ଭୁବନେଶ୍ୱର: ଯାଜପୁର ଜିଲ୍ଲାର ରସୁଲପୁର ପଞ୍ଚାୟତରେ ପାଖାପାଖି ୫ରୁ ୭୦୦୦ ଲୋକ ବସବାସ କରନ୍ତି। ହେଲେ ଏଠାରେ ଡାକ୍ତରଖାନାଟିଏ ନାହିଁ। ଜାରକାରେ ଥିବା ନିକଟତମ ଡାକ୍ତରଖାନା ନଦୀ ପାର ହୋଇ ଗଲେ ୭ କିଲୋମିଟର, ଆଉ ଜାତୀୟ ରାଜପଥ ପଟେ ୧୦ରୁ ଅଧିକ କିଲୋମିଟର ଦୂର। ଦୀର୍ଘ ଦିନ ହେବ ଡାକ୍ତରଖାନାଟିଏ ଖୋଲିବାକୁ ସ୍ଥାନୀୟ ଲୋକ ଦାବି କରି ଆସୁଛନ୍ତି। ହେଲେ ଫଳ କିଛି ହେଉନି। ସେଥିପାଇଁ ଏହି ମହତ କାମକୁ ଆଗେଇ ନେବାକୁ ଦୌଡ଼ରାଣୀ ଦୂତି ଚାନ୍ଦ ଆଗେଇ ଆସିଛନ୍ତି। ନିଜ ଅଞ୍ଚଳରେ ଏକ ଡାକ୍ତରଖାନା ଖୋଲିବାକୁ ସେ ଅଣ୍ଟା ଭିଡ଼ିଛନ୍ତି। ଦୂତିଙ୍କ ଗାଁ ଚକଗୋପାଳପୂରରେ ବିସ୍ତୀର୍ଣ୍ଣ ସରକାରୀ ଜମି ଥିବାରୁ ସେଥିରୁ କିଛି ଡାକ୍ତରଖାନା ପାଇଁ ଦେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହାର ଆନୁସାଙ୍ଗିକ ସାହାଯ୍ୟ ସହଯୋଗ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଦୂତି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୋ ଗାଁ ଚକଗୋପାଳପୁର ଭଳି କୁଆଖିଆ, ବାରବାଟୀ ଆଦି ଗ୍ରାମର ୫,୦୦୦ରୁ ଅଧିକ ଲୋକ ଡାକ୍ତରୀ ସୁବିଧାରୁ ବଞ୍ଚିତ ହୋଇ ଆସୁଛନ୍ତି। ସେମାନେ ଏଥିଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଏକ ୫୦ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା ଖୋଲି ପାରିଲେ ବହୁତ ଭଲ ହୁଅନ୍ତା। ଗତ ଖୁଦୁରୁକୁଣୀ ଉତ୍ସବ ପାଳନ ଅବସରରେ ସାମନ୍ତ ସାର୍ଙ୍କ ଉଉଣୀ ଈତି ସାମନ୍ତ ଆମ ଗାଁକୁ ଅତିଥି ହୋଇ ଆସିଥିଲେ। ସ୍ଥାନୀୟ ତହସିଲଦାର, ସାଂସଦ ଅନୁଭବ ମହାନ୍ତି ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଆମେମାନେ ଏହି ବିଷୟରେ ସେମାନଙ୍କୁ ଜଣାଇଥିଲୁ। କିମ୍ସ ଭଳି ଏଠାରେ ଏକ ଡାକ୍ତରଖାନା କରିବାକୁ ଆମେ ଈତି ମାଡାମଙ୍କୁ ଅନୁରୋଧ କରିଥିଲୁ। ସାମନ୍ତ ସାର୍ଙ୍କ ଭଳି ସେ ମଧ୍ୟ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତହସିଲଦାର ମଧ୍ୟ ସହଯୋଗ କରିବାକୁ ସମ୍ମତି ଦେଇଥିଲେ। ରାଜ୍ୟ ସରକାର ମାତ୍ର ୬ ଗୁଣ୍ଠ ଜମି ଯୋଗାଇଦେଲେ ଚଳିତ ବର୍ଷଠାରୁ ହିଁ ଡାକ୍ତରଖାନା କାମ ଆରମ୍ଭ ହୋଇ ପାରନ୍ତା। ମୁଁ ବି ବ୍ୟକ୍ତିଗତ ଭାବେ ଡାକ୍ତରଖାନା ପାଇଁ ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଆସନ୍ତା କିଛି ଦିନ ଭିତରେ ଆମେ ତହସିଲଦାରଙ୍କୁ ଭେଟି ଡାକ୍ତରଖାନା ପାଇଁ ଜମି ଯୋଗାଇ ଦେବାକୁ ଲିଖିତ ଅନୁରୋଧ କରିବୁ ବୋଲି ଦୂତି କହିଛନ୍ତି।
ସୂଚନାଯୋଗ୍ୟ ଯେ ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଦୂତି ଦୁଇଟି ରୌପ୍ୟ ପଦକ ଜିତି ଚହଳ ସୃଷ୍ଟି କରିବା ପରେ ଯାଜପୁର ଜିଲ୍ଲାର ଚକଗୋପାଳପୁର ଏବେ ଦେଶ ବିଦେଶରେ ବେଶ୍ ପରିଚିତ ହୋଇ ସାରିଛି। ହେଲେ ଏହି ବୁଣାକାର ଗାଁରେ ଏବେବି ଅନେକ ମୌଳିକ ସୁବିଧା ସୁଯୋଗର ଅଭାବ ରହିଛି। ଗାଁର ଅନେକ ଲୋକ ଦରିଦ୍ର ସୀମା ରେଖା ତଳେ ରହିଛନ୍ତି। ସରକାରୀ ସ୍ବାସ୍ଥ୍ୟ ସେବା ଏଠାରେ ଏକପ୍ରକାର ଅପହଞ୍ଚ।