ ନେଇ ବିତର୍କିତ ମନ୍ତବ୍ୟ ଦେଇଛନ୍ତି। ସେ (ଦୂତି) କର୍ମ କରିଥିଲେ ସିନା ଫଳ ପାଇଥା’ନ୍ତା ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଅକୁଞ୍ଜୀ। ତେ‌ବେ ଜାମାଇକାର ମହାନ ଧାବିକା ସେଲିଆନ୍ ଫ୍ରେଜର ପ୍ରାଇସ୍‌ଙ୍କ ସହ ଅନ୍ୟ ବିଶ୍ବସ୍ତରୀୟ ଧାବିକାଙ୍କ ମେଳରେ ଦୌଡ଼ିବା ଦୂତିଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି ତାଙ୍କ ସମର୍ଥକମାନେ ଯୁକ୍ତି ବାଢ଼ିଛନ୍ତି।