କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଡି’ଭିଲିୟର୍ସଙ୍କ ଅବସର

ଜୋହାନ୍ସବର୍ଗ: କିଂବଦନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ ଏବି ଡି’ଭିଲିୟର୍ସ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ୨୦୧୮ରେ ଡି’ଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗ‌ାଲୋର୍‌ ପାଇଁ ଖେଳି ଆସୁଥିଲେ। ଏବେ ଆର୍‌ସିବି ପ୍ରଶଂସକମାନେ ଆଉ ତାଙ୍କ ଖେଳ ଦେଖିପାରିବେ ନାହିଁ। ଅନ୍ତର୍ଜାତୀୟ ଅବସର ପରେ ଏବିଡି ୨୦୧୯ ଦିନିକିଆ ବିଶ୍ବକପ୍‌ରେ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିନଥିଲା। ଶୁକ୍ରବାର ନିଜ ଟ୍ବିଟର୍‌ ହ୍ୟାଣ୍ଡଲରେ ଏକାଧିକ ପୋଷ୍ଟ୍‌ କରି ଡି’ଭିଲିୟର୍ସ ନିଜ ଜାଜୁଲ୍ୟମାନ ଖେଳ ଜୀବନରେ ଶେଷ ରେଖା ଟାଣିଛନ୍ତି। ଜାତୀୟ ଦଳ ପକ୍ଷରୁ ସେ ୧୧୪ ଟେଷ୍ଟ୍, ୨୨୮ ଦିନିକିଆ ଅନ୍ତର୍ଜାତୀୟ ଏବଂ ୭୮ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ୨୦୧୧ରେ ଆର୍‌ସିବିରେ ଯୋଗ ଦେଇ ୧୦ ଋତୁ ଆଇପିଏଲ୍‌ ଖେଳିଥିଲେ। ବିରାଟ କୋହଲିଙ୍କ ପରେ ଦଳର ଦ୍ବିତୀୟ ସର୍ବାଧିକ ୪୪୯୧ ରନ୍‌ (୧୫୬ ମ୍ୟାଚ୍‌) ସଂଗ୍ରହକାରୀ ରହିଛନ୍ତି। ଆର୍‌ସିବି ଆସିବା ପୂର୍ବରୁ ସେ ଦିଲ୍ଲୀ ଡେୟାର୍‌ ଡେଭିଲ୍ସ ପାଇଁ ଆଇପିଏଲ୍‌ ପଦାର୍ପଣ କରିଥିଲେ। ମୋଟ ଉପରେ ସେ ୧୮୪ ଆଇପିଏଲ୍‌ ମ୍ୟାଚ୍‌ରୁ ୫୧୬୨ ରନ୍‌ ସହ ଅଗ୍ରଣୀ ତାଲିକାରେ ଷଷ୍ଠରେ ରହିଛନ୍ତି। ୨୦୧୫ ମସିହାରେ ଆର୍‌ସିବି ପାଇଁ ଖେଳି ମୁମ୍ବାଇ ବିପକ୍ଷରେ ମାରିଥିବା ୧୩୩* ତାଙ୍କ ଶ୍ରେଷ୍ଠ ଆଇପିଏଲ୍‌ ପାଳି ହୋଇ ରହିଛି। ଏହା ବାଦ୍‌ ସେ ବିଶ୍ବର ଅନ୍ୟ ସମସ୍ତ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ମଧ୍ୟ ଖେଳି ଆସୁଥିଲେ। ୨୦୦୪ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିବା ଡି’ଭିଲିୟର୍ସ ଦୀର୍ଘ ଦେଢ଼ ଦଶନ୍ଧି ଧରି ରାଜ କରିଥିଲେ।

ଉଲ୍ଲେଖନୀୟ ଯାତ୍ରା

‘ଏହା ଏକ ଉଲ୍ଲେଖନୀୟ ଯାତ୍ରା ଥିଲା, ମୁଁ ସମସ୍ତ କ୍ରିକେଟ୍‌ରୁ ଅବସର ନେବାକୁ ନିଷ୍ପତ୍ତି ନେଉଛି। ପିଲାଦିନରୁ ଭାଇ ସହ ଖେଳିବା ପରଠାରୁ ଏହାକୁ ଉପ‌ଭୋଗ କରିଛି ଏବଂ ଉତ୍ସାହର ସହ ଖେଳି ଆସିଛି। ଏବେ ୩୭ ବର୍ଷ ବୟ‌ସରେ ଆଉ ସେ ଶିଖା ଜଳୁନାହିଁ’। ମୁଁ ଶେଷରେ ଏତିକି କହିପାରିବି ପରିବାର, ପିତାମାତା, ଭାଇ, ପତ୍ନୀ ଡାନିଏଲ୍‌ ଏବଂ ପିଲାମାନଙ୍କ ତ୍ୟାଗ ବିନା ଏସବୁ ସମ୍ଭବ ହୋଇନଥା’ନ୍ତା। ଜୀବନର ପରବର୍ତ୍ତୀ ଅଧ୍ୟାୟକୁ ମୁଁ ନଜରରେ ରଖିଛି। ଏମାନଙ୍କୁ ନିଶ୍ଚିତ ପ୍ରାଥମିକତା ଦେବି’। ଏହି ଅବସରରେ ମୁଁ ପ୍ରତି ଦଳୀୟ ସାଥୀ, ପ୍ରତିଟି ପ୍ରତିଦ୍ବନ୍ଦ୍ବୀ, ପ୍ରତି ପ୍ରଶିକ୍ଷକ, ପ୍ରତି ଫିଜିଓ, ପ୍ରତି ‌ଷ୍ଟାଫ୍‌ ଏବଂ ଆମ ଯାତ୍ରାପଥର ସମସ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଉଛି। ଦକ୍ଷିଣ ଆଫ୍ରିକା ଏବଂ ବିଶ୍ବର ଯେଉଁଠି ଖେଳିଛି ସମସ୍ତଙ୍କଠାରୁ ଭଲ ପାଇବା ପାଇଛି। କ୍ରିକେଟ୍‌ ବି ମୋ ପାଇଁ ଭାରି ଦୟାଳୁ। ବିଶ୍ବର ଯେଉଠି ଖେଳୁଥିଲେ ବି ପର୍ଯ୍ୟାପ୍ତ ସୁଯୋଗ ଓ ଅଭିଜ୍ଞତା ଅର୍ଜନ କରିଛି।

ବଂଧୁ କୋହଲିଙ୍କୁ ଧନ୍ୟବାଦ

ଆର୍‌ସିବି ସହିତ ମୋର ଲମ୍ବା ଓ ଫଳପ୍ରଦ ସମୟ କଟିଛି। ୧୧ ବର୍ଷର ଯାତ୍ରା ମଧୁର ଓ ତିକ୍ତତାରେ ବିତିଛି। ଏବେ ପରିବାର ସହ ଭଲ ସମୟ କାଟିବାର ବେଳ ଆସିଛି। ଆରସିବି ପରିଚାଳକଙ୍କ ସହିତ ବଂଧୁ ବିରାଟ କୋହଲି, ଦଳୀୟ ସାଥୀ ଏବଂ ସମ୍ପୂର୍ଣ୍ଣ ଆର୍‌ସିବି ପରିବାର ବର୍ଷ ବର୍ଷ ଧରି ମୋ ଉପରେ ବିଶ୍ବାସ ଓ ସମର୍ଥନ ରଖିଥିବାରୁ ମୁଁ ଋଣି। ଅନେକ ବ୍ୟକ୍ତିଗତ ଅନୁଭୂତି ମିଳିଛି ଯାହା ଜୀବନସାରା ଭୁଲି ପାରିବିନାହିଁ। ମୁଁ ଜୀବନସାରା ଆର୍‌ସିବି ଖେଳାଳି ହୋଇରହିବି ବୋଲି ଡି’ଭିଲିୟର୍ସ ପ୍ରକାଶ କରିଥିଲେ।

କୋହଲି କହିଲେ ଭାଇ ‘ଆମ ସମୟର ଶ୍ରେଷ୍ଠ’

ଏବି ଡି’ଭିଲିୟର୍ସଙ୍କ ସମ୍ପୂର୍ଣ୍ଣ ଅବସର ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ମହାନ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ବିଦାୟୀ ଆର୍‌ସିବି ଅଧିନାୟକ ବିରାଟ କୋହଲି କିନ୍ତୁ ଭାଇ ବୋଲି ସମ୍ବୋଧନ କରିବା ସହ ‘ଆମ ସମୟର ଶ୍ରେଷ୍ଠ’ ଆଖ୍ୟା ଦେଇଛନ୍ତି। ଏବିଡି ଆମ ସମୟର ଶ୍ରେଷ୍ଠ ଖେଳାଳି ଏବଂ ମୁଁ ଭେଟିଥିବା ବ୍ୟକ୍ତିଙ୍କ ମଧ୍ୟରେ ସବୁଠୁ ପ୍ରେରଣାଦାୟୀ। ଆପଣ ଯାହା କରିଛନ୍ତି ଏବଂ ଆର୍‌ସିବିକୁ ଦେଇଛନ୍ତି ଆମେ ଗର୍ବିତ। ନିଜ ପାଇଁ ଏବଂ ପରିବାର ପାଇଁ ଅବସର ନିଷ୍ପତ୍ତି ନେଇଥିବାରୁ ମୁଁ ଖୁସି, ଆପଣଙ୍କୁ ଭଲ ପାଏ’ ବୋଲି କୋହଲି ଟ୍ବିଟ୍‌ କରିଛନ୍ତି। ଏକାକୀ ମ୍ୟାଚ୍‌ ଜିତାଇବା ଦକ୍ଷତା କେବଳ ଏହି ‘ମିଷ୍ଟର୍‌ ୩୬୦’ଙ୍କ ନିକଟରେ ଥିଲା ବୋଲି କହିଛନ୍ତି ଇଂଲଣ୍ଡର ସାମ ବିଲିଙ୍ଗ୍ସ। ସୁନ୍ଦର‌ ଖେଳର ତୁମେ ଅସଲ କିଂବଦନ୍ତି ବୋଲି ଟ୍ବିଟ୍‌ କରିଛନ୍ତି ଶିଖର ଧାୱନ। ଭିଭିଏସ ଲକ୍ଷ୍ମଣ, ମାହେଲା ଜୟବର୍ଦ୍ଧନେ, ସୁନ୍ଦର ପିଚାଇ, ମାଇକେଲ୍ ଭନ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍ ପ୍ରମୁଖ ମଧ୍ୟ ଏବିଡିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର