ଭୁବନେଶ୍ବର: ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାର ୨୦୦ ମିଟର ହିଟ୍ରେ ନବମ ସ୍ଥାନରେ ରହି ଫାଇନାଲ୍ ପୂର୍ବରୁ ବିଦାୟ ନେବା ପରେ ଓଡ଼ିଶାର ପ୍ରତିନିଧିତ୍ବ କରୁଥିବା ଛତିଶଗଡ଼ ଧାବକ ଅନିମେଷ କୁଜୁରଙ୍କୁ ଅଲିମ୍ପିଆନ୍ ଦୂତି ଚାନ୍ଦ ଫେସ୍ବୁକ୍ ପୋଷ୍ଟ୍ରେ କଟାକ୍ଷ କରିଛନ୍ତି। ଓଡ଼ିଶାର ମୂଳ ବାସିନ୍ଦା ହୋଇ ନଥିଲେ ମଧ୍ୟ ଚଳିତବର୍ଷ ଓଡ଼ିଶାର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ବିଜୁ ପଟ୍ଟନାୟକ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଅନିମେଷଙ୍କ ଅନ୍ତର୍ଜାତୀୟ ପ୍ରଦର୍ଶନ ଏବଂ ତାଙ୍କ ଉତ୍ସବ ମନାଇବା ଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦୂତି। ନିଜ ପୋଷ୍ଟ୍ରେ ଅନିମେଷଙ୍କୁ ସେ ଓଡ଼ିଶାର ଧରମ ପୁଅ ଭାବେ ଅଭିହିତ କରିଛନ୍ତି। ପୁଣି ଅନିମେଷ ନିଜକୁ ଜାମାଇକାର ମହାନ ଧାବକ ଉସେନ ବୋଲ୍ଟଙ୍କ ସହ ତୁଳନା କରିବା କଥାକୁ କଡ଼ା ସମାଲୋଚନା କରିଛନ୍ତି।
ନିଜ ବିତର୍କିତ ପୋଷ୍ଟ୍ରେ ଦୂତି ଲେଖିଛନ୍ତି, ନିଜକୁ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ଜାମାଇକାର ମହାନ ଧାବକ ଉସେନ ବୋଲ୍ଟଙ୍କ ସହ ତୁଳନା କରୁଥିବା ଓଡ଼ିଶାର ଧରମ ପୁଅ ଅନିମେଷ କୁଜୁର ବିଶ୍ବ ଚାମ୍ପିଅନସିପ୍ର ୨୦୦ ମିଟର ହିଟ୍ରେ ନବମ ସ୍ଥାନ ହାସଲ କରିଛନ୍ତି। କେଇଟା ଜାତୀୟ ପ୍ରତିଯୋଗିତାରେ ମେଡାଲ ହାସଲ କରି ରେକର୍ଡ ସୃଷ୍ଟି କରିଦେଲେ ଯେ ତୁମେ ଅଲିମ୍ପିକ୍ସ ପଦକ ପାଇଯିବ ଏବଂ ଉସେନ ବୋଲ୍ଟ ହୋଇଯିବ, ସେ ଚିନ୍ତାଧାରାକୁ ବନ୍ଦ କର। ବୋଲ୍ଟଙ୍କ ସହ ନିଜକୁ ତୁଳନା କରିବାକୁ ହେଲେ ତୁମକୁ ସେତିକି ପରିଶ୍ରମ କରିବାକୁ ପଡ଼ିବ। ଖାଲି ଚଷମା ପିନ୍ଧି ବଡି ମସଲ୍ ଦେଖାଇଲେ ତୁମେ ଉସେନ ବୋଲ୍ଟ ହୋଇପାରିବନି।
ଦୂତି ଅତୀତରେ ମଧ୍ୟ ବାହାର ରାଜ୍ୟର ଖେଳାଳିଙ୍କୁ ଓଡ଼ିଶାର ବୋଲି କହି ପୁରସ୍କୃତ କରାଯିବା ଧାରା ସହ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବା ନୀତିକୁ କଟୁ ସମାଲୋଚନା କରିସାରିଛନ୍ତି। ଓଡ଼ିଆ ପିଲାଙ୍କୁ ଆଗକୁ ଆଣିବା ଏବଂ ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାକୁ ଯୁକ୍ତି ବାଢ଼ି ଆସୁଛନ୍ତି। ଅନିମେଷ ହେଉଛନ୍ତି ଦେଶର ଦ୍ରୁତତମ ଧାବକ। ସେ ପ୍ରଥମ ପୁରୁଷ ଭାରତୀୟ ଧାବକ ଭାବେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏଣୁ ତାଙ୍କୁ ଏଭଳି କହିବା ଠିକ୍ ନୁହେଁ ବୋଲି ସମର୍ଥକମାନେ ମତ ପ୍ରକାଶ କରିଛନ୍ତି।