ଦୂତିଙ୍କ ୨୦୦ ମିଟର ଦମ୍

ଦୋହାରେ ଜିତିଲେ ଏସୀୟ କାଂସ୍ୟ

ଭୁବନେଶ୍ବର: କାତାରର ଦୋହାରେ ଆୟୋଜିତ ୨୩ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଆ ତାରକା ଦୂତି ଚାନ୍ଦ ପୁଣି ଥରେ ତାଙ୍କ ଚମକ ଦେଖାଇଛନ୍ତି। ମହିଳା ୨୦୦ ମିଟରର ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତି ନେଇଛନ୍ତି। ତା’ ସହ ଦୋହା ଏସୀୟ ଦୌଡ଼କୁଦ ପଦକ ତାଲିକାରେ ଓଡ଼ିଆ ଛାପ ଲାଗିଛି। ଦୂତି ଆଜି ତାଙ୍କ ସେମିଫାଇନାଲ୍ ପ୍ରଦର୍ଶନରେ ଉନ୍ନତି ଆଣି ପ୍ରଥମ ତିନି ଜଣଙ୍କ ମଧ୍ୟରେ ରହିଥିଲେ। ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ଆଉ ଏକ ଏସୀୟ ପଦକ ଜିତି ନେଇଥିଲେ। ତାଙ୍କ ଟାଇମିଂ ୨୩.୨୪ ସେକେଣ୍ଡ ଥିଲା। ଯାହା ସେମିଫାଇନାଲ୍ ଟାଇମିଂଠାରୁ .୦୯ ସେକେଣ୍ଡ କମ୍ ଥିଲା। ଦୂତିଙ୍କର ଏହା ଲଗାତାର ତୃତୀୟ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପଦକ। ଗତବର୍ଷ ଭୁବନେଶ୍ବରରେ ଆୟୋଜିତ ୨୨ତମ ଏସୀୟ ଦୌଡ଼କୁଦର ୧୦୦ ମିଟର ସହ ୪ ଗୁଣା ୧୦୦ ରିଲେରେ ଦୂତି କାଂସ୍ୟ ପଦକ ପାଇଥିଲେ। ଦୋହାରେ ଦ୍ରୁତତମ ଧାବିକା ଭାବେ ଫାଇନାଲରେ ପ୍ରବେଶ କରିଥିବା ବାହା‌ରିନର ସାଲୱା ନାସେର (୨୨.୭୪ ସେକେଣ୍ଡ) ନୂଆ ଚାମ୍ପିଅନସିପ୍ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ଜିତି ନେଇଥିଲେ। ଅନ୍ୟପକ୍ଷରେ କାଜାଖସ୍ତାନର ଓଲଗା ସାଫ୍ରାନୋଭା (୨୨.୮୭) ରୌପ୍ୟ ପଦକ ପାଇଥିଲେ। ସୂଚନାଯୋଗ୍ୟ ଯେ ୧୦୦ ମିଟରରେ ଦୂତି ଦୁଇଟି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ସତ୍ତ୍ବେ ଦୁର୍ଭାଗ୍ୟଜନକ ଭାବେ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ୨୦୦ ମିଟରରେ ସେ ଏହି ଦୁଃଖ ଦୂର କରିଛନ୍ତି। ମଙ୍ଗଳବାର ୨୦୦ ମିଟର ସେମିଫାଇନାଲର ତୃତୀୟ ଦ୍ରୁତତମ ଧାବିକା ଭାବେ ଫାଇନାଲକୁ ଉନ୍ନୀତ ହୋଇଥିଲେ। ତୃତୀୟ ହିଟ୍‌ରେ ଦୌଡ଼ିଥିବା ଦୂତି କିନ୍ତୁ ୨୩.୩୩ ସେକେଣ୍ଡ ସମୟ ନିଜ ଗ୍ରୁପର ପ୍ରଥମ ସ୍ଥାନରେ ରହିଥିଲେ। ତେବେ ମୋଟ ଉପରେ ତୃତୀୟ ସ୍ଥାନରେ ରହି ଫାଇନାଲ ଟିକେଟ ପାଇଥିଲେ। ଦୂତି ମଙ୍ଗଳବାରର ୪ଗୁଣା ୧୦୦ ରିଲେରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।
‘ପ୍ରତିଦ୍ବନ୍ଦ୍ବିତା ସ୍ତର ବହୁତ ଉଚ୍ଚ ଥିଲା’
୧୦୦ ମିଟରର ହିଟ୍ ଏବଂ ସେମିରେ ମୁଁ ବହୁତ ଭଲ ଟାଇମିଂ ପାଇଥିଲି। ଲଗାତାର ଦୁଇଟି ଜାତୀୟ କୀର୍ତ୍ତିମାନ କରିଥିଲି। ରିଲେ ଏବଂ ୧୦୦ ମିଟର ଫାଇନାଲ୍ ଭିତରେ ସମୟ ବ୍ୟବଧାନ କମ୍ ଥିବାରୁ ବଡ଼ି ଷ୍ଟିଫ୍ ହୋଇ ଯାଇଥିଲା। ସେଥିପାଇଁ ପଦକରୁ ବଞ୍ଚିତ ହୋଇଥିଲି। ୨୦୦ ମିଟରରେ ସେହି ଅବସୋସକୁ ଦୂର କରିଛି। ଫାଇନାଲରେ ସେମିଫାଇନାଲଠାରୁ ଭଲ ଟାଇମିଂ ପାଇବା ଆନନ୍ଦ ଦେଇଛି। ଚଳିତ ଋତୁରେ ଏସୀୟ ଦୌଡ଼କୁଦ ମୋର ସବୁଠାରୁ ବଡ଼ ପ୍ରତିଯୋଗିତା ଥିଲା। ଏଥିରେ ପଦକ ଜିତି ପାରିଥିବାରୁ ବହୁତ ଖୁସି ଲାଗୁଛି। ଆସନ୍ତାବର୍ଷର ଅଲିମ୍ପିକ୍ସ ପାଇଁ ମଧ୍ୟ କଠିନ ପରିଶ୍ରମ କରୁଛି। ସବୁ କିଛି ଠିକ୍ ରହିଲେ ସେଠାରେ ମଧ୍ୟ ମୁଁ ପଦକ ଜିତିପାରିବି। ବୁଧବାର ଦୌଡ଼ର ସ୍ତର ବହୁ ଉଚ୍ଚ ଥିଲା। ଏସିଆର ଭଲ ଭଲ ପ୍ରତିଯୋଗୀ ମୋ ସହ ଦୌଡ଼ିଥିଲେ। ସେଥିପାଇଁ ଆଜିର ପଦକ ମୋତେ ଅଧିକ ଆତ୍ମସନ୍ତୋଷ ଦେଇଛି। ଏହି ପଦକକୁ ମୁଁ କିଟ୍ ବିଶ୍ବ ବିଦ୍ୟାଳୟ, ଓଡ଼ିଶା ସରକାର, ଓଏମ୍‌ସି, ପୁଲେଲା ଗୋପୀଚାନ୍ଦ ଫାଉଣ୍ଡେସନ୍ ଓ ପ୍ରଶିକ୍ଷକ ଏନ୍ ନାଗପୁରୀ ରମେଶଙ୍କୁ ଦେବି ବୋଲି ଦୂ୍ତି କହିଛନ୍ତି।
ଚିତ୍ରା ଦେଲେ ଶେଷ ସ୍ବର୍ଣ୍ଣ
ମହିଳା ୧୫୦୦ ମିଟରରେ ବୁଧବାର ପିୟୁ ଚିତ୍ରା ଭାରତକୁ ତୃତୀୟ ତଥା ‌ଶେଷ ସ୍ବର୍ଣ୍ଣ ପଦକ ଉପହାର ଦେଇଥିଲେ। ୪:୧୪.୫୬ ମିନିଟ୍ ସମୟ ସହ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ବାହାରିନର ଗାସ ଟିଗେଷ୍ଟ (୪:୧୪.୮୧) ରୌପ୍ୟ ଓ ୱିନଫ୍ରେଡ୍ ମୁତିଲେ (୪:୧୬.୧୮) କାଂସ୍ୟ ପଦକ ପାଇଥି‌ଲେ। ଅନ୍ୟତମ ଭାରତୀୟ ଲିଲି ଦାସ (୪:୩୨.୪୧) ଚତୁର୍ଦଶ ସ୍ଥାନରେ ଅଭିଯାନ ‌ଶେଷ କରିଥିଲେ। ମହିଳା ଡିସ୍‌କସ୍‌ରେ ନଭଜିତ କୌର (୫୭.୪୭ ମିଟର) ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ତାଙ୍କ ପଛକୁ କମଲପ୍ରୀତ ‌କୌର (୫୫.୫୯ ମିଟର) ପଞ୍ଚମ ସ୍ଥାନରେ ରହିଥିଲେ। ପୁରୁଷ ୧୫୦୦ ମିଟରରେ ଅଜୟ କୁମାର ସରୋଜ (୩:୪୩.୧୮) ରୌପ୍ୟ ପଦକ ଜିତିଥିଲେ। ସେହିଭଳି ଭାରତୀୟ ୪ଗୁଣା୪୦୦ ମହିଳା ଏବଂ ପୁରୁଷ ରିଲେ ଦଳ ମଧ୍ୟ ଆଉ ଏକ ରୌପ୍ୟ ପଦକ ଜିତିଥିଲେ। ୫୦୦୦ ମିଟରରେ ଗଭିତ ମୁରଲୀ ପଞ୍ଚମ ଏବଂ ଅଭିଷେକ ପାଲ ଷଷ୍ଠ ସ୍ଥାନରେ ରହିଥିଲେ।
ଭାରତ ଚତୁର୍ଥ, ବାହାରିନ୍‌ ପ୍ରଥମ
୨୩ତମ ଏସୀୟ ଦୌଡ଼କୁଦରେ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଛି। ଏଥର ଭାରତ ୩ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୭ କାଂସ୍ୟ ପଦକ ଜିତିଛି। ଏହି ଚାରି ଦିନିଆ ପ୍ରତିଯୋଗିତାର ମଙ୍ଗଳବାର ତୃତୀୟ ଦିବସ ଶେଷ ସୁଦ୍ଧା ଭାରତ ୨ ସ୍ବର୍ଣ୍ଣ, ୫ ରୌପ୍ୟ, ୬ କାଂସ୍ୟ। ବୁଧବାର ଶେଷ ଦିନରେ ଆଉ ପାଞ୍ଚ ପଦକ ଏଥିରେ ଯୋଗ କରିଛି। ସେଥିମଧ୍ୟରେ ରହିଛି ଗୋଟିଏ ସ୍ବର୍ଣ୍ଣ, ତିନିଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ। ଭୁବନେଶ୍ବରରେ ଆୟୋଜିତ ଗତ ସଂସ୍କରଣରେ କିନ୍ତୁ ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିଲା। ସେଥର ଭାରତ ୧୨ ସ୍ବର୍ଣ୍ଣ, ୫ ‌ରୌପ୍ୟ ଓ ୧୨ କାଂସ୍ୟ ପଦକ ଜିତିଥିଲା। ଏଥର ବାହାରିନ, ଚୀନ ଓ ଜାପାନ ପ୍ରଥମ ତିନି ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର