୨୦୦ ମିଟରରେ ଆଉ ଦୌଡ଼ିବେନି ଦୂତି

 ‘ଅଧିକ ପ୍ରତିଯୋଗିତା ଯୋଗୁଁ ଶରୀର କ୍ଲାନ୍ତ ହେଉଛି’,  ୧୦୦ ମିଟର ଓ ରିଲେ ଉପରେ ଅଧିକ ଧ୍ୟାନ ଦେଉଛି: ଦୂତି

ଭୁବନେଶ୍ବର,  (ଦୀପ୍ତିରଂଜନ ସାମଲ): ଓଡ଼ିଆ ଧାବିକା ଅଲମ୍ପିଆନ୍‌ ଦୂତି ଚାନ୍ଦ୍‌ ଆଉ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେନି। କେବଳ ୧୦୦ ମିଟର ସହିତ ରିଲେ ଦୌଡ଼ରେ ସେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ଜାତୀୟ କ୍ରୀଡ଼ାର ୨୦୦ ମିଟର ଦୌଡ଼ରେ ଦୂତି ଅଂଶଗ୍ରହଣ କରିନଥିଲା ବେଳେ ୬୧ତମ ଜାତୀୟ ଓପନ ଦୌଡ଼କୁଦରେ ସେ ଆଦୌ ଭାଗ ନେଇନଥିଲେ। ତେଣୁ ଦୂତି ଅଦୃଶ୍ୟ ହୋଇଯିବା ଘଟଣାକୁ ଆନେକ କ୍ରୀଡ଼ାପ୍ରେମୀ ସହଜରେ ଗ୍ରହଣ କରିପାରୁନଥିଲା‌ ବେଳେ କାହିଁକି ଜାତୀୟ ପ୍ରତିଯୋଗିତା ପ୍ରତି ଆଗ୍ରହ ଦେଖାଉନାହାନ୍ତି ବୋଲି ପ୍ରଶ୍ନ ଉଠୁଛି। କିନ୍ତୁ ଦୂତିଙ୍କ ଜବାବ ଭିନ୍ନ ରହିଛି। ସେ ୨୦୦ ମିଟର ପରିବର୍ତ୍ତେ ୧୦୦ ମିଟର ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛନ୍ତି। ତେଣୁ ଆଉ କୌଣସି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ୨୦୦ ମିଟରରେ ଭାଗ ନ ନେବାକୁ ସେ ସ୍ପଷ୍ଟ କରିଛନ୍ତି।

ଜାତୀୟ ଓପନ୍‌ ଦୌଡ଼କୁଦରେ ସେ ଅଂଶଗ୍ରହଣ ନକରିବା ବିଷୟରେ କହିଛନ୍ତି ଯେ ଏହି ପ୍ରତିଯୋଗିତାର ବିଶେଷ କିଛି ଗୁରୁତ୍ବ ନଥିଲା। କୌଣସି ବିଶ୍ବସ୍ତରୀୟ ପ୍ରତିଯୋଗିତା ପାଇଁ ଏହା ଯୋଗ୍ୟତା ପର୍ଯ୍ୟାୟ ବି ନୁହେଁ। ଓପନ୍‌ ପ୍ରତିଯୋଗିତା କେବଳ ନିଯୁକ୍ତି ପାଇଥିବା କ୍ରୀଡ଼ାବିତ୍‌ ଓ ଉଦୀୟମାନଙ୍କ ପାଇଁ ଉଦ୍ଧିଷ୍ଟ। ସେଥିପାଇଁ ମୁଁ ଏହାକୁ ଗୁରୁତ୍ବ ଦେଇନଥିଲି। ଅଧିକ ପ୍ରତିଯୋଗିତାରେ ଭାଗ ନେବା ଦ୍ବାରା ଶରୀର କ୍ଲାନ୍ତ ହୋଇପଡ଼ୁଛି। ଏହାଫଳରେ ପ୍ରଦର୍ଶନରେ ପ୍ରଭାବ ପଡୁଛି। ସେଥିପାଇଁ କିଛି ସମୟ ନେଇ ‌୧୦୦ ମିଟର ଉପରେ ଗୁରୁତ୍ବ ଦେବାକୁ ମନସ୍ଥ କରିଛି।

ଅନ୍ୟପକ୍ଷରେ ଓଡ଼ିଶା ଅଲିମ୍ପିକ୍‌ ସଂଘ ସୂଚନା ଅନୁଯାୟୀ, ଦୂତି ଅଭ୍ୟାସରେ ନଥିବାରୁ ଓପନ୍‌ ଦୌଡ଼କୁଦରେ ଅଂଶଗ୍ରହଣ କରିବାକୁ ମନା କରିଥିଲେ। ଦୂତି ବି ଯଦିଓ ଅଭ୍ୟାସରେ ନଥିବା ବିଷୟକୁ ସ୍ବୀକାର କରିଛନ୍ତି, କିନ୍ତୁ ଆଗକୁ ଏସୀୟ କ୍ରୀଡ଼ା ଓ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପାଇଁ ପ୍ରସ୍ତୁତ ହେଉଥିବାରୁ ଶରୀରକୁ ବିଶ୍ରାମ ଦେବାକୁ ସେ ଚାହୁଁଥିବା ସୂଚନା ଦେଇଛନ୍ତି।

ଶେଷ ଥର ପାଇଁ ଦୂତି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ୧୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିଥିଲା ବେଳେ ୧୧.୬୯ ସେକେଣ୍ଡ ସହ ଷଷ୍ଠ ସ୍ଥାନରେ ରହିଥିଲେ। ଏଥିପୂର୍ବରୁ ୧୦୦ ମିଟରରେ ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୧୧.୧୭ ସେକେଣ୍ଡ) ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଏହାର ପାଖାପାଖି ସମୟରେ ବି ଦୂତି ପହଞ୍ଚିପାରିନାହାନ୍ତି। ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୧୧.୫୫ ସେକେଣ୍ଡ ସମୟ ନେଇଥିବାରୁ ସେମିଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ। ଅପରପକ୍ଷେ ୨୦୧୯ ମସିହା ପରଠୁ ସେ ଆଉ ୨୦୦ ମିଟର ଦୌଡ଼ରେ ପ୍ରତିଦ୍ବନ୍ଦ୍ବିତା କରୁନାହାନ୍ତି। ଶେଷ ଥର ପାଇଁ ରାଞ୍ଚିରେ ହୋଇଥିବା ୫୯ତମ ଜାତୀୟ ଓପନ୍‌ ଦୌଡ଼କୁଦରେ ସେ ଭାଗ ନେଇ ପ୍ରଥମ (୨୩.୧୭ ସେକେଣ୍ଡ) ହୋଇଥିଲେ। ଚଳିତ ବର୍ଷ ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ଦୂତିଙ୍କୁ ବଲିଉଡ୍‌ ଗୀତରେ ନାଚୁଥିବା ଦେଖାଯାଇଥିଲା। ଜାତୀୟ କ୍ରୀଡ଼ା ପୂର୍ବରୁ ଏହି କାର୍ଯ୍ୟକ୍ରମ ଆସିଥିବାରୁ ଅଭ୍ୟାସ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇନଥିଲେ। ଦୂତିଙ୍କ ଏଭଳି ନୂଆ ରୂପକୁ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶଂସା ମିଳିଥିଲେ ବି କିଛି ଅଣ କ୍ରୀଡ଼ା କାର୍ଯ୍ୟକ୍ରମରେ ସେ ଅଧିକ ମନୋନିବେଶ କରୁଥିବାରୁ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସୁନଥିବା କହି କେତେକ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର