ଦୂତିଙ୍କୁ ମିଳିଲା ଭିସା

ୟୁରୋପୀୟ ରେସ୍‌ରେ ଭାଗନେବେ

ନୂଆଦିଲ୍ଲୀ: ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଦୂତିଙ୍କ ଯୋଗ୍ୟତା ଅର୍ଜନକୁ ମିଳିଛି ନୂଆ ଜୀବନରେଖା। କେନ୍ଦ୍ର ବହିଃବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ହସ୍ତକ୍ଷେପ ପରେ ଦୂତିଙ୍କ ଭିସା ସମସ୍ୟା ଦୂର ହୋଇଯିବାରୁ ସେ ୟୁରୋପୀୟ ସର୍କିଟରେ ଦୁଇଟି ରେସ୍‌ରେ ଭାଗନେବା ନିଶ୍ଚିତ ହୋଇଛି। ଏଥି ପାଇଁ ଜୟଶଙ୍କରଙ୍କ ସହିତ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୂତି କୃତଜ୍ଞତା ଜଣାଇଛନ୍ତି। ନିକଟରେ ପ୍ରଥମ ଭାରତୀୟ ଭାବେ ବିଶ୍ବ ୟୁନିଭର୍ସିଆଡରେ ୧୦୦ ମିଟର ସ୍ବର୍ଣ୍ଣ ପଦକ ଜିତିଥିବା ଦୂତି ଅନ୍ତର୍ଜାତୀୟ ଦୌଡ଼କୁଦ ସଂଘ (ଆଇଏଏଏଏଫ) ଅନୁମୋଦିତ ଦୁଇଟି ରେସ୍‌ରେ ଭାଗନେବେ। ଆୟର୍ଲାଣ୍ଡ୍‌ରେ ଅଗଷ୍ଟ ୧୩ ଏବଂ ଜର୍ମାନିରେ ଅଗଷ୍ଟ ୧୯ରେ ଏହା ଅନୁଷ୍ଠିତ ହେବ। ବିଶ୍ବ ପ୍ରତିଯୋଗିତାର ୧୦୦ ମିଟର ଦୌଡ଼ ପାଇଁ ୧୧.୨୪ ସେକେଣ୍ଡ ଏବଂ ୨୦୨୦ ଅଲିମ୍ପିକ୍ସ ପାଇଁ ୧୧.୧୫ ସେକେଣ୍ଡ୍ କଟ୍‌ ଅଫ୍‌ ସମୟ ରହିଛି। ଗତବର୍ଷ ଦୋହା ଏସୀୟ କ୍ରୀଡ଼ାରେ ଦୂତି ୧୧.୨୬ ‌ସେକେଣ୍ଡ୍ ସମୟ ସହିତ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।

ସମ୍ବନ୍ଧିତ ଖବର