ଭୁବନେଶ୍ବର: ସରକାରଙ୍କ ତରଫରୁ ପୁଅ ହେଉ କି ଝିଅ ସମସ୍ତଙ୍କୁ ସମାନ ନଜରରେ ଦେଖାଯାଇଥାଏ। ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଦିଆଯାଇଥାଏ। କିନ୍ତୁ କେତେକ ବ୍ୟକ୍ତି ଝିଅମାନଙ୍କର ଦୁର୍ବଳତାକୁ ଦେଖି ଯୌନ ନିର୍ଯାତନା ଦେଇଥା’ନ୍ତି। ଏହା ସବୁ କ୍ଷେତ୍ରରେ ହେଉଥିବା ଦେଖାଯାଉଛି। ଚାକିରି ହେଉ କି ରାଜନୀତି କିମ୍ବା ଅଭିନୟ କ୍ଷେତ୍ରରେ, ଏଭଳି ଘଟଣା ସବୁବେଳେ ଦେଖିବାକୁ ମିଳୁଛି। କିନ୍ତୁ କ୍ରୀଡ଼ା କ୍ଷେତ୍ରରେ ଯାହା ହେଉଛି ତାହା ନିନ୍ଦନୀୟ। କାରଣ ଝିଅମାନେ ଦେଶ ପାଇଁ ଗୌରବ ଆଣୁଛନ୍ତି, ଦେଶର ସମ୍ମାନ ବଢାଉଛନ୍ତି। ହେଲେ ସେମାନଙ୍କୁ ନିର୍ଯାତନା ଦିଆଗଲେ ଦେଶର ସମ୍ମାନ ସହ ସାଲିସ କରିବା ଭଳି ହୋଇଯିବ ବୋଲି ଓଡ଼ିଆ ସ୍ପ୍ରିଣ୍ଟର ଅଲମ୍ପିଆନ୍‌ ଦୂତି ଚାନ୍ଦ କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହିତ ଆଲୋଚନା କରୁଥିଲା ବେଳେ ଦିଲ୍ଲୀର ଯନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସେ ସମର୍ଥନ ଜଣାଇଛନ୍ତି।

Advertisment

ଦେଶର ଝିଅଙ୍କ ସହିତ ଏପରି ନିର୍ଯାତନା ଠିକ୍‌ ନୁହେଁ। ମୁଁ ମଧ୍ୟ ପିଲାବେଳେ ଏଭଳି ହେଉଥି‌ବା ଦେଖିଛି। ‌କିଛି ପ୍ରଶିକ୍ଷକ ନିର୍ଯାତନା ଦେଇଥା’ନ୍ତି। କିନ୍ତୁ ଏବେକାର ଘଟଣା ବହୁତ ବଡ଼। କାରଣ ଅଲିମ୍ପିକ ପଦକ ଆଣୁଥିବା କ୍ରୀଡ଼ାବିତ୍‌ଙ୍କ ସହିତ ଯଦି ଏପରି ହୋଇପାରୁଛି, ତାହେଲେ ଛୋଟ କ୍ରୀଡ଼ାବିତ୍‌ଙ୍କ ସହିତ କ’ଣ ଘଟୁଥିବ ତାହା ଅନୁମାନ କରାଯାଇପାରେ। ତେଣୁ ଏଥିରେ ସରକାର ହସ୍ତକ୍ଷେପ କରି ସତକୁ ସାମ୍ନାକୁ ଆଣିବାକୁ ସେ ଆହ୍ବାନ କରିଛନ୍ତି। ଏପରିକି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିଲେ ଭବିଷ୍ୟତରେ ଆଉ ଏଭଳି କାମ କରିବାକୁ କେହି ସାହସ କରିବେନି ବୋଲି ଦୂତି କହିଛନ୍ତି। ଯୌନ ନିର୍ଯାତନାର ଅଧିକ ମାମଲା ଦଳଗତ ଇଭେଣ୍ଟ ଗୁଡ଼ିକରେ ଦେଖାଯାଏ। ହକି, ଫୁଟ୍‌ବଲ ଭଳି ଖେଳରେ ଯେଉଁମାନେ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରନ୍ତି ସେମାନେ ଏହି ନିର୍ଯାତନାର ଶିକାର ହୋଇଥା’ନ୍ତି। ତାଙ୍କର କିଛି ସାଙ୍ଗ ସେଭଳି ଟିମ୍‌ ଇଭେଣ୍ଟରେ ଖେଳୁଥିଲା ବେଳେ ନିର୍ଯାତନାର ଶିକାର ହୋଇଥିବା ମୋତେ କହିଛନ୍ତି। କିନ୍ତୁ ଏବେ ଆଉ ଆଗ ଭଳି ସେମିତି କିଛି ହେଉନାହିଁ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ନିର୍ଯାତନା ଉପରେ ଅଭିଯୋଗ କରିବା ନିୟମାବଳୀ ଆସିବା ପରଠୁ ଗଲା ୩-୪ ବର୍ଷ ହେଲାଣି ଏଭଳି ମାମଲା ହ୍ରାସ ପାଇଥିବା ଦୂତି କହିଛନ୍ତି।

ନିଜ ସହିତ ଘଟିଥିବା ଘଟଣାର ଉଦାହାରଣ ଦେବାକୁ ଯାଇ ଦୂତି କହିଛନ୍ତି ଯେ ୨୦୧୪ରେ ଲିଙ୍ଗଗତ ମାମଲାକୁ ନେଇ ମୋ ସହିତ ଯେଉଁ ଘଟଣା ଘଟିଥିଲା ସେଥିରେ ପୁରା ଦୁନିଆ ମୋତେ ବଦନାମ୍‌ କରିଥିଲା। ମୋତେ ଚୁପ୍‌ ରହିବାକୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ମୁଁ ଏହାକୁ ସାମ୍ନା କରିଥିଲି। ମୁଁ ଜାଣିଛି ତାକୁ ସାମ୍ନା କରିବା କେତେ କଷ୍ଟକର। ସେହିପରି ପିଟି ଉଷା, ମେରି କମ୍‌ଙ୍କ ଭୂମିକା ଉପରେ ଦୂତି କହିଛନ୍ତି ଯେ ସେମାନେ ମଧ୍ୟ କ୍ରୀଡ଼ାବିତ୍‌। ସେମାନେ ଏବେ ରାଜନୈତିକ ଦଳ ସହିତ ଅଛନ୍ତି, ତେଣୁ ଦଳର ମତକୁ ସେମାନେ ଉପସ୍ଥାପନ କରୁଛନ୍ତି। ମୁଁ କୌଣସି ଦଳରେ ନାହିଁ, ତେଣୁ ଖୋଲା ମତ ରଖୁଛି। ସ୍ପୋର୍ଟ୍ସକୁ ନିଜର ପରିବାର ଭାବି ‌କ୍ରୀଡ଼ାବିତ୍‌ଙ୍କୁ ସମର୍ଥନ ଦେବା ଦରକାର। କିନ୍ତୁ ଦଳ ସହିତ ଯୋଡ଼ି ହେବା ଦ୍ବାରା ଦଳୀୟ ଲୋକଙ୍କ କଥା ଠିକ୍‌ ଲାଗେ ଓ ଖେଳାଳିଙ୍କ କଥା ଭୁଲ୍‌ ଲାଗେ। କିନ୍ତୁ ସେମାନେ ଖେଳାଳିଙ୍କୁ ସମର୍ଥନ କରିବା ଉଚିତ ବୋଲି ଦୂତି ମତପ୍ରକାଶ କରିଥିଲେ।

ପୁରସ୍କାର ଫେରାଇଦେବାକୁ ଦ୍ରୋଣାଚାର୍ଯ୍ୟ ମହବୀରଙ୍କ ଧମକ
ନୂଆଦିଲ୍ଲୀ: ଯନ୍ତରମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ କୁସ୍ତି ପ୍ରଶିକ୍ଷକ ମହାବୀର ସିଂହ ଫୋଗତ। ଯଦି କୁସ୍ତିଯୋଦ୍ଧାଙ୍କ ଦାବି ପୂରଣ ନହୁଏ ଏବଂ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ଗିରଫ ନହୁଅନ୍ତି, ତାହେଲେ ସେ ତାଙ୍କର ପୁରସ୍କାରକୁ ଫେରାଇ ଦେବେ ବୋଲି ଶୁକ୍ରବାର ଧମକ ଦେଇଛନ୍ତି। ତିନି ବର୍ଷ ତଳେ ବିଜେପିରେ ଯୋଗଦେଇଥିବା ମହାବୀର ସିଂହ କହିଛନ୍ତି ଯେ ଏସଂପର୍କରେ ଦଳୀୟସ୍ତରରେ କିମ୍ବା ସରକାରଙ୍କ ସହ ଏପର୍ଯ୍ୟନ୍ତ କୌଣସି ଆଲୋଚନା ହୋଇନାହିଁ। କିନ୍ତୁ ଯେଉଁଭଳି ଅଭିଯୋଗ ଆସିଛି, ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା ଓ ତାଙ୍କୁ ଗିରଫ କରାଯିବା ଉଚିତ୍‌। ମହାବୀର ସିଂହ ଫୋଗତ ହେଉଛନ୍ତି କୁସ୍ତିଯୋଦ୍ଧା ଗୀତା ଓ ବବିତା ଫୋଗତଙ୍କ ବାପା। ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇ ହରିୟାଣାର ଅନେକ ସଂଖ୍ୟାରେ ଖାପ୍‌ ସଂପ୍ରଦାୟର ଲୋକମାନେ ଆଗେଇ ଆସିଛନ୍ତି। ଗୁରୁବାର ହରିୟାଣାର ହିସାର, ଭିୱାନି, ଜିନ୍ଦ୍‌ ଓ ରୋହତକ୍‌ରେ ଖାପ୍‌ ସଂପ୍ରଦାୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ତଦନ୍ତ ଶେଷ ଯାଏଁ ଅପେକ୍ଷା କରନ୍ତୁ: କ୍ରୀଡ଼ାମନ୍ତ୍ରୀ
ଡବ୍ଲୁଏଫ୍‌ଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବିରେ ଯନ୍ତରମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଥିଲା ବେଳେ ଯେପର୍ଯ୍ୟନ୍ତ ସେ ଗିରଫ ହୋଇନାହାନ୍ତି ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନେ କହିଛନ୍ତି। ହେଲେ ଦିଲ୍ଲୀ ପୁଲିସ୍‌ ତାହାର ତଦନ୍ତ ନିରପେକ୍ଷ ଭାବେ କରୁଥିବା କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଏହି ମାମଲା ଉପରେ ପ୍ରଥମ ଥର ମୁହଁ ଖୋଲିଥିବା ଅନୁରାଗଙ୍କ କହିବାନୁସାରେ, କୁସ୍ତିଯୋଦ୍ଧାଙ୍କ ଦାବିଗୁଡ଼ିକ ପୂରଣ କରାଯାଇଛି। ସେମାନେ ଏକ କମିଟି ଗଠନ ହେଉ ବୋଲି ଚାହିଁଥିଲେ, ସେହି ଅନୁସାରେ ତଦନ୍ତ କମିଟି ଗଠନ ହୋଇଛି। ଦିଲ୍ଲୀ ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରିସାରିଛି। ସୁପ୍ରିମକୋର୍ଟ ମଧ୍ୟ ତାଙ୍କର ରାୟ ଶୁଣାଇଛନ୍ତି। ଏବେ ପୁଲିସ୍‌କୁ ତାହାର କାମ କରିବାକୁ ଦିଆଯାଉ ଏବଂ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଅନୁରାଗ ଆନ୍ଦୋଳନକାରୀଙ୍କୁ ଆହ୍ବାନ କରିଛନ୍ତି। ଏହାବାଦ୍‌ ଡବ୍ଲୁଏଫ୍‌ଆଇର ନିରପେକ୍ଷ ନିର୍ବାଚନ ବିଷୟକୁ ମଧ୍ୟ ବିଚାରକୁ ନିଆଯାଇଛି। ଭାରତୀୟ ଅଲିମ୍ପିକ ସଂଘ ଏହା ଉପରେ କାମ କରୁଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ତିନି ମାସ ପୂର୍ବରୁ ଭାରତର ଶୀର୍ଷ କୁସ୍ତିଯୋଦ୍ଧାମାନେ ଡବ୍ଲୁଏଫ୍‌ଆଇ ସଭାପତି ଓ କିଛି ପ୍ରଶିକ୍ଷକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯନ୍ତରମନ୍ତରରେ ଧାରଣା ଦିଆଯିବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଏକ କମିଟି ଗଠନ କରିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ କୋର୍ଟଙ୍କ ନୋଟିସ୍‌କ୍ରମେ ଦିଲ୍ଲୀ ପୁଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ ଗତ ଏପ୍ରିଲ୍‌ ୨୩ ତାରିଖରେ ପୁଣି ଥରେ ବଜରଙ୍ଗ ପୁନିଆ, ଭିନେଶ ଫୋଗତ ଓ ସାକ୍ଷୀ ମଲ୍ଲିକ ଯନ୍ତରମନ୍ତରରେ ପହଞ୍ଚି ଅଭିଯୁକ୍ତଙ୍କ ଗିରଫ ଦାବି କରିଥିଲେ। ଅଭିଯୋଗକାରୀ ଓ ସେମାନଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଉଥିବାରୁ ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଜିଦ୍‌ରେ ଅଟଳ ଅଛନ୍ତି।