ଫେଡେରେସନ୍‌ କପ୍‌ରେ ଦୂତିଙ୍କୁ ସ୍ୱର୍ଣ୍ଣ :ଅମିୟ, ଜଉନା ପଞ୍ଚମ

ଭୁବନେଶ୍ୱର: ପାତିଆଲାରେ ଚାଲିଥିବା ଫେଡେରେସନ୍‌ କପ୍‌ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ପଦକ ଖାତା ଖୋଲିଛି। ଆଉ ଏହି ପଦକଟି ଦୌଡ଼ରାଣୀ ଦୂତି ଚାନ୍ଦ ଦେଇଛନ୍ତି। ୧୦ ଜଣ ଓଡ଼ିଆ ଭାଗ ନେଉଥିବା ଏହି ପ୍ରତିଯୋଗିତାର ମହିଳା ୧୦୦ ମିଟରରେ ଦୂତି ଆଜି ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି। ପ୍ରଥମ ସ୍ଥାନରେ ରହି ଓଡ଼ିଶା ପାଇଁ ଚଳିତ ସଂସ୍କରଣରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଦୂତି ହିଟ୍‌ରେ ୧୧.୭୦ ସେକେଣ୍ଡ ସମୟ ନେଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିରେ ଆହୁରି ଭଲ କରି ୧୧.୫୬ ସେକେଣ୍ଡ ସମୟ ସହ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ଫାଇନାଲରେ ୧୧.୬୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନରେ ରହିବା ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ। ତେବେ ଦୁର୍ଭାଗ୍ୟଜନକ ଭାବେ ଜାକର୍ତା ଏସୀୟ କ୍ରୀଡ଼ା କିମ୍ବା ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା ସମୟ (୧୧.୧୫ ସେକେଣ୍ଡ)କୁ ଛୁଇଁ ପାରି ନଥିଲେ।

ଦୂତି ଏହା ପୂର୍ବରୁ ସେହି ପାତିଆଲାରେ ଅନୁଷ୍ଠିତ ଇଣ୍ଡିଆନ୍‌ ଗ୍ରାଁ ପ୍ରିର ମହିଳା ୧୦୦ ମିଟରରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହି ସଫଳତା ହାସଲ ପାଇଁ କରିଥିବା ସହଯୋଗ ଲାଗି ଦୂତି ପୁଲେଲା ଗୋପୀଚାନ୍ଦ ଫାଉଣ୍ଡେସନ୍‌, ଗୁରୁ ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ନାଗପୁରୀ ରମେଶ ଏବଂ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ମହିଳା ୧୦୦ ମିଟରରେ କର୍ଣ୍ଣାଟକର ପ୍ରଜ୍ଞା ପ୍ରକାଶ (୧୧.୮୧ ସେକେଣ୍ଡ) ଓ ରାଜସ୍ଥାନର ହିନା (୧୧.୮୩ ସେକେଣ୍ଡ) ଯଥାକ୍ରମେ ରୌପ୍ୟ ଏବଂ କାଂସ୍ୟ ପଦକ ଜିତିଥିଲେ। ଦୂତି ସ୍ୱର୍ଣ୍ଣ ଜିତିଥିଲେ ମଧ୍ୟ ଦେଶର ଦ୍ରୁତତମ ଧାବକ ତଥା ଓଡ଼ିଆ ତାରକା ଅମିୟ ମଲ୍ଲିକ  ଆଶାଜନକ ପ୍ରଦର୍ଶନ କରି ପାରି ନଥିଲେ। ପୁରୁଷ ୧୦୦ ମିଟର ଦୌଡ଼ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ନପାରି ଅମିୟ (୧୦.୭୦ ସେକେଣ୍ଡ) ପଞ୍ଚମ ସ୍ଥାନରେ ରହିଥିଲେ। ଏହି ବର୍ଗରେ ତାମିଲନାଡୁର ଶିବ କୁମାର (୧୦.୪୩) ଓ ଏଲାକିଆ ଦସନ (୧୦.୫୬) ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ। ହରିଆଣାର ସଞ୍ଜିତ (୧୦.୫୯) ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟତମ ଓଡ଼ିଆ ତାରକା ଜଉନା ମୁର୍ମୁ ମଧ୍ୟ ପଞ୍ଚମ ସ୍ଥାନରେ ରହିଥିଲେ। ମହିଳା ୪୦୦ ମିଟର ଦୌଡ଼କୁ ୫୩.୬୬ ସେକେଣ୍ଡ) ସମୟରେ ଶେଷ କରି ସେ ପ୍ରଥମ ତିନି ଜଣକ ମଧ୍ୟରେ ରହି ପାରି ନଥିଲେ। ଆସାମର ହିମା ଦାସ, କର୍ଣ୍ଣାଟକର ଜିକେ ବିଜୟ କୁମାରୀ ଓ ଏମଆର ପୁଭାମ୍ମା ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସମ୍ବନ୍ଧିତ ଖବର