ନୂଆଦିଲ୍ଲୀ: ଶନିବାର ଦିନ ତ୍ରିନିଦାଦ୍‌ର ପୋର୍ଟ ଅଫ୍‌ ସ୍ପେନ୍‌ରେ ଥିବା ‘କୁଇନ୍‌ସ୍‌ ପାର୍କ ଓଭାଲ୍‌’ରେ ଅନୁଷ୍ଠିତ ‘ଅଣ୍ଡର୍‌ ୧୯ ୱାର୍ଲଡ୍‌ କପ୍‌’ରେ ଆୟର୍ଲାଣ୍ଡ୍‌ ଏବଂ ଜିମ୍ବାୱେ ମଧ୍ୟରେ ‘ପ୍ଲେଟ୍‌’ ସେମି-ଫାଇନାଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ ଭୂମିକମ୍ପ ସଂଘଠିତ ହୋଇଥିବା କଥା ଧାରାବିବରଣୀ ପ୍ରଦାନକାରୀମାନେ ଘୋଷଣା କରିଥିଲେ। ଭୂମିକମ୍ପନର ଦୃଶ୍ୟ ମଧ୍ୟ ଟେଲିଭିଜନ୍ କ୍ୟାମେରାରେ ଉତ୍ତୋଳିତ ହୋଇଛି।

Advertisment

ଖେଳାଳିମାନେ ଖେଳରେ ମାତିଥିବା ବେଳେ ‘କମେଣ୍ଟେରି ବକ୍ସ୍‌’ ଦୋହଲିବାରୁ ଧାରାବିବରଣୀ ପ୍ରଦାନକାରୀମାନେ ଭୂକମ୍ପନ ଅନୁଭବ କରିଥିବା କହିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ‌ପୋର୍ଟ ଅଫ୍ ସ୍ପେନ୍‌ ଉପକୂଳ ଅଞ୍ଚଳରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଙ୍ଘଠିତ ହୋଇଥିଲା। ତେଣୁ, କ୍ରୀଡ଼ାସ୍ଥଳରେ ଥିବା ଫ୍ରଣ୍ଟ୍-ଅନ୍‌ କ୍ୟାମେରାରୁ ଆସୁଥିବା ଚଳଚ୍ଚିତ୍ର ସବୁ ଟିଭି ପରଦାରେ ଖୁବ୍‌ ‌ଜୋର୍‌ରେ ଥରୁଥିବା ଲକ୍ଷ୍ୟ କରାଯାଇଥିଲା।

publive-image Image Courtesy of India TV News

‘ଆଇସିସି’ କମେଣ୍ଟେଟର୍‌ ଆଣ୍ଡ୍ରିଉ ଲିଓନାର୍ଡ ଧାରାବିବରଣୀ ଦେଉଥିବା ବ‌େଳେ କମେଣ୍ଟେରି ବକ୍ସ୍‌ ଦୋହଲିବାରୁ ଭୂମିକମ୍ପ ହେଉଥିବା କଥା ସେ ସୂଚନା ଦେଇଥିଲେ। କିନ୍ତୁ, ଏହି ମୃଦୁ କମ୍ପନ ଯୋଗୁଁ ତାଙ୍କ କଣ୍ଠସ୍ବରରେ ଭୟର ତିଳେ ମାତ୍ର ଆଭାସ ମିଳି ନ ଥିଲା।

ଧାରା ବିବରଣୀ ଦେଉ ଦେଉ ସେ କହିଲେ, ଆମେ… ମୋର ମନେହୁଏ ଏବେ ବୋଧହୁଏ ଭୂମିକମ୍ପ ହେଉଛି। କମେଣ୍ଟେରି ବକ୍ସ୍‌ ମଧ୍ୟରେ ସତରେ ଭୂମିକମ୍ପ ହେଉଛି। ମନେହେଉଛି ଆମ ପଛରେ ଖାଲି ଗୋଟାଏ ଟ୍ରେନ୍‌ ଯାଉନାହିଁ, କୁଇନ୍‌ସ୍‌ ପାର୍କ ଓଭାଲ୍‌ର ସମଗ୍ର ଗଣମାଧ୍ୟମ କେନ୍ଦ୍ର ଦୋହଲୁଛି।

କମ୍ପନ ପ୍ରାୟ ୧୫ ରୁ ୨୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ବୋଲି ‌ସେ କହିଛନ୍ତି। ସେତେବେଳେ ଜିମ୍ବାୱେର ଇନିଙ୍ଗ୍ସ୍‌ର ୬ଷ୍ଠ ଓଭର୍‌ ଖେଳ ଚାଲିଥିଲା। କିନ୍ତୁ, ଖେଳାଳିମାନେ କମ୍ପନ ଅନୁଭବ କରି ନ ପାରିଥିବାରୁ ଖେଳ ଅବ୍ୟାହତ ରହିଥିଲା।