ବିଶ୍ବ ଦୌଡ଼କୁଦ: ହିଟ୍‌ରେ ଅଟକିଲେ ଦୂତି

ଭୁବନେଶ୍ବର: କାତାର ରାଜଧାନୀ ଦୋହାରେ ଚାଲିଥିବା ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଦୌଡ଼ରାଣୀ ଦୂତି ଚାନ୍ଦ ଆଶାଜନକ ସଫଳତା ପାଇନାହାନ୍ତି। ଅନ୍ତର୍ଜାତୀୟ ଦୌଡ଼କୁଦ ମହାସଂଘ (ଏଆଇଏଫଏଫ୍)ଠାରୁ ସ୍ବତନ୍ତ୍ର ଆମନ୍ତ୍ରଣ ପାଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିବା ଦୂତି ମହିଳା ୧୦୦ ମିଟରର ହିଟ୍-୩ରେ ଦୌଡ଼ି ୮ ଜଣ ଧାବିକାଙ୍କ ମଧ୍ୟରୁ ସପ୍ତମ ସ୍ଥାନରେ ରହିଛନ୍ତି। ଫଳରେ ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଦୂତିଙ୍କ ଟାଇମିଂ (୧୧.୪୮ ସେକେଣ୍ଡ) ମଧ୍ୟ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ଢେର ଖରାପ ରହିଛି। ବିଶ୍ବ ଦୌଡ଼କୁଦରେ ଭାରତ ହାତଗଣତି ପଦକ ଜିତି ଥିବାରୁ ଚର୍ଚିତ ତାରକା ଦୂତିଙ୍କ ଉପରେ ଶନିବାର ସବୁ ଭାରତୀୟଙ୍କ ନଜର ଥିଲା। ସେ କିନ୍ତୁ ୪୭ ପ୍ରତିଯୋଗୀଙ୍କ ମଧ୍ୟରୁ ନୈରାଶ୍ୟଜନକ ଭାବେ ୩୭ତମ ସ୍ଥାନରେ ରହିଥିଲେ। ଏହି ବର୍ଗର ପ୍ରତ୍ୟେକ ହିଟ୍‌ରୁ ୩ ଜଣ ଶ୍ରେଷ୍ଠ ଖେଳାଳି ଏବଂ ପରବର୍ତୀ ୬ ଶ୍ରେଷ୍ଠ ସମୟ ହାସଲକାରୀ ଖେଳାଳି ସେମିଫାଇନାଲକୁ ପ୍ରବେଶ କରନ୍ତି। ଦୂତି ଏହି ତାଲିକାରେ ନଥିବାରୁ ତାଙ୍କ ବିଶ୍ବ ଦୌଡ଼କୁଦ ଅଭିଯାନ ଦୁର୍ଭାଗ୍ୟଜନକ ଭାବେ କିଛି ସେକେଣ୍ଡ ଭିତରେ ଶେଷ ହୋଇଯାଇଛି। ସୂଚନାଯୋଗ୍ୟ ଯେ ଦୂତି ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦୋହାରେ ହିଁ ହାସଲ କରିଥିଲେ। ଏଠାରେ ଚଳିତ ବର୍ଷ ଏପ୍ରିଲ ମାସରେ ଆୟୋଜିତ ଏସୀୟ ଦୌଡ଼କୁଦରେ ଦୂତି ୧୧.୨୬ ସେକେଣ୍ଡ ସମୟ ନେଇଥିଲେ। ଯାହା ଆଜି ପର୍ଯ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି। ଲଣ୍ଡନରେ ୨୦୧୭ରେ ଆ‌ୟା‌ଜିତ ବିଶ୍ବ ଦୌଡ଼କୁଦର ହିଟ୍‌ରେ ହାସଲ କରିଥିବା ୧୨. ୦୭ ସେକେଣ୍ଡ ସମୟଠାରୁ ଅବଶ୍ୟ ଦୋହାରେ ଦୂତି ଭଲ କରିଛନ୍ତି।

ଚେପଙ୍ଗେଟିଚଙ୍କୁ ପ୍ରଥମ ସ୍ବର୍ଣ୍ଣ
ଦୋହାର ଅସହ୍ୟ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ପାଇଁ ଶୁକ୍ରବାର ମଧ୍ୟରାତ୍ରିରେ ମହିଳା ମାରାଥନ ଆୟୋଜିତ ହୋଇଥିଲା। ମାତ୍ରାଧିକ ଗରମ ଏବଂ ଆର୍ଦ୍ରତା ପାଇଁ ମୋଟ ୬୮ରୁ ୨୮ ପ୍ରତିଯୋଗୀ ଦୌଡ଼ ‌ଶେଷ କରି ପାରିନଥିଲେ। କେନିଆର ୨୩ ବର୍ଷୀୟ ଧାବିକା ରୁଥ୍ ଚେପଙ୍ଗେଟିଚ୍ ଏଥିରେ ବିଜୟୀ ହେବା ସହ ଚଳିତ ବିଶ୍ବ ଦୌଡ଼କୁଦରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ସେ ୨ ଘଣ୍ଟା ୩୪.୧୪ ମିନିଟ୍ ସମୟ ‌ନେଇଥିଲେ। ଗତଥରର ସ୍ବର୍ଣ୍ଣ ବିଜୟିନୀ ରୋଜ୍ ଚେଲି‌ମୋ ରୌପ୍ୟ ପଦକରେ ସନ୍ତୁ‌ଷ୍ଟ ରହିଥି‌ଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ନାମିବ୍ୟା’ର ହେଲାଲିଆ ‌ଜୋହାନେସ୍ କାଂସ୍ୟ ପଦକ ହାସଲ କରିଥିଲେ। ଶନିବାର ପୁରୁଷ ମାରାଥନରେ ମଧ୍ୟ ଏକାଧିକ ଧାବକ ଭୀଷଣ ଗରମ ପାଇଁ ଦୌଡ଼ ଅଧାରୁ ଓହରିବାକୁ ବାଧ୍ୟ ହୋଇଥିଲେ।

ବାଧାଦୌଡ଼ ସେମିରୁ ଜବୀରଙ୍କ ବିଦାୟ
ପୁରୁଷ ୪୦୦ ମିଟର ବାଧାଦୌଡ଼ରେ ମଦାରି ପିଲୟାଲିଲ ଜବୀର ସେମିଫାଇନାଲରୁ
ବିଦାୟ ନେଇଛନ୍ତି। ୪୯.୭୧ ସେକେଣ୍ଡ ସମୟ ସହ ଜବୀର ୩ ନମ୍ବର ହିଟ୍‌ର ପଞ୍ଚମ ସ୍ଥାନରେ ରହି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ୨୪ ଜଣିଆ ସେମିଫାଇନାଲ୍ ମୁକାବିଲାରେ ସେ ୧୬ତମ ସ୍ଥାନରେ ରହିଥିଲେ। ଏହା ପୂର୍ବରୁ ଜବୀର ୪୯.୬୨ ସେକେଣ୍ଡ ନେଇ ସେମିଫାଇନାଲ ଯାଇଥିଲେ। ଅନ୍ୟତମ ଭାରତୀୟ ଧରୁନ ଆୟାସାମି ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ପୁରୁଷ ଲମ୍ବ ଡିଆଁରେ ଶ୍ରୀଶଙ୍କର ମୁରଲୀ ମଧ୍ୟ ବିଫଳ ହୋଇଥିଲେ। ୨୭ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ୨୨ତମ ସ୍ଥାନରେ ରହିଥିଲେ। ଦ୍ବିତୀୟ ଦିନରେ ଭାରତକୁ ମିଶ୍ରିତ ଯୁଗଳ ଛଡ଼ା ଅନ୍ୟ କୌଣସି ଖେଳରୁ ଭଲ ଖବର ମିଳି ନଥିଲା

ଫାଇନାଲରେ ଭାରତୀୟ ମିଶ୍ରିତ ରିଲେ ଦଳ
ମିଶ୍ରିତ ରିଲେ ଦଳ ଶନିବାର ଭାରତକୁ ସବୁଠାରୁ ବଡ଼ ଖୁସି ଖବର ଦେଇଥିଲା। ମହମ୍ମଦ ଆନସ, ବିସ୍ମୟ, ଜିସ୍‌ନା ମାଥ୍ୟୁ ଓ ନୋଆ ନିର୍ମଳଙ୍କୁ ନେଇ ଗଠିତ ଭାରତୀୟ ଦଳ ସେମିଫାଇନାଲରେ ୩ ମିନିଟ୍ ୧୬.୧୪ ସେକେଣ୍ଡ ସମୟ ନେଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ହିଟ୍-୨ରେ ଦୌଡ଼ିଥିବା ଭାରତୀୟ ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲା। ପୋଲାଣ୍ଡ ଏହି ହିଟ୍‌ରେ ପ୍ରଥମ ଏବଂ ବ୍ରାଜିଲ ଦ୍ବିତୀୟ ସ୍ଥାନରେ ରହିଥିଲା। ମୋଟ ଉପରେ ୧୬ ଦଳ ମଧ୍ୟରୁ ସପ୍ତମ ସ୍ଥାନରେ ରହି ଫାଇନାଲ୍ ଟି‌କେଟ ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବାର ଯୁଗଳ ଖୁସି ହାସଲ କରିଥିଲା। ହିମା ଦାସ ଏବଂ ଆରୋକିଆ ରାଜୀବଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରି ସଫଳତାର ନୂଆ ଫଦର୍ ଯୋଡ଼ିଥିଲା। ଏହି ବର୍ଗରେ ଆମେରିକା ୩ ମିନିଟ୍ ୧୨.୪୨ ସେକେଣ୍ଡ ସମୟ ନେଇ ଆମେରିକା ମିଶ୍ରିତ ଦଳ ନୂଆ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଥିଲା।

ସମ୍ବନ୍ଧିତ ଖବର