ନୂଆଦିଲ୍ଲୀ: ଓଡ଼ିଆ ଧାବିକା ଦୂତି ଚାନ୍ଦ ଚଳିତ ବର୍ଷର ଅର୍ଜୁନ ପୁରସ୍କାରରୁ ବଞ୍ଚିତ ହେଲେ। ଭାରତୀୟ ଦୌଡ଼କୁଦ ସଂଘ (ଏଏଫ୍ଆଇ)ର ପକ୍ଷପାତିତା ନୀତି ଯୋଗୁଁ ଦୂତି ଏଭଳି ଶିକାର ହେବାକୁ ଯାଉଛନ୍ତି। ନିୟମ ଅନୁଯାୟୀ ସଂଘ ଅର୍ଜୁନ ପୁରସ୍କାର ପାଇଁ କେବଳ ତିନି ଜଣଙ୍କ ନାମ ସୁପାରିସ କରିବା କଥା। ହେଲେ ଏଏଫ୍ଆଇ ଚଳିତ ବର୍ଷ ଏହି ପୁରସ୍କାର ପାଇଁ ୫ ଜଣଙ୍କ ନାମ ସୁପାରିସ କରିଛି। ସେମାନଙ୍କ ମଧ୍ୟରେ ସଟ୍ପୁଟର୍ ତେଜିନ୍ଦର ପାଲ୍ ସିଂହ ତୁର୍, ହେପ୍ଟାଥଲେଟ୍ ସ୍ବପ୍ନା ବର୍ମନ୍, ଟ୍ରିପଲ୍ ଜମ୍ପର୍ ଅର୍ପିନ୍ଦର ସିଂହ, ଦୂତି ଏବଂ ଏସୀୟ କ୍ରୀଡ଼ା ପୁରୁଷ ୮୦୦ ମିଟର ସ୍ବର୍ଣ୍ଣ ବିଜେତା ମନ୍ଜିତ୍ ସିଂହ ସାମିଲ ଅଛନ୍ତି। ହେଲେ ନାମ ସୁପାରିସ କରିଲା ବେଳେ ସଂଘ ମାନ୍ୟତାକ୍ରମରେ ଏକ ତାଲିକା ପ୍ରସ୍ତୁତ କରିଥିଲା। ଅର୍ଜୁନ ପୁରସ୍କାର ପାଇଁ ସୁପାରିସର ଶେଷ ତାରିଖ ଏପ୍ରିଲ ୩୦ ସୁଦ୍ଧା ଆନ୍ତର୍ଜାତିକ ଓ ବହୁ ଦେଶୀୟ ପ୍ରତିଯୋଗିତାମାନଙ୍କରେ ଆଥ୍ଲେଟ୍ଙ୍କ ପ୍ରଦର୍ଶନକୁ ଭିତ୍ତି କରି ଏହି ମାନ୍ୟତାକ୍ରମ ତାଲିକା ପ୍ରସ୍ତୁତ କରିଥିଲା। ଯେଉଁଥିରେ ତେଜିନ୍ଦର, ସ୍ବପ୍ନା ଓ ଅର୍ପିନ୍ଦରଙ୍କୁ ପ୍ରଥମ ତିନି କ୍ରମରେ ସ୍ଥାନ ଦେଇଥିଲା ବେଳେ ମନ୍ଜିତ୍ଙ୍କୁ ଚତୁର୍ଥ ଓ ଦୁତିଙ୍କୁ ପଞ୍ଚମରେ ରଖିଥିଲା। ତେଣୁ ଜାକର୍ତା ଏସୀୟ କ୍ରୀଡ଼ା ସାଙ୍ଗକୁ ଅନ୍ୟାନ୍ୟ ଆନ୍ତର୍ଜାତିକ କ୍ରୀଡ଼ାରେ ସ୍ବର୍ଣ୍ଣିମ ପ୍ରଦର୍ଶନ ଭିତ୍ତିରେ ତେଜିନ୍ଦର, ସ୍ବପ୍ନା ଓ ଅର୍ପିନ୍ଦରଙ୍କ ନାମ ପୁରସ୍କାର କମିଟିକୁ ସୁପାରିସ ହୋଇଥିଲା। ଫଳରେ ଦୂତି ଓ ମନ୍ଜିତ୍ଙ୍କ ନାମ ସୁପାରିସ ତାଲିକାରୁ ବାଦ୍ ପଡ଼ିଯାଇଛି। ଏସିଆଡ୍ରେ ଦୂତି ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲା ବେଳେ ଦୁର୍ଭାଗ୍ୟବଶତଃ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିକେଟରୁ ବଞ୍ଚିତ ହୋଇଥିଲେ। ଯାହାକି ଅର୍ଜୁନ ପୁରସ୍କାର ପାଇଁ ସେହି ପ୍ରଦର୍ଶନ ଯଥେଷ୍ଟ ନଥିଲା। ଦୂତି ନିକଟରେ ନାପୋଲିରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟର ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହି ପଦକ ଜିତି ଦୂତି ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଓ ଫିଲ୍ଡ ଆଥ୍ଲେଟ୍ର ଗୌରବ ବହନ କରିଥିଲେ। ହେଲେ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରଦର୍ଶନକୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ବିଚାରକୁ ନିଆଯାଇନାହିଁ। ପୁଣି ଅର୍ଜୁନ ପୁରସ୍କାର ପାଇଁ ଦୁତିଙ୍କ ନାମକୁ ଓଡ଼ିଶା ସରକାର ପଠାଇଥିଲେ ମଧ୍ୟ ତାହା ଧାର୍ଯ୍ୟ ସମୟଠୁ ବିଳମ୍ବ ହୋଇଥିବାରୁ କାଟ ଖାଇଯାଇଥିଲା।
ଭଜିଙ୍କୁ ଖେଳରତ୍ନ ପାଇଁ ଆବେଦନ ଖାରଜ
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଫ୍ସ୍ପିନର ହରଭଜନ ସିଂହଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ପଞ୍ଜାବ ସରକାର ଆବେଦନ କରିଥିଲେ। ହେଲେ ତାଙ୍କର ଏହି ଆବେଦନ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ଖାରଜ ହୋଇଯାଇଛି। ଉଭୟ ଖେଳରତ୍ନ ଓ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଥିବା ନାମ ଉପରେ ପୁରସ୍କାର କମିଟି ବଚାରବିମର୍ଶ ଆରମ୍ଭ କରିସାରିଛି। କେବଳ ମନୋନୀତ ନାମର ତାଲିକା ଉପରେ ଚୂଡାନ୍ତ ମୋହର ଲାଗିବାକୁ ବାକି ରହିଛି ବୋଲି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ। କ୍ରୀଡ଼ା ମନ୍ତ୍ରୀଙ୍କ କହିବା କଥା ହେଲା, ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଦ୍ରୁତ ବୋଲର ଯସ୍ପ୍ରୀତ୍ ବୁମ୍ରା ଓ ମହମ୍ମଦ ସାମିଙ୍କ ସହିତ ସ୍ପିନର ରବୀନ୍ଦ୍ର ଜାଦେଜା ଏବଂ ମହିଳା କ୍ରିକେଟର୍ ପୂନମ୍ ଯାଦବଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଥିଲା। ହେଲେ ଖେଳରତ୍ନ ପାଇଁ ବିସିସିଆଇ କାହାରି ନାମ ସୁପାରିସ କରିନଥିଲା। ବରଂ ହରଭଜନଙ୍କ ନାମ ପଞ୍ଜାବ ସରକାର ହିଁ ପଠାଇଥିଲେ। ହେଲେ ପଞ୍ଜାବ ସରକାରଙ୍କ ଏହି ସୁପାରିସ ଜୁନ୍ ୨୫ ତାରିଖରେ କ୍ରୀଡ଼ା ମନ୍ତ୍ରଣାଳୟ ପାଇଥିଲା। ତେବେ ଏଭଳି ଆବେଦନ ପାଇଁ ଧାର୍ଯ୍ୟ ତାରିଖ ଏପ୍ରିଲ ୩୦ ରହିଥିବାରୁ ବିଳମ୍ବରେ ପହଞ୍ଚିଥିବା ଆବେଦନ ଖାରଜ ହୋଇଯାଇଥିଲା।