କେବିସି ହଟ୍ ସିଟ୍‌ରେ ଦୂତି: କହିଲେ, ଅମିତାଭଙ୍କ ପ୍ରଶଂସା ଅବିସ୍ମରଣୀୟ

ଭୁବନେଶ୍ବର: ବିଗ୍ ବି ଅମିତାଭ ବଚ୍ଚନ ମୋ ପ୍ରଶଂସକ। ଏକଥା ସ୍ବୟଂ ଅମିତାଭ ମୋତେ କହିଥିଲେ। ପ୍ରଥମେ ପ୍ରଥମେ କାନକୁ ବିଶ୍ବାସ କରି ପାରି ନଥିଲି। ହେଲେ ଅମିତାଭ ବାରମ୍ବାର ଏକଥା କହିବା ପରେ ମନେ ମନେ ବହୁତ ଖୁସି ହୋଇଥିଲି। କେବିସି (କୌନ୍ ‌ବନେଗା କରୋଡ଼ପତି) ହଟ୍ ସିଟ୍‌ରେ ବସିବାର ଅନୁଭୂତି ବର୍ଣ୍ଣନା କରି ଦୌଡ଼ରାଣୀ ଦୂତି ଚାନ୍ଦ ଏହା କହିଛନ୍ତି। ସେ କହିଛନ୍ତି ମୋ ଉପରେ ପ୍ରସ୍ତୁତ କରାଯାଇଥିବା ଭିଡିଓକୁ ଅମିତାଭ ଆନନ୍ଦର ସହ ଦେଖିଥିଲେ। ମୋ ସହ ବ୍ୟକ୍ତିଗତ ଭାବେ ଅଧଘଣ୍ଟାଏରୁ ଅଧିକ ସମୟ ଧରି ଗପିଥିଲେ। ସଂଘର୍ଷ ଏବଂ ସଫଳତାର କାହାଣୀକୁ ଅନେକ ପ୍ରଶଂସା କରିଥିଲେ। ତାଙ୍କ ଭଳି ଜଣେ ମହାନ କଳାକାର ତଥା ସୁପରଷ୍ଟାର କରିଥିବା କେଇ ପଦ ପ୍ରଶଂସା ମୋ ପାଇଁ ଅବିସ୍ମରଣୀୟ। ପିଲାଟି ଦିନରୁ ଯେଉଁ ମହାନାୟକଙ୍କୁ ପରଦା ଉପରେ ଦେଖି ଆସୁଥିଲି, ତାଙ୍କୁ ହାତ ପାହାନ୍ତାରେ ପାଇଥିଲି। ଆନନ୍ଦ ସବୁ ସୀମା ଟପିଯାଇଥିଲା।

କେବିସି ଯିବାକୁ ଏକ ବଡ଼ ସମ୍ମାନଭାବେ ବର୍ଣ୍ଣନା କରିଛନ୍ତି ଦୂତି। ଅମିତାଭଙ୍କ ସମ୍ମୁଖରେ ବସି ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅଭିଜ୍ଞତାକୁ ବର୍ଣ୍ଣନା କରିବାକୁ ଯାଇ ଦୂତି କହିଛନ୍ତି ଯେ ମୁଁ ଆଗରୁ ଅଭିଷେକ ବଚ୍ଚନଙ୍କୁ ଅନେକ ଥର ଭେଟିଛି। ତାଙ୍କ ସହ ବାର୍ତାଳାପ କରିଛି। ଅମିତାଭ ଅବଶ୍ୟ ମୋ ଖେଳକୁ ନିୟମିତ ଅନୁସରଣ କରନ୍ତି। ଟ୍ବିଟ୍ କରି ମୋତେ ଅଭିନନ୍ଦନ ଜଣାନ୍ତି। ଉତ୍ସାହିତ କରନ୍ତି। ହେଲେ ମୁଁ ତାଙ୍କୁ କେବେ ସ୍ବଚକ୍ଷୁରେ ଦେଖି ନଥିଲି। ଅମିତାଭଙ୍କୁ ପ୍ରଥମ ଥର ଭେଟିବାର ସୌଭାଗ୍ୟ ପାଇଥିଲି ଏହି କାର୍ଯ୍ୟକ୍ରମରେ। କେବିସି ନିୟମକୁ ସେ ମୋତେ ଭଲ ଭାବରେ ବୁଝାଇ ଦେଇଥିଲେ। ଜଣେ ମହାନ ଅଭିନେତା ସହ ଅମିତାଭ କୋମଳ ହୃଦୟର ଅଧିକାରୀ ବୋଲି ମୁଁ ଏହି ଅବସରରେ ଜାଣିଥିଲି। ଦୂତିଙ୍କ ଆତ୍ମଜୀବନୀକୁ ନେଇ ଆଗକୁ ଏକ ବଲିଉଡ୍ ଚଳଚ୍ଚିତ୍ର ନିର୍ମାଣ ହେଉଥିବା ଖବର ଚର୍ଚାରେ ରହିଛି। ଏଥିନେଇ ଅମିତାଭ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ କଙ୍ଗନା ରନୋଟ୍ ତାଙ୍କ ଚିରିତ୍ରକୁ ନିଖୁଣ ଭାବେ ତୁଲାଇ ପାରିବେ ବୋଲି ଦୂତି ମତ ରଖିଥିଲେ।

ଆଜି ରାତିରେ ପ୍ରସାରଣ
ଦୂତିଙ୍କ ଅଧ୍ୟାୟର ସୁଟିଂ ପ୍ରାୟ ଦୁଇ ସପ୍ତାହ ପୂର୍ବେ ଶେଷ ହୋଇ ସାରିଛି। ହେଲେ ଏହା ପ୍ରସାରଣ ଶୁକ୍ରବାର ରାତି ୯ଟାରେ ହେବ। ‌ଯାହାର ପ୍ରମୋ ଗତ କିଛି ଦିନ ହେବ ସୋନି ଚ୍ୟାନେଲ ପକ୍ଷରୁ ପ୍ରସାରିତ ହୋଇ ଆସୁଛି। ସୂଚନାଯୋଗ୍ୟ ଯେ ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ କୁଇଜ୍ କାର୍ଯ୍ୟକ୍ରମ କେବିସିକୁ ଦୂତି ପ୍ରଥମ ଓଡ଼ିଆ ମହିଳା ତାରକା ଭାବେ ଆମନ୍ତ୍ରୀତ ହୋଇଥିଲେ। ତାଙ୍କ ସହ ଥିଲେ ଆସାମର ଅନ୍ତର୍ଜାତୀୟ ଧାବିକା ହିମା ଦାସ ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ। କେବିସିର ‘କରମବୀର’ ବିଭାଗରେ ସାମିଲ ଥିଲେ ଭାରତୀୟ ଦୌଡ଼କୁଦ ଜଗତର ଦୁଇ ଚର୍ଚିତ ଧାବିକା ଦୂତି ଏବଂ ହିମା। ସେହବାଗ ସେମାନଙ୍କ ସମର୍ଥକ ଥିଲେ। ଦୂତି ଏହା ପୂର୍ବରୁ କପିଳ ଶର୍ମା ସୋ’ ଏବଂ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଅନ୍ୟତମ ବିଚାରକ ଭାବେ ଯୋଗ ଦେଇ ସାରିଛନ୍ତି। ସେ ମଧ୍ୟ ପ୍ରଥମ ଓଡ଼ିଆ ଭାବେ ପ୍ରସିଦ୍ଧ ଭୋଗ୍ ପତ୍ରିକାର ମଲାଟରେ ସ୍ଥାନ ପାଇ ସାରିଛନ୍ତି। ଦୂତିଙ୍କ ପୂର୍ବରୁ ହକି ତାରକା ବୀରେନ୍ଦ୍ର ଲାକ୍ରା ମଧ୍ୟ କେବିସିର ଏକ ଅଧ୍ୟାୟରେ ଦେଖିବାକୁ ମିଳିଥିଲେ।

ଦାନ କଲେ ଜିତିଥିବା ଅର୍ଥ
ଦୂତି ଦେଇଥିବା ସୂଚନା ଅନୁସାରେ କେବିସିରେ ହିମା ଓ ତାଙ୍କୁ ଅମିତାଭ ମୋଟ ୧୪ ପ୍ରଶ୍ନ ପଚାରିଥିଲି। ଉଭୟ ଖେଳାଳି ୭ଟି ଲେଖାଏଁ ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିମଧ୍ୟରେ ସେମାନେ ୧୨ ଲକ୍ଷ ୫୦୦୦୦ ଟଙ୍କାର ପୁରସ୍କାର ଜିତିଥିଲେ। ଦୂତି ଜିତିଥିବା ପୁରସ୍କାର ରାଶିକୁ ‘କିସ୍‌’କୁ ଦାନ କରିଛନ୍ତି। ସେ ଏଥିନେଇ କହିଛନ୍ତି ନିୟମ ଅନୁସାରେ ଜିତିଥିବା ଅର୍ଥକୁ ଆମକୁ କୌଣସି ଦାତବ୍ୟ ଅନୁଷ୍ଠାନକୁ ଦେବାକୁ କୁହାଯାଇଥିଲା। ମୁଁ ଏଥିଲାଗି ‘କିସ୍’କୁ ବାଛିଥିଲି। ହିମା ଦାସ ଆସାମର ଏକ ସ୍ବେଚ୍ଛାସେବୀ ସଂଗଠନକୁ ପୁରସ୍କାର ରାଶି ‌ଦେବାକୁ ଘୋଷଣା କରିଥିଲେ।

ଅଲିମ୍ପିକ୍ସ ଯୋଗ୍ୟତା ଉଦ୍ୟମ ଜାରି ରହିଛି
ଦୂତି ନିକଟରେ ନିଜ ଜାତୀୟ କୀର୍ତ୍ତିମାନ ଭାଙ୍ଗିଥିଲେ। ୧୧.୨୨ ସେକେଣ୍ଡ ସମୟ ନେଇ ମହିଳା ୧୦୦ ମିଟରରେ ନିଜକୁ ହିଁ ଟପିଥିଲେ। ହେଲେ ମାତ୍ର କିଛି ମିଲି ସେକେଣ୍ଡ ପାଇଁ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନରୁ ବଞ୍ଚିତ ହୋଇଥିଲେ। ତେବେ ଏଥିଲାଗି ଉଦ୍ୟମ ଜାରି ରଖିଛନ୍ତି ସେ। ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ନେଇ ଦୂତି କହିଛନ୍ତି ଯେ ୨୦୧୯ରେ ଯେତେ ସବୁ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଥିଲା ପ୍ରାୟ ସବୁ ସରି ଯାଇଛି। ନଭେମ୍ବର ମଝିରୁ ନୂଆ ଋତୁ ଆରମ୍ଭ ହେବ। ଜାନୁଆରି ପର୍ଯ୍ୟନ୍ତ ଏହା ଚାଲିବ। ସେଥିରେ ମୁଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବି। ଏଥିଲାଗି ନିୟମିତ ଅଭ୍ୟାସ ବି କରୁଛି। ରୢାଙ୍କିଙ୍ଗ୍ ଅନୁସାରେ ମୁଁ ଅଲିମ୍ପିକ୍ସ ଖେଳିବାର ମଧ୍ୟ ସମ୍ଭାବନା ରହିଛି। ବିଶ୍ବ ଦୌଡ଼କୁଦ ବେଳେ ମୋ ରୢାଙ୍କିଙ୍ଗ୍ ୩୪ ଥିଲା। ସେଥିପାଇଁ ସେମାନେ ମଧ୍ୟ ଆମନ୍ତ୍ରଣ କରିଥିଲେ। ଅଲିମ୍ପିକ୍ସରେ ମଧ୍ୟ ସେହି ସୁଯୋଗ ରହିବ।

ସମ୍ବନ୍ଧିତ ଖବର