ଦୂତିଙ୍କ ନୂଆ କୀର୍ତ୍ତି: ଅମିୟ, ଜଉନାଙ୍କୁ ସ୍ବର୍ଣ୍ଣ

ଜାତୀୟ ଓପନ ଦୌଡ଼କୁଦ, ୧୭ ବର୍ଷ ପରେ ନୂଆ ମିଟ୍‌ ରେକର୍ଡ

କଟକ: ଅଲିମ୍ପିଆନ୍‌ ଦୂତି ଚାନ୍ଦ ପୁଣି ଏକ କୀର୍ତ୍ତିମାନ କରିଛନ୍ତି। ଏଥର ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଚାଲିଥିବା ଜାତୀୟ ଓପନ ଦୌଡ଼କୁଦରେ ସେ ନିଜ କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହେବା ସହ ଟୋକିଓ ଅଲିମ୍ପିକ୍‌ ଯୋଗ୍ୟତା ସମୟର ନିକଟତର ହୋଇପାରିଛନ୍ତି। ରାଞ୍ଚି ଦୌଡ଼କୁଦର ଦ୍ବିତୀୟ ଦିନ ଦୂତି ୧୦୦ ମିଟର ଫାଇନାଲ୍‌ରେ ୧୧.୨୫ ସେକେଣ୍ତ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ସେମି ଫାଇନାଲ୍‌ରେ ସେ ୧୧.୨୨ ସେକେଣ୍ତ ସମୟ ନେଇ ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଏହାକୁ ନୂଆ କୀର୍ତ୍ତିମାନ ଭାବେ ଗଣାଯାଉଛି। ଏଥିପୂର୍ବରୁ ସେ ଦୋହାରେ ଅନୁଷ୍ଠିତ ଏସୀୟ ଦୌଡ଼କୁଦ ସେମି ଫାଇନାଲ୍‌ରେ ୧୧.୨୬ ସେକେଣ୍ତ ସମୟ ସହ ଜାତୀୟ କୀର୍ତ୍ତିମାନ କରିଥିବା ବେଳେ ରଚିତା ପଣ୍ତାଙ୍କ ସମକକ୍ଷ ହୋଇପାରିଥିଲେ। ଅନ୍ୟପକ୍ଷରେ ଦୋହାରେ ନିକଟରେ ଶେଷ ହୋଇଥିବା ବିଶ୍ବ ଦୌଡ଼କୁଦରେ ଦୂତି ସେମିଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ହିଟ୍ସରେ ୧୧.୪୮ ସେକେଣ୍ତ ସହ ସପ୍ତମ ସ୍ଥାନରେ ରହିଥିଲେ। ତେବେ ରାଞ୍ଚିରେ ନିଜର ଜାତୀୟ କୀର୍ତ୍ତିମାନ ଭାଙ୍ଗିପାରିଥିବାରୁ ଏହା ତାଙ୍କୁ ଅଧିକ ଆଶ୍ବସ୍ତି ଦେଇଛି। କେବଳ ଏତିକି ନୁହେଁ ୧୭ ବର୍ଷ ପରେ ମିଟ୍‌ କୀର୍ତ୍ତିମାନ ମଧ୍ୟ ଭଙ୍ଗାଯାଇଛି। ପୂର୍ବରୁ ୨୦୦୨ ମସିହାରେ ଦିଲ୍ଲୀ ଓପନ ଦୌଡ଼କୁଦରେ ସରସ୍ବତୀ ଶାହା ୧୧.୪୩ ସେକେଣ୍ତ ସହ କୀତ୍ତିମାନ କରିଥିଲେ। ରାଞ୍ଚି ଜାତୀୟ ଓପନ୍‌ ଦୌଡ଼କୁଦ ମହିଳା ୧୦୦ ମିଟର ଫାଇନାଲ୍‌ରେ ଦୂତିଙ୍କ ପଛକୁ ତାମିଲନାଡୁର ଅର୍ଚ୍ଚନା ସୁସେନ୍ଦ୍ରନ୍‌ (୧୧.୫୪ ସେକେଣ୍ଡ୍‌) ଏବଂ ରେଳବାଇର ହୀମାଶ୍ରୀ ରୟ (୧୧.୫୭ ସେକେଣ୍ଡ୍‌) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି।

ଅନ୍ୟପକ୍ଷରେ ପୁରୁଷ ୧୦୦ ମିଟର ଦୌଡ଼ରେ ଅମିୟ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଦୂରତାକୁ ଅମିୟ ୧୦. ୪୬ ସେକେଣ୍ତ ସମୟ ନେଇ ଏହି ସଫଳତା ପାଇଛନ୍ତି। ତେବେ ୨୦୧୬ରେ ଅମିୟ ସ୍ଥାପନ କରିଥିବା ନିଜର ଜାତୀୟ କୀର୍ତ୍ତିମାନ (୧୦.୨୬ ସେକେଣ୍ତ) ଓ ୨୦୦୧ ମସିହାରେ ଅନୀଲ କୁମାର କରିଥିବା ମିଟ୍‌ କୀର୍ତ୍ତିମାନ (୧୦.୩୭ ସେକେଣ୍ତ)କୁ ଭାଙ୍ଗିପାରିନଥିଲେ। ଏହି ଇଭେଣ୍ଟରେ ମାଲେସିଆର ଜୋନାଥନ୍‌ ନେପା ୧୦.୪୭ ସେକେଣ୍ତ ସମୟ ସହ ରୌପ୍ୟ ଓ ପଞ୍ଜାବର ଗୁରିନ୍ଦରବୀର ସି˚ହ ୧୦.୪୮ ସେକେଣ୍ତ ସହ କା˚ସ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ମହିଳା ୪୦୦ ମିଟର ବାଧାଦୌଡ଼ରେ ଓଏନ୍‌ଜିସିକୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଧାବିକା ଜଉନା ମୁର୍ମୁ ୫୮.୦୮ ସେକେଣ୍ତ ସମୟ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପଞ୍ଜାବର ବୀରପାଲ କୌର (୫୮.୫୩ ସେକେଣ୍ତ) ଓ ରେଳବାଇର ଅର୍ପିତା ମଞ୍ଜୁନାଥ (୫୯.୭୫ ସେକେଣ୍ତ) ଯଥାକ୍ରମେ ରୌପ୍ୟ ଓ କା˚ସ୍ୟ ପଦକ ପାଇଛନ୍ତି।

ପଦକ ଆଶା ନ ଥିଲା, ଭଲ ସମୟ ଦେବାକୁ ଚେଷ୍ଟା କରିଥିଲି: ଦୂତି
ରାଞ୍ଚି ଓପନ ଦୌଡ଼କୁଦରେ ନୂଆ ଜାତୀୟ କୀର୍ତ୍ତିମାନ କରିଥିବା ଦୂତି ଚାନ୍ଦ ପଦକ ପାଇବା ପାଇଁ ଆଦୌ ଆଶା ରଖିନଥିବା କହିଛନ୍ତି। ପଦକ ଅପେକ୍ଷା ନିଜର ସମୟରେ ଉନ୍ନତି ଆଣିବା ପାଇଁ ସେ ଚେଷ୍ଟା କରିଥିଲେ। ଦୋହାରେ ଖରାପ ସମୟ ଯୋଗୁଁ ସେମି ଫାଇନାଲ୍‌ରୁ ବର୍ତ୍ତିଯାଇଥିଲେ। ତେଣୁ ଜାତୀୟ ପ୍ରତିଯୋଗିତାରେ ସମୟରେ ସୁଧାର ଆଣିବାକୁ ଉଦ୍ୟମ ଜାରି ରଖିଥିଲି। ସେହି ପରିଶ୍ରମର ଫଳ ଆଜି ମିଳିଛି ବୋଲି ଦୂତି କହିଛନ୍ତି। ଚଳିତ ବର୍ଷର ଶେଷ ଇଭେଣ୍ଟ ସଫଳ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ପ୍ରଶିକ୍ଷକ ଏନ୍‌ ରମେଶ, ଶିବପ୍ରସାଦ ମିଶ୍ର, ଫିଜିଓ ଅଜୟ ମହାନ୍ତି, ପ୍ରଶାନ୍ତ କୁମାର ଦେବତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବର୍ଷ ଶେଷ ସୁଦ୍ଧା ୧୧.୨୦ ସେକେଣ୍ତ ସମୟକୁ ଲକ୍ଷ୍ୟ ରଖାଯାଇଥିଲା। ଏହା ପାଖାପାଖି ହାସଲ ହୋଇପାରିଛି। ଏବେ ଟୋକିଓ ଅଲିମ୍ପିକ୍ସ ପାଇଁ ୧୧.୧୦ ସେକେଣ୍ତ ସମୟ ହାସଲ କରିବା ପରବର୍ତ୍ତୀ ଲକ୍ଷ୍ୟ ରହିଛି। ଏଥିପାଇଁ କଠୋର ପରିଶ୍ରମ କରିବାକୁ ହେବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର