ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡ଼ାବିତ୍‌ ପୁରସ୍କାର ଦୌଡ଼ରେ ଦୂତି

ଭୁବନେଶ୍ବର: ଜନ୍ମ ଦିନରେ ଓଡ଼ିଆ ଧାବିକା ତଥା ଅଲିମ୍ପିଆନ୍‌ ଦୂତି ଚାନ୍ଦଙ୍କ ପାଇଁ ଖୁସି ଖବର ଆସିଛି। ତାଙ୍କ ନାମ ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡ଼ାବିତ୍‌ ପୁରସ୍କାର (ଇସୋଟି-୨୦୧୯) ଦୌଡ଼ରେ ସାମିଲ ହୋଇଛି। ଦୂତିଙ୍କ ସହ ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ମାନସୀ ଯୋଶୀ, ମୁଷ୍ଟିଯୋଦ୍ଧା ଏମ୍‌ସି ମେରି କମ୍‌, କୁସ୍ତିଯୋଦ୍ଧା ବିନେଶ ଫୋଗଟ୍‌ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ ମଧ୍ୟ ଏହି ପୁରସ୍କାର ଦୌଡ଼ରେ ରହିଛନ୍ତି। ଭାରତର କ୍ରୀଡ଼ା ସାମ୍ବାଦିକ, ବିଶେଷଜ୍ଞ ଏବଂ ଲେଖକମାନଙ୍କୁ ନେଇ ଗଠିତ ଏକ ସୁଦକ୍ଷ ବିଚାରକ ମଣ୍ଡଳି ଏହି ପାଞ୍ଚ ମହିଳାଙ୍କ ନାମ ଚୂଡ଼ାନ୍ତ ପର୍ଯ୍ୟାୟ ଚୟନ କରିଛନ୍ତି।

ଏଥିଲାଗି ସୋମବାରଠାରୁ ଭୋଟିଂ ଆରମ୍ଭ ହୋଇଛି। ଫେବ୍ରୁଆରି ୧୭ ତାରିଖ ଭାରତୀୟ ସମୟ ରାତି ୧୧ଟା ୩୦ ମିନିଟ୍‌ରେ ଭୋଟିଂ ଶେଷ ହେବ। ଜନସାଧାରଣ ସେମାନଙ୍କ ପ୍ରିୟ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ ବିବିସିର ବିଭିନ୍ନ ଭାଷା ଏବଂ ବିବିସି ୱେବସାଇଟ୍‌ରେ ଭୋଟ୍ ଦେଇ ପାରିବେ। ମୋ ଉପରେ ବିବିସି ପକ୍ଷରୁ ପ୍ରସ୍ତୁତ ବୃତ୍ତଚିତ୍ରକୁ ଦେଖି ଆହୁରି ଅନେକ ବ୍ୟକ୍ତି ମୋତେ ଜାଣି ପାରିବେ। ଭାରତରେ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଆରମ୍ଭ ହୋଇଥିବା ପ୍ରଥମ ବିବିସି ପୁରସ୍କାର ପାଇଁ ମୋର ନାମ ଚୟନ ତାଲିକାରେ ଥିବାରୁ ମୁଁ ବିଶେଷ ଖୁସି ବୋଲି ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇବା ପରେ ଦୂତି କହିଛନ୍ତି।

ସମ୍ବନ୍ଧିତ ଖବର