ଆଜି ଦୌଡ଼ିବେ ଦୂତି

ଟୋକିଓ : ଦୌଡ଼ରାଣୀ ଦୂତି ଚାନ୍ଦ ଶୁକ୍ରବାର ନିଜ ପ୍ରତୀକ୍ଷିତ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବେ। ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଦୂତି ସକାଳ ୮ଟା ୧୦ରେ ଟୋକିଓ ଟ୍ରାକ୍‌କୁ ଓହ୍ଲାଇବେ। ତା ସହିତ ଓଡ଼ିଶା ଏବଂ ସର୍ବୋପରି ଭାରତବର୍ଷର କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିହେବ।

ଦେଶର ପ୍ରଥମ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସର ଚର୍ଚ୍ଚିତ ୧୦୦ ମିଟର ଦୌଡ଼ରେ ପ୍ରତିଦ୍ବନ୍ଦ୍ବିତା କରିବେ ଦୂତି। ସେଥିପାଇଁ ୧୪୦ କୋଟି ଭାରତୀୟଙ୍କ ନଜର ତାଙ୍କ ଉପରେ ରହିବ। ଭାରତର ଦ୍ରୁତତମ ଧାବିକା ମାନ୍ୟତା ଲାଭ କରିସାରିଥିବା ଏହି ଓଡ଼ିଆ ଝିଅ ଟୋକିଓରେ କମାଲ କରିବେ ବୋଲି ସବୁ ଭାରତୀୟଙ୍କ ଆଶା। ଏଥିଲାଗି ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ଦୂତି ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଶନିବାର ହେବାକୁ ଥିବା ସେମିଫାଇନାଲ୍ ଲାଗି ଯୋଗ୍ୟତା ହାସଲ କରିବେ ବୋଲି ତାଙ୍କର କୋଟି କୋଟି ପ୍ରଶଂସକ ଶୁଭ ମନାସିଛନ୍ତି।

ଦୂତି ତାଙ୍କ ଘଟଣା ବହୁଳ କ୍ରୀଡ଼ା କ୍ୟାରିୟରରେ ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ଅନେକ ଲଢ଼େଇ ଲଢ଼ି ସଫଳତାର ଶିଖର ଛୁଇଁଛନ୍ତି। ସେଥିପାଇଁ ଅଲିମ୍ପିକ୍ସ ଭଳି ମହାକୁମ୍ଭରେ ମଧ୍ୟ ନିଜ ସ୍ବତନ୍ତ୍ର ଛାପ ଛାଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ନିକଟରେ ପତିଆଲାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁ ପ୍ରି-୪ରେ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିବା ଦୂତି ପୂର୍ବର ସବୁ ପ୍ରଦର୍ଶନକୁ ଟପିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି କଠିନ ପରିଶ୍ରମ ବି କରିଛନ୍ତି। ଚାରିବର୍ଷ ତଳେ ଅର୍ଥାତ୍ ୨୦୧୬ ମସିହାରେ ରିଓରେ ଅଲିମ୍ପିକ୍ସ ପଦାର୍ପଣ କରିଥିଲେ ସେ। ସେଥର ପ୍ରଥମ ରାଉଣ୍ଡ ଆଗକୁ ବଢ଼ିପାରିନଥିଲେ। ଟୋକିଓରେ କିନ୍ତୁ ସଫଳତାର ନୂଆ କୀର୍ତ୍ତିମାନ ସ୍ଥାପନ କରିବା ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଦୂତି କହିଛନ୍ତି। ମହତ୍ବପୂର୍ଣ୍ଣ କଥା ହେଲା ସେ ଏଥର ୧୦୦ ସହ ୨୦୦ ମିଟରରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ। ୨୦୦ ମିଟରର ପ୍ରଥମ ରାଉଣ୍ଡ ଅଗଷ୍ଟ ୨ ତାରିଖରେ ଖେଳିବେ। କୌଣସି ଗୋଟିଏ ଅଲିମ୍ପିକ୍ସର ଉଭୟ ୧୦୦ ଓ ୨୦୦ ମିଟରରେ ଅଂଶଗ୍ରହଣ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ ଦୂତି।

ସମ୍ବନ୍ଧିତ ଖବର