ଡି’ଭିଲିୟର୍ସଙ୍କ ଆକଳନ:  କୋହଲି=ଫେଡେରର୍‌: ସ୍ମିଥ୍‌=ନାଦାଲ

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ର ଦୁଇ ଯୁବ ପ୍ରତିଦ୍ବନ୍ଦ୍ବୀ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭେନ ସ୍ମିଥ୍‌ଙ୍କୁ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସ ଯଥାକ୍ରମେ ଦୁଇ ମହାନ ଟେନିସ ପ୍ରତିଦ୍ବନ୍ଦ୍ବୀ ସ୍ବିଜରଲାଣ୍ଡର ରୋଜର ଫେଡେରର୍‌ ଓ ସ୍ପେନ୍‌ର ରାଫେଲ ନାଦାଲଙ୍କ ସହ ତୁଳନା କରିଛନ୍ତି। ସ୍ବିଜରଲାଣ୍ଡ ତାରକା ଫେଡେରର୍‌ଙ୍କ ଭଳି କୋହଲିଙ୍କ ନିକଟରେ ପ୍ରାକୃତିକ ପ୍ରତିଭା ଭରି ରହିଛି। ସେହିଭଳି ସ୍ମିଥ୍‌ଙ୍କ ମାନସିକ ଦୃଢ଼ତା ନାଦାଲଙ୍କ ସହ ମେଳ ଖାଉଛି ବୋଲି ଡି’ଭିଲିୟର୍ସ କହିଛନ୍ତି। ଇନ୍‌ଷ୍ଟାଗ୍ରାମ ଚାଟ୍‌ରେ ଡି’ଭିଲିୟର୍ସଙ୍କୁ ପୂର୍ବତନ ଜିମ୍ବାୱେ ଦ୍ରୁତ ବୋଲର ପମି ବାଙ୍ଗୱା ପ୍ରଶ୍ନ କରିଥିଲେ ଯେ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ କିଏ ଦର୍ଶକଙ୍କୁ ଅଧିକ ଅକୃଷ୍ଟ କରିଥାନ୍ତି। ଏହାର ଜବାବରେ ଡି’ଭିଲିୟର୍ସ କହିଥିଲେ ଯେ ଏହାର ଉତ୍ତର ଦେବା ଅତ୍ୟନ୍ତ କଷ୍ଟକର, କିନ୍ତୁ ବିରାଟ ପ୍ରାକୃତିକ ବଲ୍‌ ଷ୍ଟ୍ରାଇକର, ଏଥିରେ କୌଣସି ସନ୍ଦେହ ନାହିଁ। ଟେନିସ ଭାଷାରେ ମୁଁ କହିବି, ସେ ହେଉଛନ୍ତି ଫେଡେରର୍‌ଙ୍କ ଭଳି ଏବଂ ସ୍ମିଥ୍‌ ହେଉଛନ୍ତି ନାଦାଲ। କାରଣ ସ୍ମିଥ୍‌ଙ୍କର ଦୃଢ଼ ମାନସିକତା ରହିଛି ଏବଂ ସେ ରନ୍‌ ସଂଗ୍ରହ ବେଳେ ପ୍ରକୃତିକୁ ଦେଖନ୍ତିନି। ସେ କ୍ରିଜ୍‌ରେ ଥିଲା ବେଳେ ଚମତ୍କାର ପ୍ରଦର୍ଶନ କରିବା ସହ ବହୁ କୀର୍ତ୍ତିମାନର ଅଧିକାରୀ ହୋଇପାରିଛନ୍ତି। ଭାବୁଛି, ମୁଁ ଦେଖିଥିବା ଦୃଢ଼ ମାନସିକତା ରଖିଥିବା ଶ୍ରେ‌ଷ୍ଠ ଖେଳାଳିଙ୍କ ମଧ୍ୟରେ ସ୍ମିଥ୍‌ ଜଣେ। କୋହଲି ସମଗ୍ର ବିଶ୍ବରେ ରନ୍‌ କରିପାରିଛନ୍ତି। ହେଲେ ମ୍ୟାଚ୍‌ ବିଜୟୀ ପାଳି ଖେଳିଲା ବେଳେ ସେ ଚାପରେ ରହନ୍ତି ବୋଲି ଆଧୁନିକ କ୍ରିକେଟ୍‌ର ବିସ୍ଫୋରକ ତାରକା ଡି’ଭିଲିୟର୍ସ ପ୍ରକାଶ କରିଛନ୍ତି।

ପଶ୍ଚାତ୍‌ଧାବନରେ ସଚିନଙ୍କଠୁ କୋହଲି ଆଗୁଆ
ଡି’ଭିଲିୟର୍ସ ଏହା ମଧ୍ୟ କହିଛନ୍ତି ଯେ କୋହଲି ହେଉଛନ୍ତି ପଶ୍ଚାତ୍‌ଧାବନ ବେଳେ ଭାରତୀୟ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ଏକ ଛାଇ। ସଚିନ ଆମ ଦୁହିଁ (ସେ ଓ କୋହଲି)ଙ୍କର ଆଦର୍ଶ। ତାଙ୍କ ଯୁଗରେ ସେ ଯାହା ହାସଲ କରିଥିଲେ ତାହା ସମସ୍ତଙ୍କ ପାଇଁ ଏକ ଉତ୍ତମ ଉଦାହରଣ। ମୁଁ ଭାବୁଛି ବିରାଟ ମଧ୍ୟ କହିବେ ଯେ ଆମକୁ ଅନୁସରଣ କରିବା ପାଇଁ ସଚିନ ମାନଦଣ୍ଡ ସ୍ଥିର କରିଛନ୍ତି ବୋଲି ଡି’ଭିଲିୟର୍ସ କହିଛନ୍ତି। କିନ୍ତୁ ବ୍ୟକ୍ତିଗତ ଭାବେ କହିବି, ମୁଁ ଦେଖିଥିବା ଖେଳାଳିଙ୍କ ମଧ୍ୟରେ ବିରାଟ ହେଉଛନ୍ତି ସର୍ବୋତ୍ତମ। ସବୁ ଫର୍ମାଟ୍‌ ଏବଂ ସବୁ ପରିସ୍ଥିତିରେ ସଚିନ ଆଶ୍ଚର୍ଯ୍ୟଜନକ ଥିଲେ। କିନ୍ତୁ ପଶ୍ଚାତ୍‌ଧାବନ ବେଳେ ବିରାଟ ତାଙ୍କ ଉପରେ ରହିବେ ବୋଲି ଡି’ଭିଲିୟର୍ସ କହିଛନ୍ତି।

ଆମେ ଭଲ ବନ୍ଧୁ
ସାରା ବିଶ୍ବ କୋହଲିଙ୍କୁ ବହୁପ୍ରସୂ କ୍ରିକେଟର୍‌ ଭାବରେ ଜାଣେ। କିନ୍ତୁ ସେ ମୋର ଜଣେ ଭଲ ବନ୍ଧୁ। ବିରାଟ ଜଣେ ଭାବୁକ। ସେ ସବୁ ବେଳେ ପରୀକ୍ଷା ନିରୀକ୍ଷା କରିବା ସହ ନୂଆ କାମ କରିବାକୁ ଭଲ ପାଆନ୍ତି। ଚୁଇଗମ୍‌ ପାଟିରେ ରଖି ସେ ଜୀବନ ବିଷୟରେ ବହୁତ ଭାବନ୍ତି। ଆମେ ଧର୍ମଠୁ ଆରମ୍ଭ କରି ଅନେକ ବିଷୟରେ ଆଲୋଚନା କରୁ ବୋଲି ଡି’ଭିଲିୟର୍ସ କହିଛନ୍ତି। ଆମର ସମ୍ପର୍କ ଅତି ନିବିଡ଼। ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ମଧ୍ୟ ମୁଁ ବାର୍ତ୍ତାଳାପ କରେ। ସେ ମଧ୍ୟ କୋହଲିଙ୍କ ପରି ଭଲ। ତାଙ୍କ ସହ ପିଲା ଏବଂ ପରିବାର ବିଷୟରେ କଥାବାର୍ତ୍ତା ହେଉ। ଆମେ ଛୋଟ କୋହଲିଙ୍କ ଅପେକ୍ଷାରେ ରହିଛୁ ବୋଲି ଦକ୍ଷିଣ ଆଫ୍ରିକାର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି। କୋହଲି ଓ ମୁଁ କ୍ରିକେଟ୍‌ ବିଷୟରେ ଆଲୋଚନାର ଉପାୟ ଖୋଜୁ। ହେଲେ କଥାବର୍ତ୍ତା ବେଳେ ୯୦ ପ୍ରତିଶତ ଅନ୍ୟ ବିଷୟରେ ହୋଇଥାଉ। ଏହା ଏକ ଭଲ ବନ୍ଧୁତ୍ବର ପ୍ରମାଣ ବୋଲି ସେ କହିଛନ୍ତି। ଆଇପିଏଲ୍ କେବଳ ଏକ ପ୍ରତିଯୋଗିତା ନୁହେଁ ବରଂ ବନ୍ଧୁତ୍ବ ବଢ଼ାଇବାର ସ୍ଥାନ। କ୍ରିକେଟ୍‌ରେ କିଏ ତୁମର ଭଲ ବନ୍ଧୁ ଉତ୍ତରରେ ‌ଡି’ଭିଲିୟର୍ସ ସ୍ପଷ୍ଟ ଭାବେ କୋହଲିଙ୍କ ନାମ ନେଇଥିଲେ। ଆଜ୍ଞା ହଁ, ଆଇପିଏଲ୍‌ରେ ତାଙ୍କ ସହ ବନ୍ଧୁତା ବଢ଼ିଥିଲା। କେବଳ ଆଇପିଏଲ୍ ସମୟରେ ନୁହେଁ, ଆମେ ବର୍ଷସାରା ଚାଟ୍ କରିଥାଉ। ଆମର ବନ୍ଧୁତା କେବଳ ଆଇପିଏଲ୍ କିମ୍ବା କ୍ରିକେଟ୍ ନୁହେଁ ଏହାଠାରୁ ଭିନ୍ନ ବୋଲି ‌ସେ କହିଥିଲେ।

ସମ୍ବନ୍ଧିତ ଖବର