ଅର୍ଜୁନ ପୁରସ୍କାର ପାଇଁ ଦୂତି ମନୋନିତ, ଦୌଡ଼କୁଦରୁ ଦ୍ବିତୀୟ ଓଡ଼ିଆ

ଏ ପୁରସ୍କାର କେବଳ ମୋର ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କର: ଦୂତି

ଭୁବନେଶ୍ବର: ଚଳିତ ବର୍ଷ ସମ୍ମାନଜନକ ଅର୍ଜୁନ ପୁରସ୍କାର ଲାଗି ଦୌଡ଼ରାଣୀ ଦୂତି ଚାନ୍ଦ ମନୋନୀତ ହୋଇଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟ ମନୋନୟନ ସମିତି ମଙ୍ଗଳବାର ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଥିବା ୨୯ ଜଣିଆ ତାଲିକାରେ ସେ ସ୍ଥାନ ପାଇଛନ୍ତି। ଦୂତି ସଂପ୍ରତି ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିଲା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଓ ଭାରତ ପାଇଁ ଅଜସ୍ର ସଫଳତା ଆଣିଛନ୍ତି। ସେ ମଧ୍ୟ ‌ହେଉଛନ୍ତି ଦେଶର ଦ୍ରୁତତମ ଧାବିକା।

ଗତ ଚାରିବର୍ଷ ଦୂତି ସ୍ଥିର ପ୍ରଦର୍ଶନ ଦେଇ ଚୟନ ସମିତିର ବିଶ୍ବାସ ଭାଜନ ହୋଇଛନ୍ତି। ସମିତି କରିଥିବା ସୁପାରିସ ପ୍ରାୟତଃ ବଦଳୁ ନଥିବାରୁ ଦୂତିଙ୍କୁ ମିଶାଇ ରାଜ୍ୟର ଅର୍ଜୁନ ପୁରସ୍କାର ବିଜେତା ଖେଳାଳିଙ୍କ ସଂଖ୍ୟା‌ ୯କୁ ବଢ଼ିବ। ତେବେ ଚୂଡ଼ାନ୍ତ ତାଲିକା କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ମଞ୍ଜୁରି ପରେ ଆନୁଷ୍ଠାନିକ ଭାବେ ସ୍ପଷ୍ଟ ହୋଇଯିବ। ମନୋନୟନ ତାଲିକାରେ ଓଡ଼ିଶାର ଆଉ ଦୁଇ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ୍ ଏକ୍କାଙ୍କ ନାଁ ଥିବାର ଖବର ବି ମଙ୍ଗଳବାର ସଂଧ୍ୟାରେ ଆସିଥିଲା। ତେବେ ଏହା ଗୁଜବ ‌ବୋଲି ପରେ ଜଣାପଡ଼ିଥିଲା। ସୂଚନାଯୋଗ୍ୟ ଯେ ପ୍ରଥମ ଓଡ଼ିଆ ଭାବେ ସାଇକ୍ଲିଷ୍ଟ ମୀନତି ମହାପାତ୍ର ୧୯୮୦ ମସିହାରେ ଅର୍ଜୁନ ପୁରସ୍କାର ଜିତିଥିଲେ। ତାଙ୍କ ପରେ ୭ ଜଣ ଓଡ଼ିଆ ଏହି ପୁରସ୍କାର ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଗତବର୍ଷ ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତ ଅଷ୍ଟମ ଓଡ଼ିଆ ଭାବେ ଏହି ପୁରସ୍କାର ଲାଭ କରିଥିଲେ। ମନୋନୀତ ତାଲିକା: ଈଶାନ୍ତ ଶର୍ମା (କ୍ରିକେଟ୍), , ଶିବ କେଶବନ୍ ( ୱିଣ୍ଟର ଅଲିମ୍ପିଆନ), ଦୂତି ଚାନ୍ଦ (ଦୌଡ଼କୁଦ), ମନୁ ଭାକର (ବନ୍ଧୁକଚାଳନା), ସୌରଭ ଚୌଧୁରୀ ଓ ବିଶେଷ ଭ୍ରିଗୁବଂଶୀ (ବାସ୍କେଟବଲ୍), ଅଜୟ ଅନନ୍ତ ସାୱନ୍ତ (ଅଶ୍ବଚାଳନା), ଅଦିତି ଅଶୋକ ( ଗଲ୍ଫ), ସାରିକା ସୁଧାକର (ଖୋ ଖୋ), ସୁନିଲ ସେଟ୍ଟୀ (ଟେବୁଲ ଟେନିସ), ରାହୁଲ ଆୱାରେ , ଦିବ୍ୟ କକରନ୍ (କୁସ୍ତି) ପ୍ରମୁଖ।

ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ: ମିନତି ମହାପାତ୍ର (୧୯୮୦, ସାଇକ୍ଲିଂ), ବିଜୟ ଶତପଥୀ (୧୯୮୨, ଭାରୋତ୍ତୋଳନ), ରଚିତା ମିସ୍ତ୍ରୀ, ପଣ୍ଡା (୧୯୯୮, ଦୌଡ଼କୁଦ), ଦିଲୀପ ତିର୍କି (୨୦୦୨, ହକି), ଜ୍ୟୋତି ସୁନିତା କୁଲ୍ଲୁ (୨୦୦୭, ହକି), ଇଗ୍ନେସ ତିର୍କି (୨୦୦୯, ହକି), କେ ରବି କୁମାର (୨୦୧୧, ଭାରୋତ୍ତୋଳନ), ପ୍ରମୋଦ ଭଗତ (୨୦୧୯, ପାରାବ୍ୟାଡମିଣ୍ଟନ୍), ଦୂତି ଚାନ୍ଦ (ଦୌଡ଼କୁଦ, ୨୦୨୦)।

ରାଜ୍ୟର ପ୍ରଥମ ଦୌଡ଼କୁଦ ତାରକା ଭାବେ ରଚିତା ମିସ୍ତ୍ରୀ (ପଣ୍ଡା) ଭାରତୀୟ କ୍ରୀଡ଼ା ପ୍ରତି ଅତୁଳନୀୟ ଅବଦାନ ଲାଗି ୧୯୯୮ ମସିହାରେ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ଜାତୀୟ ସ୍ତରରେ ଢେର କିଛି ସମୟ ଆଧିପତ୍ୟ ବିସ୍ତାର କରିବା ପରେ ୨୦୦୧ ମସିହାରେ ମହିଳା ୧୦୦ ମିଟର ଦୌଡ଼ରେ ରଚିତା ନିଜ ଆଦର୍ଶ ପିଟି ଉଷାଙ୍କ ୧୦୦ ମିଟର କୀର୍ତ୍ତିମାନ ଭାଙ୍ଗି ଚହଳ ସୃଷ୍ଟି କରିଥିଲେ। ତାଙ୍କର ଏହି କୀର୍ତ୍ତିମାନ ଦୀର୍ଘ ୧୬ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିଥିଲା। ଦୂତି ଚାନ୍ଦ ହିଁ ରଚିତାଙ୍କ କୀର୍ତ୍ତିମାନ ଭାଙ୍ଗିଥିଲେ। ୨୦୦୨ ବୁସାନ ଏସୀୟ କ୍ରୀଡ଼ା ପରେ ସେ ଦୌଡ଼କୁଦରୁ ସନ୍ୟାସ ନେଇଥିଲେ। ୧୯୯୮ ମସିହାରେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳର ରଚିତା ଅନ୍ୟତମ ସଦସ୍ୟା ଥିଲେ। ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଭାରତୀୟ ୪ ଗୁଣା ୧୦୦ ମିଟର ରିଲେ ଦଳର ସେ ମଧ୍ୟ ସଦସ୍ୟା ଥି‌ଲେ। ରଚିତା ଅର୍ଜୁନ ପୁରସ୍କାର ଜିତିବାର ୨୨ ବର୍ଷ ପରେ ରାଜ୍ୟର ଦ୍ବିତୀୟ ଦୌଡ଼କୁଦ ତାରକା ଭାବେ ଦୂତି ଏହି ସମ୍ମାନଜନକ ପୁରସ୍କାର ଲାଭ କରିବାକୁ ଯାଉଛନ୍ତି।

ଏ ପୁରସ୍କାର କେବଳ ମୋର ନୁହେଁ, ସମଗ୍ର ଓଡ଼ିଶାବାସୀଙ୍କର: ଦୂତି
ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଲାଭ କରିବା ପାଇଁ ମୁଁ କଠିନ ପରିଶ୍ରମ କରିଛି। ଏବେ ସେହି ଝାଳବୁହା ପରିଶ୍ରମକୁ ଅର୍ଜୁନ ପୁରସ୍କାର ଭଳି ସମ୍ମାନଜନକ ପୁରସ୍କାର ମାଧ୍ୟମରେ ସ୍ବୀକୃତି ମିଳିବାକୁ ଯାଉଛି। ଏଥିପାଇଁ ମୋତେ ବହୁତ ଖୁସି ଲାଗୁଛି। ଏଭଳି ଏକ ପୁରସ୍କାର ମୋତେ ଆହୁରି ଭଲ ପ୍ରଦର୍ଶନ କରିବାକୁ ନିଶ୍ଚିତ ଭାବେ ଅନୁପ୍ରେରିତ କରିବ। ତେବେ ମୁଁ ମୋ ଖେଳ ଉପରେ ସବୁବେଳେ ଧ୍ୟାନ ଦେଇଛି। ଆଗକୁ ମଧ୍ୟ ଦେବି। ମୁଁ ଭାବୁଛି ଯଦି ମୁଁ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରେ, ତାହାଲେ ପୁରସ୍କାର ଓ ସମ୍ମାନ ଆପଣାଛାଏଁ ଆସିବ। ତେବେ ସହଯୋଗ ଓ ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି। ଗତ ଚାରିବର୍ଷ ହେବ ମୋ ପ୍ରଦର୍ଶନ ଭଲ ରହିଥିବାରୁ ଅର୍ଜୁନ ପୁରସ୍କାର ଲାଗି ଅପେକ୍ଷା କରିଥିଲି ବୋଲି କହିପାରିବି। ଏହି ପୁରସ୍କାର କେବଳ ମୋର ନୁହେଁ ସମଗ୍ର ଓଡ଼ିଶା‌ବାସୀଙ୍କର। ସର୍ବଭାରତୀୟ ଦୌଡ଼କୁଦ ସଂଘ, ଓଡ଼ିଶା ସରକାର, କ୍ରୀଡ଼ାମନ୍ତ୍ରୀ, ମନୋନୟନ ସମିତି ସମସ୍ତେ ମୋତେ ସମର୍ଥନ ଓ ଆଶୀର୍ବାଦ ଦେଇଥିବାରୁ ପୁଣି ଥରେ ସମସ୍ତଙ୍କୁ ଧନ୍ୟବାଦ ଦେବି। ଏବେ ମୁଁ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବାରୁ ମୋ ପ୍ରତି ଏହିଭଳି ସମର୍ଥନ ଓ ସହଯୋଗ ସମସ୍ତେ ଜାରି ରଖିବେ ଆଶା କରୁଛି ବୋଲି ଅର୍ଜୁନ ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇବା ଖବର ପାଇବା ପରେ ଦୌଡ଼ରାଣୀ ଦୂତି ଚାନ୍ଦ ‘ସମ୍ବାଦ’କୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର