ଫେଡେରେସନ୍‌ କପ୍‌ ଦୌଡ଼କୁଦ, ଦୂତିଙ୍କୁ ଦ୍ବିତୀୟ ସ୍ବର୍ଣ୍ଣ, ପୂର୍ଣ୍ଣିମାଙ୍କୁ ରୌପ୍ୟ

କଟକ: ପାତିଆଲା ସ୍ଥିତ ଜାତୀୟ କ୍ରୀଡ଼ା ସଂସ୍ଥାନ (ଏନଆଇଏସ୍)ରେ ଆୟୋଜିତ ହେଉଥିବା ଫେଡେରେସନ୍‌ କପ୍‌ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଶେଷ ହୋଇଛି। ଅନ୍ତିମ ଦିନରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଦୂତି ୧୧.୪୫ ସେକେଣ୍ତ ସମୟ ନେଇ ଏହି ସଫଳତା ପାଇଛନ୍ତି। ତାଙ୍କ ପଛକୁ ତାମିଲନାଡ଼ୁର ଅର୍ଚ୍ଚନା ସୁସେନ୍ଦ୍ରନ୍‌ ୧୧.୭୨ ସେକେଣ୍ତ ସହ ରୌପ୍ୟ ଓ ରଙ୍ଗା କେ. ୧୧.୭୫ ସେକେଣ୍ତରେ କା˚ସ୍ୟ ପଦକ ହାସଲ କରିଛନ୍ତି। ଏହା ପୂର୍ବରୁ ଦୂତି ୨୦୦ ମିଟରରେ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଆଜିର ସ୍ବର୍ଣ୍ଣିମ ସଫଳତା ପରେ ସେ ଉଭୟ ୧୦୦ ଏବଂ ୨୦୦ ମିଟରର ପ୍ରଥମ ସ୍ଥାନରେ ରହି ଦ୍ବିମୁକୁଟ ପାଇବାର ଗୌରବ ଅର୍ଜନ କରିଛନ୍ତି। ଏହି ସଫଳତା ଲାଗି ସେ ନିଜ ପ୍ରଶିକ୍ଷକ ନାଗପୁରୀ ରମେଶ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନ୍ୟପକ୍ଷରେ ମହିଳା ହେପ୍ଟାଥଲନ୍‌ରେ ପୂର୍ଣ୍ଣିମା ହେମ୍ବ୍ରମ୍‌ ୫୫୯୭ ପଏଣ୍ଟ୍‌ରେ ରୌପ୍ୟ ପଦକ ପାଇଛନ୍ତି। ପ୍ରଥମ ଦିନରେ ସେ ୩୧୬୮ ପଏଣ୍ଟ୍‌ ପାଇଥିଲା ବେଳେ ଦ୍ବିତୀୟ ଦିନରେ ଲମ୍ବଡିଆଁରୁ ୮୭୪, ଜାଭେଲିନ୍‌ରୁ ୬୫୪ ଓ ୮୦୦ ମିଟର ଦୌଡ଼ରୁ ୭୫୧ ପଏଣ୍ଟ୍‌ ହାସଲ କରିଥିଲେ। ଏହି ଇଭେଣ୍ଟରେ ପଶ୍ଚିମବଙ୍ଗର ସ୍ବପ୍ନା ବର୍ମନ ୫୯୦୧ ପଏଣ୍ଟ ସହ ସ୍ବର୍ଣ୍ଣ ଓ ତାମିଲନାଡୁର ଏମ.ସୌମ୍ୟା ୫୨୯୨ ପଏଣ୍ଟ ସହ କା˚ସ୍ୟ ପଦକ ପାଇଛନ୍ତି। ମହିଳା ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ୧୪.୭୩ ସେକେଣ୍ତ ସହ ସପ୍ତମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର