ଦୂତିଙ୍କ ‘ଅଲିମ୍ପିକ୍ସ’ ଆତ୍ମବିଶ୍ବାସ; ବିଶ୍ବମାନ୍ୟତା ‌‌ଦେବ ଯୋଗ୍ୟତା ଟିକେଟ୍‌, ୨୦୦ ମିଟରରେ ବି ସମ୍ଭାବନା

ଭୁବନେଶ୍ବର (ଦେବାଶିଷ ସୁନ୍ଦରାୟ): କାଜାଖସ୍ତାନର ଅଲମାଟିଠାରେ ଅସାଧାରଣ ପ୍ରଦର୍ଶନ କରି ଦୌଡ଼ରାଣୀ ଦୂତି ଚାନ୍ଦ ଯେତେବେଳେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିଥିଲେ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇ ଯାଇଥିଲା। ପା‌ୟୋଲି ଏକ୍ସପ୍ରେସ୍ ତଥା ମହାନ ଧାବିକା ପିଟି ଊଷା ଅଲିମ୍ପିକ୍ସ ଟ୍ରାକ୍‌ରେ ଦୌଡ଼ିବାର ଦୀର୍ଘ ୩୬ ବର୍ଷ ପରେ ମହିଳା ୧୦୦ ମିଟର ଲାଗି ଯୋଗ୍ୟତା ହାସଲ କରିବାରେ ଦେଶର ଦ୍ବିତୀୟ କ୍ରୀଡ଼ା ତାରକା ହୋଇଥିଲେ ଦୂତି। ଅଲିମ୍ପିକ୍ସର ସମ୍ମାନଜନକ ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବାରେ ସେ ବି ପାଲଟିଥିଲେ ତୃତୀୟ ଭାରତୀୟ ମହିଳା। ରିଓ’ଡି ଜେନିରୋର ଟ୍ରାକ୍ ଆଣ୍ଡ ଫିଲ୍ଡ ଏରିନାରେ ଯେତେବେଳେ ଦୂତି ଲେନ୍-୪ରେ ଦୌଡ଼ିବା ଆରମ୍ଭ କଲେ ସେତେବେଳେ ପ୍ରତିଟି ଭାରତୀୟଙ୍କ ନଜର ଟେଲିଭିଜନ ପରଦା ଉପରେ ହିଁ ଥିଲା। ୩୬ ବର୍ଷ ପରେ କୌଣସି ଭାରତୀୟ ମହିଳାଙ୍କୁ ଅଲିମ୍ପିକ୍ସର ୧୦୦ ମିଟରରେ ଦେଖିବାକୁ ପାଇଥିଲେ ସେମାନେ। ଏହି ଐତିହାସିକ ଦୌଡ଼କୁ ନେଇ ସମ୍ଭବତଃ ଦୂତିଙ୍କ ଅପେକ୍ଷା ତାଙ୍କ ପ୍ରଶଂସକ ଅଧିକ ରୋମାଞ୍ଚିତ ଥିଲେ। କାରଣ ଯାଜପୁରର ଚକଗୋପାଳପୁରରୁ ବାହାରି ରିଓ ପହଞ୍ଚିବା ଭିତରେ ଦୂତିଙ୍କ ଜୀବନପଥ କୌଣସି ବଡ଼ ଯୁଦ୍ଧଠାରୁ କିଛି କମ୍ ନଥିଲା। ବିନା ଦୋଷରେ ଜୀବନଠାରୁ ଅଧିକ ଭଲପାଉଥିବା ରନିଂ ଟ୍ରାକ୍‌ରୁ ନିଲମ୍ବନ କରାଯିବା ଏବଂ ପରେ ଦେଶର ଦ୍ରୁତତମ ଧାବିକା ହେବା ଭିତରେ ଦୂତିଙ୍କ ଜୀବନ ନାନା ନାଟକୀୟ ମୋଡ଼ ନେଇଥିଲା। ଲିଙ୍ଗ ବିବାଦ, ବାସନ୍ଦାଦେଶ, ଟାହି ଟାପରା, ଗୋଡ଼ଟଣା, ନିନ୍ଦା ଏବଂ ସବୁ ବାଧାବିଘ୍ନକୁ ପଛରେ ପକାଇ ଦୂତି ଅଲିମ୍ପିକ୍ସ ମାନଚିତ୍ରରେ ଓଡ଼ିଶା ପାଇଁ ସୃଷ୍ଟି କରିଥିଲେ ସ୍ବତନ୍ତ୍ର ସ୍ଥାନ। ଦୂତି ଅଲିମ୍ପିକ୍ସ ପଦକ ଜିତି ନଥିଲେ, ହେଲେ କୌଣସି ଅଲିମ୍ପିକ୍ସ ବିଜେତାଠାରୁ କୌଣସି ଗୁଣରେ କମ୍ ଚର୍ଚ୍ଚାରେ ନଥିଲେ।

୪ ବର୍ଷ ପରେ ପୁଣି ଥରେ ଦୂତିଙ୍କ ପାଇଁ ଇତିହାସ ଅପେକ୍ଷା କରି ରହିଛି। ୨୦୨୦ ଟୋକିଓ ଅଲିମ୍ପିକ୍ସ ସ୍ଥଗିତ ହେବା ପରେ ଚଳିତବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ମହାନ କ୍ରୀଡ଼ାକୁମ୍ଭକୁ ନେଇ ଅନ୍ୟ ହଜାର ହଜାର ଆଥଲେଟ୍‌ଙ୍କ ଭଳି ଦୂତି ମଧ୍ୟ ଆଶା ଓ ଆଶଙ୍କାରେ ଅଛନ୍ତି। ‌କରୋନା ମହାମାରୀ ତାଙ୍କଠାରୁ ଅଲିମ୍ପିକ୍ସ ଯୋଗ୍ୟତାର ଅନେକ ସୁଯୋଗ ଛଡ଼ାଇ ନେଇଛି। ତଥାପି ଆଶା ଓ ଆତ୍ମବିଶ୍ବାସ ଛାଡ଼ି ନାହାନ୍ତି ସେ। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଇଣ୍ଡିଆନ୍ ଗ୍ରାଁ ପ୍ରି-୪ ଏବଂ ୬୦ତମ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ରୂପରେ ଅଲିମ୍ପିକ୍ସ ଯୋଗ୍ୟତାର ଟାଇମିଂ ଛୁଇବା ଲାଗି ତାଙ୍କ ପାଖରେ ଆଉ ଦୁଇଟି ସୁଯୋଗ ରହିବ। ଦୁଇଟି ଯାକ ପ୍ରତିଯୋଗିତା ପଞ୍ଜାବ ପାତିଆଲାଠାରେ ଆୟୋଜିତ ହେବ। ଏହାଛଡ଼ା ଦୂତିଙ୍କ ପାଇଁ ଅଲିମ୍ପିକ୍ସରେ ଦ୍ବିତୀୟ ଥର ଅଂଶଗ୍ରହଣ କରିବାର ଆଉ ଏକ ସୁଯୋଗ ବି ରହିବ। ତାହା ହେଉଛି ବିଶ୍ବ ଆଥ୍‌ଲେଟ୍ ପକ୍ଷରୁ ନୂଆ କରି ଆରମ୍ଭ କରାଯାଇଥିବା ରୢାଙ୍କିଙ୍ଗ୍‌ ବ୍ୟବସ୍ଥା। ଟୋକିଓ ଅଲିମ୍ପିକ୍ସ ଆୟୋଜନ ଓ ବାତିଲ ନେଇ ତର୍କ ବିତର୍କ ଲାଗି ରହିଥିଲା ବେଳେ ଆୟୋଜକ ଯଦି ଏହାକୁ ଆୟୋଜନ କରିବାର ସାହସିକ ନିଷ୍ପତ୍ତି ନିଅନ୍ତି, ତାହାଲେ ଦୂତି ଏହି ରୢାଙ୍କିଙ୍ଗ୍‌ ବା ବିଶ୍ବମାନ୍ୟତା ଭିତ୍ତିରେ ଉଭୟ ୧୦୦ ଓ ୨୦୦ ମିଟରରେ ଯୋଗ୍ୟତା ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଉଭୟ ୧୦୦ ଓ ୨୦୦ ମିଟର ବିଶ୍ବ ମାନ୍ୟତାରେ ଶ୍ରେଷ୍ଠ ୫୦ ତାରକାଙ୍କ ମଧ୍ୟରେ ଦୂତି ଅଛନ୍ତି, ଆଉ ଦୁଇଟି ଯାକ ବର୍ଗରେ ମୋଟ ୫୬ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ଟିକେଟ୍‌ ମିଳିଥାଏ। ସବୁଠାରୁ ବଡ଼ କଥା ହେଲା ଯଦି ବିଶ୍ବ ମାନ୍ୟତା ଭିତ୍ତିରେ ଦୂତି ପୁଣି ଥରେ ଅଲିମ୍ପିକ୍ସରେ ଦୌଡ଼ିବାର ସୁଯୋଗ ଅର୍ଜନ କରନ୍ତି, ତାହେଲେ ଲଗାତାର ଦୁଇଟି ଅଲିମ୍ପିକ୍ସର ତୀବ୍ର ପ୍ରତିଦ୍ବନ୍ଦ୍ବିତା ଭରା ମହିଳା ୧୦୦ ମିଟରରେ ଅଂଶଗ୍ରହଣ କରିବାରେ କେବଳ ଓଡ଼ିଶା ନୁହଁ, ଭାରତବର୍ଷର ପ୍ରଥମ ଆଥଲେଟ୍ ହେବେ। ସବୁଠାରୁ ବଡ଼ କଥା ହେଲା ରିଓ ଅଲିମ୍ପିକ୍ସର ଦୌଡ଼କୁଦ ଲାଗି ଦୁଇ ଜଣ ଓଡ଼ିଆ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଯୋଗ୍ୟତା ଅର୍ଜନ କରିଥିଲେ। ଅବଶ୍ୟ ଉଭୟ ଫାଇନାଲକୁ ଯାଇ ପାରି ନଥିଲେ। ଦୂତିଙ୍କ ଭଳି ଶ୍ରାବଣୀ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା ଚଳାଇଛନ୍ତି। ସଂପ୍ରତି ଜାମାଇକାରେ ରହି ସେଠାକାର ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ବିତୀୟବାର ଅଲିମ୍ପିକ୍ସ ଖେଳିବାର ପ୍ରୟାସ ଜାରି ରଖିଛନ୍ତି।

ବିଶ୍ବମାନ୍ୟତା ‌‌ଦେବ ଯୋଗ୍ୟତା ଟିକେଟ୍‌

ବିଶ୍ବ ଆଥଲେଟ୍‌ର ମହିଳା ୧୦୦ ମିଟର ମାନ୍ୟତା (ଯେଉଁଥିରେ ୫୦, ୫୫ ଓ ୬୦ ମିଟର ପ୍ରତିଯୋଗିତା ପ୍ରଦର୍ଶନକୁ ବି ବିଚାରକୁ ନିଆଯାଇଥାଏ) ରେ ଦୂତି ସଂପ୍ରତି ୩୭ତମ ସ୍ଥାନରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ଲାଗି ଥିବା ଏକବର୍ଷ ଯୋଗ୍ୟତା ଅର୍ଜନ ସମୟ ଭିତରେ ଦୂତି ରାଞ୍ଚିରେ ଆୟୋଜିତ ଇଣ୍ଡିଆନ୍ ଓପନ୍ (୧୧ ଅକ୍ଟୋବର ୨୦୧୯, ଏହିଠାରେ ସେ ଜାତୀୟ କୀର୍ତ୍ତିମାନ (୧୧.୨୨ ସେକେଣ୍ଡ) ସ୍ଥାପନ କରିଥିଲେ), ଇଟାଲିର ନାପୋଲିରେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା, ଦୋହା ଏସିଆନ୍ ଚାମ୍ପିଅନସିପ୍ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନ ଆଧାରରେ ୧୨୧୨ ପଏଣ୍ଟ୍‌ ଅର୍ଜନ କରି ସେ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିବାର ଦୌଡ଼ରେ ରହିଛନ୍ତି। ୧୪୬୫ ପଏଣ୍ଟ୍‌ ସହ ଜାମାଇକାର ସେଲିଆନ୍ ଫ୍ରେଜର ପ୍ରାଇସ୍ ଏହି ତାଲିକାର ପ୍ରଥମ ସ୍ଥାନର ଶୋଭା ବଢ଼ାଉଛନ୍ତି। ଅନ୍ୟପକ୍ଷରେ ବିଶ୍ବ ମହିଳା ୨୦୦ ମିଟର ମାନ୍ୟତାରେ ଦୂତି ୪୩ତମ ସ୍ଥାନରେ ରହିଛନ୍ତି। ୧୪୩୮ ପଏଣ୍ଟ୍‌ ପାଇ ବ୍ରିଟେନର ଡାଏନା ଆସେର ସ୍ମିଥ୍ ଏହି ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ୧୦୦ ମିଟର ଲାଗି ଏଥର ଅଲିମ୍ପିକ୍ସ ଯୋଗ୍ୟତା ସମୟ ୧୧.୧୫ ରଖା ଯାଇଛି। ଯାହା ଦୂତିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବି କମ୍। ପ୍ରତିଦ୍ବନ୍ଦ୍ବିତା ଅଭାବରୁ ଦୂତି ଏହାର ଆଖପାଖରେ ବି ପହଞ୍ଚି ନାହାନ୍ତି। ହେଲେ ଯୋଗ୍ୟତା ଅର୍ଜନର ଆଉ ଏକ ବିକଳ୍ପ ତାଙ୍କ ପାଖରେ ରହିଛି। ୧୦୦ ମିଟର ପାଇଁ ୫୬ ଜଣିଆ କୋଟା ଥିଲା ବେଳେ ଏବେ ସୁଦ୍ଧା କେବଳ ୩୩ ଜଣ ଯୋଗ୍ୟତା ଅର୍ଜନ ସମୟ ଛୁଇଁ ପାରିଛନ୍ତି। ଆହୁରି ୨୩ ଜଣ ମାନ୍ୟତା ମୁତାବକ ଅଲିମ୍ପିକ୍ସରେ ସାମିଲ ‌ହୋଇ ପାରନ୍ତି।

୨୦୦ ମିଟରରେ ବି ସମ୍ଭାବନା
ଅନୁରୂପ ଭାବେ ୨୦୦ ମିଟରର ଯୋଗ୍ୟତା ଅର୍ଜନ ସମୟ ୨୨.୮୦ ସେକେଣ୍ଡ ରଖା ଯାଇଛି। ଏହି ବର୍ଗର ଯୋଗ୍ୟତା ଅର୍ଜନ ସମୟକୁ ବି ୩୩ ଜଣ ପ୍ରତିଯୋଗୀ ଛୁଇଁ ପାରିଛନ୍ତି। ଏଣୁ ୨୦୦ ମିଟରର ଅବଶିଷ୍ଟ ୨୩ ସ୍ଥାନ ମାନ୍ୟତା ଭିତ୍ତିରେ ହିଁ ପୂରଣ କରାଯିବ। ଏହା ହେଲେ ଦୂତିଙ୍କ ପାଳି ପଡ଼ିବାରେ ସର୍ବାଧିକ ସମ୍ଭାବନା ରହିଛି। ତେବେ ଏହି କ୍ଷେତ୍ରରେ ଅନ୍ୟ ଏକ ପ୍ରତିବନ୍ଧକ ହେବ ଭାରତରେ କରୋନା ସ୍ଥିତି। ସଂପ୍ରତି ଭାରତରେ କରୋନାର ସ୍ଥିତିକୁ ଦେଖି ଜାପାନ ସମେତ ବହୁ ଦେଶ ଭାରତୀୟଙ୍କ ପ୍ରବେଶ ଉପରେ ଅଙ୍କୁଶ ଜାରି କରିଛନ୍ତି। ବିଦେଶରେ ରହି ପ୍ରଶିକ୍ଷଣ ନେଉଥିବା ଖେଳାଳିଙ୍କ ପାଇଁ ଜାପାନ ଯିବା ସହଜ ହେବ। ହେଲେ ଦୂତି ପାତିଆଲାରେ ଅଭ୍ୟାସ କରୁଥିବାରୁ ପରିସ୍ଥିତି ନ ସୁଧୁରିଲେ ଯୋଗ୍ୟତା ହାସଲ କରିବା ସତ୍ତ୍ବେ ସେ ଟୋକିଓ ଅଲିମ୍ପିକ୍ସରୁ ବଞ୍ଚିତ ହୋଇ ପାରନ୍ତି। ଅବଶ୍ୟ ଏସବୁ ସମୀକରଣ ଟୋକିଓ ଅଲିମ୍ପିକ୍ସ ବାତିଲ ନହେଲେ ବିଚାରକୁ ଆସିବ।

‘କରୋନା ନିଶ୍ଚିତ ହାରିବ’
କରୋନା ମହାମାରୀ ପାଇଁ ଗତ ଦେଢ଼ ବର୍ଷ ହେବ ଦୂତି ଯେତିକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆଶା ରଖିଥିଲେ ତାହା ସମ୍ଭବ ହୋଇ ପାରି ନାହିଁ। ଏପରିକି ପୋଲାଣ୍ଡରେ ହେବାକୁ ଥିବା ବିଶ୍ବ ରିଲେ ଦୌଡ଼କୁଦ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ ମଧ୍ୟ କରୋନା ସଙ୍କଟ ପାଇଁ ସେଠାକୁ ଯିବା ସମ୍ଭବ ହେଲାନି। ଏବେ ଭାରତୀୟ ରିଲେ ଦଳର ଶେଷ ଆଶା ମଧ୍ୟ ସେହି ବିଶ୍ବ ମାନ୍ୟତା ହୋଇ ଯାଇଛି। ହେଲେ ବ୍ୟକ୍ତିଗତ ଭାବେ ଲଗାତାର ଦ୍ବିତୀୟ ଥର ଅଲିମ୍ପିକ୍ସ ଖେଳିବାର ଆଶା ଦୂତି ଛାଡ଼ି ନାହାନ୍ତି। ଜାପାନର କରୋନା ସ୍ଥିତି ନେଇ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସଂଶୟ ଥିଲେ ମଧ୍ୟ ଦୂତି ପୂର୍ବଭଳି ନିଜ ଅଭ୍ୟାସ ଓ ଫିଟନେସ୍ ଉପରେ ଅଧିକ ଜୋର ଦେଉଛନ୍ତି। ‘‘ପୋଲାଣ୍ଡ ଯିବା ବାତିଲ ହେବା ପରେ ମୁଁ ଏବେ ପାତିଆଲାରେ ଅଛି। ମୋ ପ୍ରଶିକ୍ଷକ ଏନ୍‌ ରମେଶ ବି ଏଠାରେ ଅଛନ୍ତି। ତାଙ୍କ ତତ୍ତ୍ବାବଧାନରେ ମୁଁ ଅଭ୍ୟାସ କରୁଛି। ଜୁନ୍ ମାସରେ କିଛି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ ବୋଲି ଭାବୁଛି। ସେଠାରେ ଭଲ କରିବାକୁ ଚେଷ୍ଟା କରିବି। ଅଲିମ୍ପିକ୍ସ ଯୋଗ୍ୟତା ଟାଇମିଂ ଓ ମାନ୍ୟତା ଦୁଇ ପ୍ରକାରରେ ମିଳିଥାଏ।

ଟାଇମିଂ ହୋଇ ନଥିଲେ ବି ମୋ ବିଶ୍ବ ମାନ୍ୟତା ଉଭୟ ୧୦୦ ଓ ୨୦୦ ମିଟରରେ ଶ୍ରେଷ୍ଠ ୫୦ ଭିତରେ ଅଛି। ଉଭୟ ବର୍ଗରେ ୫୬ଜଣ ଲେଖାଏଁ ଆଥଲେଟ୍‌ଙ୍କୁ ସୁଯୋଗ ମିଳୁଥିବାରୁ ମୋତେ ଯୋଗ୍ୟତା ମିଳିବାରେ ଅସୁବିଧା ହେବନି। ତେବେ ଅଲିମ୍ପିକ୍ସ ହେବନା ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଆୟୋଜକଙ୍କ ନିଷ୍ପତ୍ତି ଯାହା ହେଉନା କାହିଁକି, ମୁଁ ସବୁକିଛି ପାଇଁ ପ୍ରସ୍ତୁତ’’ ବୋଲି ଦୂତି ‘ସମ୍ବାଦ’ ସହ କଥା ହେଲା ବେଳେ କହିଥିଲେ। ସେହିଭଳି ଦେଶ ଓ ରାଜ୍ୟର କରୋନା ସ୍ଥିତି ନେଇ ଚିନ୍ତା ଜାହିର କରିବା ସହ ସତର୍କ ଓ ସୁରକ୍ଷିତ ରହିବା ଲାଗି ସମସ୍ତଙ୍କୁ ଆହ୍ବାନ କରିଥିଲେ। ମିଳିତ ହୋଇ ଆମେ ନିଶ୍ଚିତ ଭାବେ କରୋନାକୁ ହରାଇ ପାରିବା ବୋଲି ଦୃଢ଼ତାର ସହ କହିଥିଲେ ସେ।

ସମ୍ବନ୍ଧିତ ଖବର