୨୦୦ ମିଟର ସେମିରେ ଦୂତି

ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା‌

ଭୁବନେଶ୍ବର: ଇଟାଲିର ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ବିଜୟ ଧାରା ଜାରି ରହିଛି। ୧୦୦ ମିଟରରେ ସ୍ବର୍ଣ୍ଣ ଜିତି ଇତିହାସ ରଚିବା ପରେ ୨୦୦ ମିଟରରେ ସେ ମଧ୍ୟ ପଦକ ଜିତିବାର ମୂଳଦୁଆ ପକାଇଛନ୍ତି। ବୁଧବାର ଅନୁଷ୍ଠିତ ୨୦୦ ମିଟରର ଥମ ପର୍ଯ୍ୟାୟ‌ ପ୍ରତିଯୋଗିତାରେ ୨୪.୦୮ ସେକେଣ୍ଡ ସମୟ ସହ ଦୂତି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଗୁରୁବାର ଏହି ଇଭେଣ୍ଟର ସେମିଫାଇନାଲ୍ ଏବଂ ଫାଇନାଲ୍ ଅନୁଷ୍ଠିତ ହେବ। ଦୂତି ୨୦୦ ମିଟରର ସ୍ବର୍ଣ୍ଣ ଜିତିଲେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି ପ୍ରତିଯୋଗିତାରେ ଯୁଗଳ ସ୍ବର୍ଣ୍ଣ ଜିତିବାର ବିରଳ ସଫଳତା ଅର୍ଜନ କରିବେ। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା‌ ପାଇଁ ନାପୋଲି ଯାଇଥିବା ଭାରତୀୟ ଦଳରେ ଦୂତି ଏକମାତ୍ର ଓଡ଼ିଆ ଖେଳାଳି ଭାବେ ସ୍ଥାନ ପାଇଛନ୍ତି। ତେବେ କିଟ୍ ବିଶ୍ବବିଦ୍ୟାଳୟର କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାସ, ସହକାରୀ କ୍ରୀଡ଼ା ନିର୍ଦେଶକ ରୁଦ୍ରକେଶ ଜେନା ଏବଂ ଦୌଡ଼କୁଦ ପ୍ରଶିକ୍ଷକ ସଞ୍ଜୟ ଗଡ଼ନାୟକ ଉପ ଚିଫ୍ ଡି’ ମିଶନ, ଅଧିକାରୀ ଏବଂ ଦୌଡ଼କୁଦ ଦଳର ମୁଖ୍ୟ ଭାବେ ନାପୋଲି ଯାଇଛନ୍ତି।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଦୂତି ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ବିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ଦୂତି ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି। ଭାରତୀୟ ଆଥଲେଟିକ୍‌ ପାଇଁ ଏହା ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ୍‌ କରି ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମାନଙ୍କ ସହ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ସାମିଲ ହୋଇଛନ୍ତି। ‘ଦୌଡ଼ ଜାରି ରହୁ’ ବୋଲି ସେ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର