ଭୁବନେଶ୍ୱର : ଭୁବନେଶ୍ୱର ଓ କଟକରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ସ୍ୱର୍ଣ୍ଣ ଜିତିଛନ୍ତି । କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଂଶଗ୍ରହଣ କରିଥିବା ଦୂତି ୧୦୦ ମିଟର ବର୍ଗରେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି । ସେ ମାତ୍ର ୧୧.୪୯ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରି ସେ ଏକ ନୂଆ ବିଶ୍ୱବିଦ୍ୟାଳୟ ସ୍ତରୀୟ ରେକର୍ଡ ହାସଲ କରିଛନ୍ତି ।
ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Congratulate #Odisha’s star sprinter @DuteeChand on clinching gold at #KIUGOdisha2020 in 100m sprint with a timing of 11.49s, surpassing her previous Inter-University Games record. All the best for the future.
#OdishaForSportshttps://t.co/PSJarxrbaW
— CMO Odisha (@CMO_Odisha) February 29, 2020
ଚଳିତ ବର୍ଷ ଅଲମ୍ପିକ୍ସ ଖେଳିବାକୁ ଆଶା ରଖିଥିବା ଦୂତୀ ଚାନ୍ଦ ଏହି ସଫଳତା ନେଇ ଆନନ୍ଦ ପ୍ରକାଶ କରିବା ସହ ବର୍ଷ ଆରମ୍ଭରୁ ସଫଳତା ପାଇବା ଅଲମ୍ପିକ୍ସରେ ଭଲ ପ୍ରଦର୍ଶନ କରିବାକୁ ତାଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି । ରୌପ୍ୟ ପଦକ ହାସଲ କରିଥିବା ମାଙ୍ଗାଲୋର ବିଶ୍ୱ ବିଦ୍ୟାଳୟର ଧନଲକ୍ଷ୍ମୀ ଏସ. ୧୧.୯୯ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରିଥିଲେ । ସେମିଫାଇନାଲରେ ଦୂତି ୧୦୦ ମିଟର ଦୂରତ୍ୱ ଅତିକ୍ରମ କରିବାକୁ ୧୧.୬୧ ସେକେଣ୍ଡ ନେଇଥିଲେ ।
ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆସନ୍ତା କାଲି ଅର୍ଥାତ ରବିବାରଦିନ ଉଦଯାପିତ ହେବ ।