ଇ-ଲିଗ୍‌ ଜିତିଲା ବିଏସ୍‌ଏନ୍‌ଏଲ୍‌

ଭୁବନେଶ୍ୱର: ଭୁବନେଶ୍ୱର କଲ୍ଟକୁ ଗୋଟିଏ ପାଳି ଓ ୫୭ ରନ୍‌ରେ ପରାସ୍ତ କରି ବିଏସ୍‌ଏନ୍‌ଏଲ୍‌ ଇ-ଲିଗ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। ଦୁଇ ଦିନିଆ ଫାଇନାଲର ପ୍ରଥମ ଦିନ ଭୁବନେଶ୍ୱର କଲ୍ଟର ୯୩ ରନ୍‌ ପ୍ରଥମ ପାଳି ସ୍କୋର୍‌ ଜବାବରେ ବିଏସ୍‌ଏନ୍‌ଏଲ୍‌ ୨ ଓ୍ଵିକେଟ୍‌ ହରାଇ ୧୨୬ ରନ୍‌ କରିଥିଲା। ରବିବାର ଦ୍ୱିତୀୟ ତଥା ଶେଷ ଦିନ ଏହି ଦଳ ୨୧୬/୬ରେ ପାଳି ଘୋଷଣା କରିଦେଇଥିଲା। ସାନ୍ତନୁ ମିଶ୍ର (୬୬) ଓ ପ୍ରତୀକ ଦାସ (୫୦) ଅର୍ଧଶତକ ହାସଲ କରିଥିଲେ। ସୁବ୍ରତ ବେହେରା କଲ୍ଟର ସଫଳ ବୋଲର ଭାବେ ୩ ଓ୍ଵିକେଟ୍‌ ପାଇଥିଲେ। ପରେ କଲ୍ଟ ଦଳ ଦ୍ୱିତୀୟ ପାଳିରେ ମାତ୍ର ୬୬ ରନ୍‌ରେ ସଫା ହୋଇଯାଇଥିଲା। ରଶ୍ୱିରଞ୍ଜନ ସାହୁ ୧୨ ରନ୍‌ରେ ୫, ନିରଞ୍ଜନ ବେହେରା ୫ ରନ୍‌ରେ ୩ ଓ ସିଦ୍ଧାର୍ଥ ବେହେରା ୮ ରନ୍‌ରେ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଫଳରେ ବିଏସ୍‌ଏନ୍‌ଏଲ୍‌ ଏକ ପାଳି ଓ ୫୭ ରନ୍‌ରେ ବିଜୟୀ ହୋଇଥିଲା। ଉଭୟ ପାଳିରେ ମୋଟ ୮ ଓ୍ଵିକେଟ୍‌ ଏବଂ ବ୍ୟାଟିଂରେ ୩୬ ରନ୍‌ କରିଥିବା ନିରଞ୍ଜନ ବେହେରା ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଆଇଏମ୍‌ଏମ୍‌ଟି ନିର୍ଦେଶକ ଡ. ସୁଧାସାତ୍ୱ ବସୁ, ପ୍ରଧାନ ବୈଜ୍ଞାନିକ ଡ. ବଙ୍କିମ ଚନ୍ଦ୍ରା ଏବଂ ପୂର୍ବତନ ପୂର୍ବାଞ୍ଚଳ ଓ ଓଡ଼ିଶା କ୍ରିକେଟର୍‌ ବିକ୍ରମ ମହାନ୍ତିି ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର