ଦୂତିଙ୍କ ପସନ୍ଦ ପ୍ରଶିକ୍ଷଣ:‘ଆଇନ ପଢ଼ୁଛି, ଓକିଲ ହେବିନି’

ଭୁବନେଶ୍ୱର: ଅଷ୍ଟାଦଶ ଏସିଆଡ୍‌ରେ ଯୁଗଳ ପଦକ ଜିତି ସାରା ଭାରତର ରୁପା କନିଆ ପାଲଟିଥିବା ଦୂତି ଚାନ୍ଦ ସଂପ୍ରତି କିଟ୍‌ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା ଗ୍ରହଣ କରୁଛନ୍ତି। ଆଇନକୁ ପେସା କରିବାର ଲକ୍ଷ୍ୟ କିମ୍ବା ରୂଚି କିନ୍ତୁ ତାଙ୍କର ନାହିଁ। କଳା କୋର୍ଟ ପିନ୍ଧି ମହକିଲଙ୍କ ପାଇଁ ମାମଲା ଲଢ଼ିବା ପରିବର୍ତେ ଭବିଷ୍ୟତରେ ଜଣେ ଭଲ ପ୍ରଶିକ୍ଷକ ହେବାକୁ ଦୂତି ଲକ୍ଷ୍ୟ ରଖିଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ମହାସଂଘ (ଏସ୍‌ଜେଏଫଆଇ)ର ୪୧ତମ ବାର୍ଷିକ ସମ୍ମିଳନୀ ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଦୂତି ଏହା କହିଛନ୍ତି। ଅଭ୍ୟାସ ଏବଂ ବ୍ୟସ୍ତବହୁଳ ପ୍ରତିଯୋଗିତା ସୂଚୀ ଲାଗି ମୋ ପାଖରେ ପଢ଼ିବା ପାଇଁ ଆଦୌ ସମୟ ନଥାଏ। ହେଲେ ମୁଁ ଯେତେବେଳେ ଓଡ଼ିଶା ଆସେ କିମ୍ବା ହାଇଦ୍ରାବାଦରେ ଥାଏ, କିଛି ସମୟ ପଢ଼ିବାରେ କଟାଇଥାଏ। କେବଳ ସମ୍ମାନ ଏବଂ ସ୍ୱୀକୃତି ପାଇଁ ମୁଁ ଆଇନ ସ୍ନାତକ ହେବାକୁ ଚାହେଁ। କୋର୍ଟରେ ମାମଲା ଲଢ଼ିବାକୁ ନୁହେଁ, ଜଣେ ଭଲ ପ୍ରଶିକ୍ଷକ ହେବା ମୋର ପରବର୍ତୀ ଲକ୍ଷ୍ୟ ବୋଲି ଦୂତି କହିଥିଲେ। ଏହି ଅବସରରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ପୁଲେଲା ଗୋପୀଚାନ୍ଦଙ୍କୁ ସାହାଯ୍ୟ, ସମର୍ଥନ ଏବଂ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର