ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ‌‌ସୋମବାରଠାରୁ ଅଲିମ୍ପିଆନ୍‌ ଧାବିକା ଦୂତି ଚାନ୍ଦଙ୍କୁ ୨୪ ଚାଲିଲା। ଜନ୍ମଦିନ ପାଳନ କାରଣରୁ ଦିନ ତମାମ ବ୍ୟସ୍ତତାରେ ବିତାଇଥିବା ଦେଶର ଦ୍ରୁତତମ ଧାବିକା ଏହି ଅବସରରେ ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନକୁ ସଙ୍କଳ୍ପ ଭାବେ ନେଇଛନ୍ତି। ‘ମୁଁ ମୋ ନିଜ କୀର୍ତ୍ତିମାନକୁ ୭ ଥର ଭାଙ୍ଗି ସାରିଛି, ଏବେ ମୋ ନାମରେ ବି ୧୦୦ ମିଟର୍‌ ‌ଦୌଡ଼ର ସମୟ ୧୧.୨୨ ସେକେଣ୍ଡ୍‌ର ଜାତୀୟ କୀର୍ତ୍ତିମାନ ରହିଛି। ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ୧୧.୧୫ ସେକେଣ୍ଡ୍‌ର ମାର୍କକୁ ଛୁଇଁବା କଷ୍ଟକର ଥିଲେ ବି ମୁଁ ଆଗକୁ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଶତଚେଷ୍ଟା କରିବି’ ବୋଲି ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଦୂତି। ୪ ବର୍ଷ ତଳେ ରିଓ ଅଲିମ୍ପିକ୍ସରେ ମାତ୍ର ୧୯ ବ‌ର୍ଷ ବୟସରେ ଭାଗ ନେଇଥିଲେ ଦୂତି। ୧୦୦ ମିଟର୍‌ ଦୌଡ଼ରେ ଭାରତକୁ ଦୀର୍ଘ ୩୬ ବର୍ଷ ପରେ ଅଲିମ୍ପିକ୍ସ ପ୍ରତିନିଧିତ୍ବ ସୁଯୋଗ ମିଳିଥିଲା। ଏ କ୍ଷେତ୍ରରେ ଦୂତି କିଂବଦନ୍ତି ଧାବିକା ପିଟି ଉଷାଙ୍କ ସହ ତୁଳନୀୟ ବି ହୋଇଥିଲେ। ଏବେ ନିଜର ଦ୍ବିତୀୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନର ପଥ ବଂଧୁର ଥିଲେ ବି ଦୂତିଙ୍କ ସଙ୍କଳ୍ପ ତାଙ୍କୁ ଟୋକିଓ ପହଞ୍ଚାଇ ଦେବ ବୋଲି ଆଶା କରାଯାଉଛି। ‘‘ଈଶ୍ବର ସମସ୍ତଙ୍କୁ ୨ ହାତ ଦେଇଛନ୍ତି, ମୋ ନିକଟରେ କିନ୍ତୁ ୪ଟି ଅତିରିକ୍ତ ହାତ ରହିଛି। ସେ ୪ ହାତ ହେଲା-ପରିବାର, କିଟ୍‌, ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର’ ଦୂତି ବୋଲି ପ୍ରକାଶ କରିଥିଲେ।

Advertisment

ହୋଟେଲ୍‌ କ୍ରାଉନ୍‌ରେ ଅନୁଷ୍ଠିତ ଏହି ଉତ୍ସବରେ ଦୂତିଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ଲାଗି ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା। ଈଶ୍ବରଙ୍କ କରୁଣାରୁ ଦୂତି ୨୦୨୦ ଅଲିମ୍ପିକ୍ସରେ ବି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ଆଶା ପ୍ରକାଶ କରିଥ‌ିଲେ ତାଙ୍କ ମୁଖ୍ୟ ପୃଷ୍ଠପୋଷକ ଦୂତି ଚାନ୍ଦ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟର ପ୍ରଥମ ଅର୍ଜୁନ ପୁରସ୍କାର ବିଜୟିନୀ ସାଇକ୍ଲିଷ୍ଟ୍ ମିନତି ମହାପାତ୍ର, ଅନ୍ତର୍ଜାତୀୟ ହେପ୍ଟାଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ୍‌, ବାଧାଦୌଡ଼ାଳି ଜଉନା ମୁର୍ମୁ, ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସିନେ ତାରକା ମିହିର ଦାସ, ସବ୍ୟସାଚୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସିନେ ସମୀକ୍ଷକ ଦିଲୀପ ହାଲି, କିଟ୍‌ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ ପ୍ରମୁଖ ଦୂତିଙ୍କୁ ଶୁଭକାମନା ଜଣାଇଥିଲେ। କିଟ୍‌ ଓ କିସ୍‌ର ଶତାଧିକ ଖେଳାଳିଙ୍କ ସହିତ ଡକ୍ଟର ସୁଚେତା ପ୍ରିୟବାଦିନୀ, ଡକ୍ଟର ଶ୍ରଦ୍ଧାଞ୍ଜଳି ନାୟକ, ଡକ୍ଟର ସ୍ମିତା ମହାନ୍ତି, ଦୂତିଙ୍କ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ର, ଦୌଡ଼କୁଦ ମୁଖ୍ୟ ପ୍ରଶିକ୍ଷକ ସଂଜୟ ଗଡ଼ନାୟକ, କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା ମଧ୍ୟ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। କିଟ୍‌ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ କାର୍ଯ୍ୟକ୍ରମ ସଂ‌ଯୋଜନା କରିଥିଲେ।

ମଙ୍ଗଳବାର ସକାଳେ କିସ୍‌ର ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀଙ୍କ ଗହଣରେ ମଧ୍ୟ ଦୂତି କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ। କାର୍ଯ୍ୟକ୍ରମରେ ‘କିସ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ରାଉତରାୟ, ସହକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାତ୍ର, ଡିଓ ବସନ୍ତ ବେହେରା, ନିର୍ଦେଶକ ପିକେ ଦାସ, ବରିଷ୍ଠ ପଦାଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ‘କିସ୍‌’ର ଜାତୀୟ ଅନ୍ତଃର୍ଜାତୀୟ କ୍ରୀଡ଼ାବିତ୍‌ ଉପସ୍ଥିତ ଥିଲେ ।