ଦୌଡ଼ରାଣୀଙ୍କୁ ସୋସିଆଲ୍‌ ମିଡିଆରେ ଅଶାଳୀନ ବ୍ୟବହାର, ସ୍କ୍ରିନ୍‌ସଟ ସେୟାର କରି ଯୁବକଙ୍କ ମୁଖା ଖୋଲିଲେ ଦୂତୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଓଡିଆ ଆଥଲେଟ୍‌ ଦୂତୀ ଚାନ୍ଦଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ। ତାପୁଣି ସୋସିଆଲ୍‌ ମିଡିଆରେ। ପ୍ରଥମେ ଫ୍ୟାନ୍‌ ଭାବେ ଫେସବୁକରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଇଲେ। ପରେ ଦେଇଥିଲେ ବିବାହ ପ୍ରସ୍ତାବ। ଯାହାକୁ ନେଇ ଦୂତୀ ଯୁବକଙ୍କୁ ଅନଫ୍ରେଣ୍ଡ୍‌ କରିଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ଯୁବକଙ୍କ ଅସଲ ଖେଳ। ଦୂତୀଙ୍କ ପ୍ରତି ଅଶାଳୀନ ମେସେଜ୍‌ ଦେବା ଆରମ୍ଭ କରିଥିଲେ ସମ୍ପୃକ୍ତ ଯୁବକ। ଦୂତୀ ଏହି ସବୁ ମେସେଜର ସ୍କ୍ରିନ୍‌ ସଟ୍‌ ସୋସିଆଲ୍‌ ମିଡିଆରେ ଅପଲୋଡ୍‌ କରି ଯୁବକ ଜଣକର ମୁଖା ଖୋଲିବା ପାଇଁ ଉଦ୍ୟମ କରିବା ପରେ, ଏହା ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ତେବେ ଶେଷରେ ଦୂତୀଙ୍କ ପୋଷ୍ଟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଯୁବକ ଜଣକ କ୍ଷମା ପ୍ରାର୍ଥନା କରି ମେସେଜ୍‌ ଦେଇଛନ୍ତି। କହିଛନ୍ତି ତାଙ୍କ ଆଇଡିକୁ କେହି ହ୍ୟାକ୍‌ କରି ଏପରି କରିଛି। ଏହା ସହିତ ପୋଷ୍ଟ ଗୁଡିକୁ ସୋସିଆଲ୍‌ ମିଡିଆରୁ ଡିଲିଟ୍‌ କରିଦେବାକୁ ଦୂତୀଙ୍କୁ ଅନୁରୋଧ କରିଛନ୍ତି। ଏପରିକି ଦୂତୀଙ୍କୁ ଦେଖା କରି ଭୁଲ୍‌ ମାଗିବେ ବୋଲି ମେସେଜ୍‌ କରିଛନ୍ତି ଯୁବକ ଜଣକ। ବର୍ତ୍ତମାନ ସମାଜରେ ସୋସିଆଲ୍‌ ମିଡିଆର ବ୍ୟବହାର ଅତି ମାତ୍ରାରେ ବଢିଚାଲିଛି। ସମାଜର ଏକ ବଡ଼ ଜନସଂଖ୍ୟା ଏହି ସୋସିଆଲ୍‌ ମିଡିଆ ସହିତ ଯୋଡ଼ି ହୋଇଗଲାଣି। ଏହା ଜାଣିବା ପରେ ବି ରାଜ୍ୟ ତଥା ଦେଶର ଗୌରବ, ଦେଶର ଆଗଧାଡିର ମହିଳା ଆଥଲେଟ୍‌ ଦୂତୀ ଚାନ୍ଦଙ୍କ ପ୍ରତି ଯୁବକ ଜଣକ ଏପରି ଅଶାଳୀନ ବ୍ୟବହାର କିପରି ଓ କାହିଁକି କଲେ, ତାକୁ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର