ଇଣ୍ଡିଆନ୍ ଗ୍ରାଁପ୍ରି-୨: ଦୂତିଙ୍କୁ ସ୍ବର୍ଣ୍ଣ ସହ ଏସୀୟ ଯୋଗ୍ୟତା

ଭୁବନେଶ୍ବର: ଇଣ୍ଡିଆନ୍ ଗ୍ରାଁପ୍ରି ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଦୂତି ଚାନ୍ଦ ପୁଣି ଥରେ ନିଜ ଚମକ ଦେଖାଇଛନ୍ତି। ପାତିଆଲାରେ ଆୟୋଜିତ ପ୍ରଥମ ରାଉଣ୍ଡରେ ୧୦୦ ମିଟର ସ୍ବର୍ଣ୍ଣ ଜିତିବା ପରେ ନୂଆଦିଲ୍ଲୀରେ ଆୟୋଜିତ ଦ୍ବିତୀୟ ରାଉଣ୍ଡ‌ର ୨୦୦ ମିଟରରେ ସେ ଏହି ସଫଳତାକୁ ଦୋହରାଇଛନ୍ତି। ଦୂତି ଆଜି ୨୩.୩୦ ସେକେଣ୍ଡ ସମୟ ସହ ପୁଣି ଥରେ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ହରିଆଣାର ଅଞ୍ଜଳି ଦେବୀ (୨୪.୧୫) ରୌପ୍ୟ ଏବଂ ଆନ୍ଧ୍ରପ୍ରଦେଶର ସୁପ୍ରିୟା ମଦାଲି (୨୪.୪୮ ସେକେଣ୍ଡ) କାଂସ୍ୟ ପଦକ ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ସହ ଦୂତି ଆସନ୍ତା ଏପ୍ରିଲ ମାସ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ କାତାରର ‌ଦୋହାରେ ଖେଳା ଯିବାକୁ ଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପାତିଆଲାରେ ଦୂତି ୧୧.୫୧ ସେକେଣ୍ଡ ସମୟ ସହ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଏହି ରାଉଣ୍ଡରେ ଅନ୍ୟତମ ଓଡ଼ିଆ ଧାବକ ଅମୀୟ ମଲ୍ଲିକ ପୁରୁଷ ୧୦୦ ମିଟରରେ କାଂସ୍ୟ ପଦକ ଜିତିଥିଲେ।

ଫେଡେରେସନ୍ କପ୍ ପରବର୍ତୀ ଲକ୍ଷ୍ୟ
ବୁଧବାର ରେସ୍ ଖୁବ୍‌ ଭଲ ଥିଲା। ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ ସମୟ ୨୩.୩୦ ସେକେଣ୍ଡ ଥିଲା। ମୁଁ ଠିକ୍ ସେତିକି ସମୟ ସହ ଏହାକୁ ହାସଲ କରିନେଲି। ଲଗାତାର ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବାରୁ ବହୁତ ଖୁସି ଲାଗୁଛି। ହେଲେ ମାତ୍ର ୬ ଜଣ ପ୍ରତିଯୋଗୀ ଥିବାରୁ ସେତେଟା ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇ ନଥିଲି। ଅଧିକ ପ୍ରତିଯୋଗୀ ଥିଲେ ଆହୁରି ଭଲ ହୋଇ ଥାଆନ୍ତା। ସେଥିପାଇଁ ଇଣ୍ଡିଆନ୍ ଗ୍ରାଁପ୍ରିର ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ମୁଁ ଅଂଶ ଗ୍ରହଣ କରିବି ନାହିଁ। ତା’ ପରିବର୍ତେ ଫେଡେରେସନ୍ କପ୍ ଖେଳିବା ଉପରେ ଅଧିକ ଧ୍ୟାନ ଦେବି। ଫେଡେରେସନ କପ୍‌ରେ ଅଧିକ ପିଲା ଆସନ୍ତି, ଏଣୁ ପ୍ରତିଦ୍ବନ୍ଦ୍ବିତାର ସ୍ତର ଅଧିକ ରହିବ। ଏହାକୁ ମଧ୍ୟ ମୁଁ ଏସୀୟ ପ୍ରତିଯୋଗିତା ଲାଗି ପ୍ରସ୍ତୁତି ପର୍ବ ଭାବେ ନେବି। ସଫଳତାର ଶ୍ରେୟ ପ୍ରଶିକ୍ଷକ ଏନ୍ ନାଗପୁରୀଙ୍କ ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଦେବି। ଓଡ଼ିଶା ସରକାରଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ବୋଲି ଦୂତି କହିଛନ୍ତି। ସୂଚନାଯୋଗ୍ୟ ଯେ ଫେଡେରେସନ୍ କପ୍ ମାର୍ଚ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ପାତିଆଲାରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର